ସୁରତ ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶା : ଭାଗଲ୍‌ ପରିବା‌ ବଜାରରେ ଭୋକ ଉପାସରେ ପଡ଼ିଛନ୍ତି ୩ ଶହ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): ଗୁଜରାଟର ସୁରତରେ ଓଡ଼ଆ ଶ୍ରମିକଙ୍କ ଦୟନୀୟ ସ୍ଥିତିର ଗ୍ରାଉଣ୍ଡ୍‌ ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ। ସେମାନଙ୍କ ଭିତରୁ ଅନେକ ବାସହୀନ ଶ୍ରମିକ ଓ ସେମାନଙ୍କ ପରିବାର ଅବସ୍ଥା ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ସୁରତ ଭାଗଲ୍‌ ପରିବା ମାର୍କେଟରେ ଗଞ୍ଜାମ ଜିଲ୍ଲାର ୩ଶହରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଦିନରେ ଖାଇବାକୁ ପାଉନାହାନ୍ତି ଏବଂ ରାତିରେ ପରିବା ବଜାରରେ ଶୋଇଲେ ସ୍ଥାନୀୟ ପୁଲିସର ଜୁଲମ୍‌ର ଶିକାର ହେବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ପୁଲିସ ମାଡ଼ରେ ୨ଜଣ ଆହତ ହୋଇଥିବା ଶ୍ରମିକ ଏକ ଭିଡ଼ିଓ ମାଧ୍ୟମରେ ‘ସମ୍ବାଦ’କୁ ସେମାନଙ୍କ ଦୁଃଖ ଜଣାଇଛନ୍ତି।

ସୁରତ ରେଳଷ୍ଟେସନ୍‌ ଠାରୁ ମାତ୍ର ୨କିମି ଦୂରରେ ରହିଛି ଭାଗଲ୍‌ ପରିବା ମାର୍କେଟ। ଏହି ମାର୍କେଟ‌ରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ବାଲିପଡ଼ା, ଶେରଗଡ଼, ଆସିକା, ଭେଟସିଙ୍ଗି, ଗୁଡ଼ିଆପଟଣା, ଗୌତମୀ, ବାହାଡ଼ାଗୁଡ଼ା. ସାନଖେମୁଣ୍ଡି ଆଦି ଅଞ୍ଚଳର ୩ ଶହରୁ ଅଧିକ କାମ କରୁଛନ୍ତି। ଏହି ଶ୍ରମିକମାନେ ଗାଡ଼ିରୁ ମାଲ୍‌ ‌ଲୋଡ଼ିଂ ଅନ୍‌ଲୋଡ଼ିଂ କରିଥାନ୍ତି। ଏଥିସହ ପରିବା ଦୋକାନ ଗୁଡ଼ିକରେ କାମ କରିଥାନ୍ତି। ଏମାନେ ଦିନତମାମ୍‌ କୁଲି କାମ କରନ୍ତି। ରାତିରେ ପରିବା ବଜାରର ଛାତ ତଳେ ବିଶ୍ରାମ ନିଅନ୍ତି। ପ୍ରତ୍ୟହ ମେସ୍‌ରେ ଖାଇଥାନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭାଗଲ୍‌ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଜାରି ହେବା ପରେ ଗତ ୧୦ଦିନ ହେଲା ପରିବା ମାର୍କେଟ ବନ୍ଦ। ଶ୍ରମିକମାନେ ରୋଜଗାର ହରାଇବା ସହିତ ସେମାନଙ୍କ ପାଖରେ ଥିବା ଅର୍ଥ ବି ସରିବାକୁ ବସିଲାଣି। ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିବା ବେଳେ ଖାଇବାକୁ ସୁଦ୍ଧା ପାଖରେ ଅର୍ଥ ନାହିଁ। ଭୋକ ଉପାସରେ ଦିନ କାଟୁଥିବା ଏହି ଶ୍ରମିକଙ୍କ ଜୀବନଜୀବିକା ସଙ୍ଗିନ ହୋଇପଡ଼ିଛି। ଭାଗଲ୍‌ ପରିବା ମାର୍କେଟରେ ଫସିଥିବା ଶେରଗଡ଼ ଅଞ୍ଚଳର ପ୍ରସନ୍ନ ପଲେଇ କହିଛନ୍ତି, ‘୮ରୁ ୧୦ ଦିନ ହେଲାଣି ଏଠି ଦୁର୍ଦ୍ଦିନରେ ପଡ଼ି ରହିଛନ୍ତି। ବଡ଼ ଲୋକମାନେ ରୋଗରେ ମରିବେ, କିନ୍ତୁ ଆମେ ଏଠି ଭୋକରେ ମରିବୁ। ଆମର ଘର ନାହିଁ କି ଖାଇବାକୁ ପଇସା ନାହିଁ। ପରିବା ବଜାରରେ ଶୋଇଲେ ପୁଲିସ ପିଟୁଛି। ଗତ ଦୁଇଦିନ ତଳେ ପୁଲିସ ମାଡ଼ରେ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି। ତେଣୁ ଓଡ଼ିଶା ସରକାର ତୁରନ୍ତ ଆମକୁ ଗାଁକୁ ନେବା ବ୍ୟବସ୍ଥା କରନ୍ତୁ’ବୋଲି ସେ କହିଛନ୍ତି।

ସେହିପରି ସେଠାରେ ଫସି ରହିଥିବା ଦିଗପହଣ୍ଡି ବ୍ଲକ ଏସ୍‌.ଟିକରପଡ଼ା ଗ୍ରାମର କେଦାର ପାତ୍ର କହନ୍ତି ‘ଏହି ବଜାରରେ ୩ଶହ ଲୋକ କାମ କରୁଛୁ। ୨୦ଜଣ ଘର ଭଡ଼ା ନେଇ ରହୁଥିବେ। ବାକି ସମସ୍ତେ ପରିବା ମାର୍କେଟରେ ହିଁ ରହନ୍ତି। ସକାଳୁ ଗୋଷ୍ଠୀ ଶୌଚାଳୟରେ ଗାଧୋଇବା ଲାଗି ୧୦ଟଙ୍କା ଦେଉଛୁ। କିନ୍ତୁ ସେଠାରେ ଟିକେ ଗହଳି ହେଲେ ମାଡ଼ ମାରୁଛନ୍ତି। ମେସ୍‌ ଗୁଡ଼ିକ ବନ୍ଦ ହୋଇ ଯାଇଥିବାରୁ ଖାଇବାକୁ ମିଳୁନାହିଁ ‌ବୋଲି ସେ କହିଛନ୍ତି। ସେହିପରି ଭାଗଲ୍‌ରେ ରହୁଥିବା ଶେରଗଡ଼ ଅଞ୍ଚଳର ମୁନା ସ୍ବାଇଁ କହିଛନ୍ତି, ମାସକ ଯାକ ଖଟିଲେ ୮ରୁ ୯ହଜାର ଟଙ୍କା ମଜୁରି ମିଳୁଛି। ଏତେ କମ୍‌ ପଇସାରେ ଘରଭଡ଼ା ନେଇ ରହିବା ସମ୍ଭବ ନୁହଁ। ଫୁଟ୍‌ପାଥରେ ଆମ ଜୀବନ ବତୁଛି। ଏବେ କରୋନା ଆମର ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଟ୍ରେନ୍‌ କେବେ ଚାଲିବ ଆମେ ଅପେକ୍ଷାରେ ଅଛୁ ‌ବୋଲି ସେ କହିଛନ୍ତି। ଗୌତମୀର ଅଚ୍ୟୁତ କୁମାର ଭୁୟାଁ ମଧ୍ୟ ଅନୁରୂପ ମତ ରଖିଛନ୍ତି। ପ୍ରତ୍ୟହ ଖାଇବା ବନ୍ଦୋବସ୍ତ କରିବା ଲାଗି ସେମାନେ ଦାବି କରିଛନ୍ତି। ଏଥି ସହ ଗାଁକୁ ଯିବା ଲାଗି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର