୩ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଘଟଣା : ତାମିଲନାଡ଼ୁରେ ଫସିଛନ୍ତି ଆଉ ୩ ଯୁବକ

ନଜରବନ୍ଦୀରେ ରଖିଛନ୍ତିି କମ୍ପାନି କର୍ତୃପକ୍ଷ
ପ୍ରଶାସନ ହସ୍ତକ୍ଷେପ ପାଇଁ ଆକୁଳ ନିବେଦନ

ବ୍ରହ୍ମବରଦା : ତାମିଲନାଡ଼ୁର ମଦୁରାଇର ଏକ ସୂତାକଳରେ ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଉ ୩ ଜଣ ଯୁବକ ଏବେ ବି ଫସି ରହିଛନ୍ତି। କମ୍ପାନି କର୍ତୃପକ୍ଷ ସେମାନଙ୍କୁ ନଜରବନ୍ଦୀରେ ରଖିଥିବା ବେଳେ ଘରକୁ ଛାଡ଼ୁନାହାନ୍ତି। ଏହି ଶ୍ରମିକମାନେ ହେଲେ ଝାଲପଡା ଗ୍ରାମର ଜୟିନ ମଲ୍ଲିକଙ୍କ ପୁଅ ଚନ୍ଦନ(୧୮), ଜ୍ୱାଇଁ ବିଦ୍ୟାଧର ଦାସ(୨୫), ବିଷ୍ଣୁ ଜେନାଙ୍କ ପୁଅ ସୀତାକାନ୍ତ(୨୪)। ସେମାନେ ସେଠାରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ପ୍ରକାଶ କରିଛନ୍ତି। ସେମାନଙ୍କୁ କାମ ଦିଆଯାଉନାହିଁ। ଗୋଟିଏ ରୁମ୍‌ରେ ରଖାଯାଇଛି ବୋଲି ଯୁବକମାନେ କହିଛନ୍ତି। କେବଳ ସେତିକି ନୁହେଁ ଆଗରୁ କରିଥିବା କାମର ମଜୁରି ଦିଆଯାଉ ନାହିଁ। ଏହି ଯୁବକମାନେ ଘରକୁ ଆସିବା କଥା କହିବାରୁ ତାଙ୍କୁ ବାରଣ କରାଯାଉଛି। ଏହାକୁ ନେଇ ପରିବାର ଲୋକେ ଆଶଙ୍କାରେ ରହିଛନ୍ତି। ପ୍ରଶାସନ ହସ୍ତକ୍ଷେକ୍ଷ କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ ଫେବ୍ରୁଆରି ୮ ତାରିଖରେ ଯାଜପୁରର ଠିକାଦାର ଦେବେନ୍ଦ୍ରନାଥ ଜେନା ଝାଲପଡା ଗ୍ରାମର ୭ ଜଣ ଦଳିତ ଯୁବକଙ୍କୁ ତାମିଲନାଡୁର ମଦୁରାଇ ଜିଲ୍ଲାରେ ଥିବା ବାନାଡିବାନ ନାମକ ଏକ ସୂତା କାରଖାନାରେ ଚାକିରି ଦେବାକୁ ସାଙ୍ଗରେ ନେଇଥିଲେ। ସେଠାରେ ସେମାନେ କାମ କରୁଥିଲେ। ଗତ ସପ୍ତାହରେ ଜଣେ ତାମିଲ ମହିଳା କର୍ମଚାରୀଙ୍କୁ ନେଇ ସେଠାରେ ଓଡିଆ ଶ୍ରମିକଙ୍କ ସହ ତାମିଲନାଡୁ ଶ୍ରମିକଙ୍କ ଗଣ୍ଡଗୋଳ ହୋଇଥିଲା। ପରେ ଘଟଣାର ସମାଧାନ ବି ହୋଇଥିଲା। ମାତ୍ର ୭ ତାରିଖ ସନ୍ଧ୍ୟାରେ ପ୍ରାୟ ୭୦ ଜଣ ତାମିଲ ଶ୍ରମିକ ଏକାଠି ହୋଇ ଓଡିଆ ଶ୍ରମିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ୩ ଜଣ ଓଡ଼ିଆ ଶ୍ରମିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲେ। ଆକ୍ରମଣରେ ଆହତ ହୋଇଥିବା ଅନ୍ୟ କେତେକ ଓଡ଼ିଆ ଶ୍ରମିକ ସେଠାରୁ କୌଶଳକ୍ରମେ ଖସି ଆସି ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ। ଆଜି ଅପରାହ୍ଣରେ ଜିଲ୍ଲା ଶ୍ରମ ଅଧିକାରୀ ଶିବଶଙ୍କର ମିଶ୍ର, ଇନ୍‌ସପେକ୍ଟର ଗୋପାଳକୃଷ୍ଣ ମଙ୍ଗରାଜ ଓ ଏସ୍‌ ଦେଓ ପ୍ରମୁଖ ମୃତ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଆସନ୍ତାକାଲି ଶ୍ରମ ଅଫିସର ଏକ ପ୍ରତିନିଧି ଦଳ ମଦୁରାଇ ଯାଇ ଘଟଣାର ଅନୁସନ୍ଧାନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର