ଝାଡ଼ଖଣ୍ତ ସୀମା ସିଲ୍‌ : ଅଟକି ରହିଲେ ୧୦୦୦ ଶ୍ରମିକ, ୪ ମାଲବାହୀ ଗାଡ଼ି ଅଟକ

ଝାଡ଼ଖଣ୍ତ କାରଖାନାରେ ଭୋକ ଉପାସରେ ୨୧ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ରାଉରକେଲା/ବୀରମିତ୍ରପୁର : କରୋନା ପାଇଁ ରାଜ୍ୟ ସୀମା ସିଲ୍‌ ହେବା ପରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିଛି। ଆଜି ଝାଡ଼ଖଣ୍ଡ ସୀମାରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ୧୦୦୦ରୁ ଅଧିକ ଶ୍ରମିକ ନିଜ ଘରକୁ ଫେରିବା ପାଇଁ ଏକଜୁଟ୍‌ ହୋଇଥିଲେ। ବୀରମିତ୍ରପୁର ପୌର ପ୍ରଶାସନ କେତେକ ଶ୍ରମିକଙ୍କୁ ପୁଣି ତାଙ୍କ କାରଖାନାକୁ ପଠାଇ ଦେଇଥିବା ବେଳେ ୭ଶହରୁ ଅଧିକ ଶ୍ରମିକଙ୍କୁ ସ୍ଥାନୀୟ ହାଇସ୍କୁଲ୍‌ରେ ରଖିଛନ୍ତି। ପ୍ରଶାସନ ସମସ୍ତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ରଖିବାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଏହି ଶ୍ରମିକଙ୍କୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ନେବା ପାଇଁ ଟଙ୍କା ନେଇଥିବା ୪ଟି ମାଲବାହୀ ଗାଡ଼ିକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ କଳକାରଖାନା କାମ କରୁଥିବା ଉତ୍ତରପ୍ରଦେଶ, ଝାଡଖଣ୍ତ ଓ ବିହାର ରାଜ୍ୟର ଏହି ୧୦୦୦ରୁ ଅଧିକ ଶ୍ରମିକ ଆଜି ସକାଳେ ବୀରମିତ୍ରପୁରସ୍ଥିତ ଝାଡ଼ଖଣ୍ତ ସୀମା ଚେକ୍‌ଗେଟ୍‌ ନିକଟରେ ଏକଜୁଟ୍‌ ହୋଇଥିବା ଦେଖିବାକୁ ମିଳିଥିଲା। ଅଧିକା˚ଶ ଶ୍ରମିକ ସେମାନଙ୍କ ପରିବାର ସହିତ ଥିଲେ। କେତେକ ଶ୍ରମିକ ଦୁଇଦିନ ହେଲା ବରଗଡ଼, ସମ୍ବଲପୁରରୁ ଚାଲି ଚାଲି ଆସିଥିବା କହିଥିଲେ। ଯାତ୍ରୀବାହୀ ବସ୍‌ ବନ୍ଦ ଥିବାରୁ ସେମାନେ ମାଲ୍‌ବାହୀ ଗାଡ଼ିରେ ଯିବା ପାଇଁ ଚେକ୍‌ଗେଟ୍‌ ନିକଟରେ ଅପେକ୍ଷା କରିଥିଲେ। ଏହି ଗେଟ୍‌ ଦେଇ ଯାଉଥିବା ୪ଟି ମାଲବାହୀ ଗାଡ଼ିରେ ପ୍ରାୟ ୪ଶହରୁ ଅଧିକ ଶ୍ରମିକ ଜଣପିଛା ୫ଶହ ଟଙ୍କା ଦେଇ ଯିବା ପାଇଁ ଗାଡ଼ି ଚାଳକଙ୍କୁ ଟଙ୍କା ଦେଇଥିବା କହିଛନ୍ତି।

ଏହି ଗାଡ଼ିଗୁଡ଼ିକରେ ଆଜି ଅଧିକା˚ଶ ଶ୍ରମିକ ଚାଲିଯାଇଥାନ୍ତେ, କିନ୍ତୁ ଝାଡ଼ଖଣ୍ତ ଭିତରକୁ ସ୍ଥାନୀୟ ପୁଲିସ କୌଣସି ମାଲବାହୀ ଗାଡିକୁ ନ ଛାଡିବାରୁ ସେମାନେ ଅଟକି ଯିବାକୁ ବାଧୢ ହୋଇଥିଲେ। ସୀମାରେ ଏତେ ସ˚ଖ୍ୟକ ଲୋକଙ୍କ ସମାଗମ ସମ୍ପର୍କରେ ଖବର ପାଇ ବୀରମିତ୍ରପୁର ପୌର ନିର୍ବାହୀ ଅଧିକାରୀ ଓ ନୋଡାଲ ଅଧିକାରୀଙ୍କ ସମେତ ଦାୟିତ୍ବରେ ଥିବା କର୍ମଚାରୀମାନେ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କଲୁଙ୍ଗା ସ୍ଥିତ ଗଣେଶ ରୋଲି˚ ମିଲ୍‌ରୁ ଚାଲି ଆସିଥିବା ୨୦ ଜଣ ଶ୍ରମିକଙ୍କୁ କାରଖାନା ମାଲିକଙ୍କୁ ଡକାଇ ପ୍ରଶାସନ ଫେରାଇ ଦେଇଥିଲା। ସେହିପରି ଜମୁନାଢିପା ସ୍ଥିତ କାରଖାନାରୁ ଚାଲି ଚାଲି ବୀରମିତ୍ରପୁର ସୀମାରେ ପହଞ୍ଚିଥିବା ଅନ୍ୟ ୬ ଜଣ ଶ୍ରମିକଙ୍କୁ ମଧୢ ପୁଣି ସେଠାକୁ ପଠାଇ ଦିଆଯାଇଛି। ଘରକୁ କିମ୍ବା କାରଖାନାକୁ ଫେରି ପାରୁନଥିବା ବାକି ପ୍ରାୟ ୭ଶହ ଶ୍ରମିକଙ୍କୁ ବସ୍‌ ଯୋଗେ ବୀରମିତ୍ରପୁର ବାଳକ ଓ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ରଖାଯାଇଛି। ସେମାନଙ୍କୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସରକାରୀ ନିର୍ଦ୍ଧାରିତ ସୁବିଧା ସୁଯୋଗ ଦିଆଯାଇ ରଖାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଝାଡ଼ଖଣ୍ତ କାରଖାନାରେ ଭୋକ ଉପାସରେ ୨୧ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ
ରାଉରକେଲା : ଲକ୍‌ଡାଉନ୍‌ ପାଇଁ ଝାଡ଼ଖଣ୍ତ ରାଜ୍ୟ ଷଢ଼େଇକଳାସ୍ଥିତ ଏକ କାରଖାନା ଭିତରେ ଓଡ଼ିଶାର ୨୧ ଶ୍ରମିକ ରହିଯାଇଛନ୍ତି। ଦୀର୍ଘ ୩ ଦିନ ହେଲା ସେମାନଙ୍କ ପାଖରେ ଖାଇବାକୁ ନଥିବା ବେଳେ କାରଖାନା ମାଲିକଙ୍କ ଦେଖା ନାହିଁ କି ସ୍ଥାନୀୟ ପ୍ରଶାସନ ସହାୟତାର ହାତ ବଢ଼ାଉନାହିଁ। ଶ୍ରମିକମାନେ ଘରକୁ ଫେରି ପାରୁନଥିବାରୁ ଉଦ୍ଧାର ପାଇଁ ‘ସମ୍ବାଦ’କୁ ଟେଲିଫୋନ କରି ଆକୁଳ ନିବେଦନ କରିଛନ୍ତି।

ଝାଡ଼ଖଣ୍ତ ଷଢ଼େଇକଳାସ୍ଥିତ ଜୟସ୍ବାଲ ଆଇରନ କାରଖାନାରେ ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଶ୍ରମିକଙ୍କ ସମେତ ଓଡ଼ିଶାର ୨୧ ଜଣ ଶ୍ରମିକ କାମ କରୁଛନ୍ତି। ଲକ୍‌ଡାଉନ୍‌ ପରେ ଏହି ଶ୍ରମିକମାନେ ଘରକୁ ଫେରି ନ ପାରି କାରଖାନା ଭିତରେ ରହି ଯାଇଥିଲେ। କାରଖାନା ବନ୍ଦ ହେବା ପରେ ମାଲିକ ଓ କର୍ମଚାରୀମାନେ ଆସୁନଥିବା ବେଳେ ସେମାନେ ଶ୍ରମିକଙ୍କ ମୋବାଇଲ୍‌ କଲ୍‌ ଉଠାଉନାହାନ୍ତି। ଶ୍ରମିକଙ୍କ ପାଖରେ ଥିବା ରାସନ ସାମଗ୍ରୀ ୩ ଦିନ ପୂର୍ବରୁ ଶେଷ ହୋଇଯିବାରୁ ସେମାନେ ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହୁଛନ୍ତି। କାରଖାନା ଭିତରେ ପଶ୍ଚିମବଙ୍ଗର କିଛି ଶ୍ରମିକ ମଧୢ ରହିଛନ୍ତି। ସେମାନେ ବାହାରକୁ ବାହାରିଲେ ପୁଲିସ ତାଗିଦ କରି ଭିତରକୁ ଫେରାଇ ଦେଉଛି। ଶ୍ରମିକଙ୍କୁ ସେମାନଙ୍କ ପାଉଣା ମିଳି ନଥିବାରୁ ରାସନ ସାମଗ୍ରୀ କିଣି ପାରୁନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଶ୍ରମିକ ଲମ୍ବୋଧର ମହାକୁଡ଼ ଓ ବିଶ୍ବର˚ଜନ ମହାକୁଡ଼ ତଥା ରଣପୁରର କୃପାସିନ୍ଧୁ ବେହେରା ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ‘ସମ୍ବାଦ’କୁ ମୋବାଇଲ୍‌ରେ ଜଣାଇବା ସହ ଓଡ଼ିଶା ସରକାର ସେମାନଙ୍କୁ ଉଦ୍ଧାର କରିବା କିମ୍ବା ରାସନ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର