କଟକ, (କୃଷ୍ଣପ୍ରସାଦ ଦାସ): କରୋନା ସଂକ୍ରମିତ ଜନିତ ମୃତ୍ୟୁ ଯେ କେତେ ଭୟଙ୍କର ଆଉ ହୃଦୟବିଦାରକ ହୋଇପାରେ, ତାହାର କଳ୍ପନା କରିବା ବି କଷ୍ଟ। ମୁମ୍ବାଇର ଏକ ନାମକରା ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ଜଣେ ଓଡ଼ିଆ ମହିଳା କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇବା ଘଟଣା ପୁଣି ଥରେ ଏହାର ପ୍ରମାଣ ଦେଇଛି। କିନ୍ତୁ ଏହି ସମୟରେ ମୃତ ଶିକ୍ଷୟିତ୍ରୀଙ୍କ ଇଂଜିନିୟର ସ୍ବାମୀ କଟକରେ ଫସି ରହିଥିବା ବେଳେ ମୁମ୍ବାଇ ଫ୍ଲାଟରେ ତାଙ୍କର ୧୩ ବର୍ଷର ଝିଅ ଏକୁଟିଆ ରହିବା ଘଟଣା ଏକଥା ଶୁଣୁଥିବା ଲୋକଙ୍କ ଆଖିରେ ଲୁହ ଆଣି ଦେଉଛି। ମହିଳାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ମରଶରୀରକୁ ଦେଖିବା ଅଥବା ଶେଷକୃତ୍ୟ କରିବା ବି ପରିବାର ଲୋକଙ୍କ ପାଇଁ ସମ୍ଭବ ହୋଇ ପାରି ନାହିଁ।

Advertisment

publive-image

ଘଟଣାଟି ଥିଲା ଏହିଭଳି। କଟକ ଜଗତପୁରରେ ରହୁଥିବା ୪୨ ମୌଜା ସରିଚୁଆଁ ଅଞ୍ଚଳର ଅବସରପ୍ରାପ୍ତ ରେଳବାଇ ଅଧିକାରୀ ସତ୍ୟନାରାୟଣ ମହାପାତ୍ର (୮୬) ଓ ବାସନ୍ତୀ ମହାପାତ୍ର (୭୬)ଙ୍କର ପରିବାର କହିଲେ ୨ ପୁଅ, ୨ ଝିଅ। ବଡ଼ ପୁଅ ପ୍ରଶାନ୍ତ ମହାପାତ୍ର ମୁମ୍ବାଇରେ ବୈଜ୍ଞାନିକ ଥିବା ବେଳେ ସାନପୁଅ ସୁଶାନ୍ତ ମହାପାତ୍ର ସେହି ମୁମ୍ବାଇରେ ଇଂଜିନିୟର ଭାବେ କାର୍ଯ୍ୟ କରନ୍ତି। ଗୋଟିଏ ଝିଅ ବନାରସ ହିନ୍ଦୁ ୟୁନିଭର୍ସିଟିରେ ପ୍ରଫେସର। କଟକରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅନ୍ୟ ଝିଅ ରାଜଲକ୍ଷ୍ମୀ ମହାପାତ୍ରଙ୍କ ସହିତ ସତ୍ୟନାରାୟଣ ଓ ବାସନ୍ତୀ ଜଗତପୁରରେ ରୁହନ୍ତି। ମାର୍ଚ୍ଚ ୧୩ ତାରିଖ ବେଳକୁ ବାସନ୍ତୀ ହଠାତ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାଙ୍କ ଅସୁସ୍ଥ ଖବର ଶୁଣି ମୁମ୍ବାଇରେ ରହୁଥିବା ଦୁଇ ପୁଅ ପ୍ରଶାନ୍ତ ଓ ସୁଶାନ୍ତ ଏବଂ ବନାରସରେ ରହୁଥିବା ଝିଅ କଟକ ଚାଲି ଆସିଥିଲେ। କିନ୍ତୁ ପରେପରେ କରୋନା ପାଇଁ ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇ ଯିବାରୁ ସେମାନେ ଆଉ ଫେରି ପାରି ନଥିଲେ। ପ୍ରଶାନ୍ତଙ୍କ ପରିବାର ମୁମ୍ବାଇରେ ଗୋଟିଏ ଜାଗାରେ ରହୁଥିବା ବେଳେ ସୁଶାନ୍ତଙ୍କ ପରିବାର ଖାଣ୍ଡେଶ୍ବରର ନିଉ ପାନଭେଲ୍ ଫ୍ଲାଟରେ ରୁହନ୍ତି। ଇଂଜିନିୟର ସୁଶାନ୍ତଙ୍କ ପରିବାର କହିଲେ ପତ୍ନୀ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର (୪୭) ଓ ଗୋଟିଏ ୧୩ ବ‌ର୍ଷର ଝିଅ। ସୁଶାନ୍ତ କଟକରୁ ଫେରି ପାରୁ ନଥିବା ବେଳେ ସୁଜାତା ଓ ତାଙ୍କ ଝିଅ ସେଠାରେ ରହିଥିଲେ। ବିଭିନ୍ନ ଆବଶ୍ୟକତା ପାଇଁ ସୁଜାତାଙ୍କୁ ବାହାରକୁ ଯିବାକୁ ପଡୁଥିଲା। ହଠାତ ମେ ୨୦ ତାରିଖ ବେଳକୁ ସୁଜାତା ଅସୁସ୍ଥତା ଅନୁଭବ କରିବାରୁ ସେଠାରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ତାଙ୍କର ସ୍ବାବ ପରୀକ୍ଷା ପାଇଁ ଯାଇଥିଲା। ମେ ୨୨ ତାରିଖରେ ସେ କରୋନା ସଂକ୍ରମିତ ବୋଲି ଜଣା ପଡିବା ପରେ ତାଙ୍କୁ ଏମଜିଏମ୍ ହସ୍ପିଟାଲକୁ ନେଇ କ୍ବାରାଣ୍ଟିନରେ ନେଇ ରଖା ଯାଇଥିଲା। ଫ୍ଲାଟ୍ ଅଞ୍ଚଳକୁ କଣ୍ଟେନମେଣ୍ଟ୍ କରି ଦିଆଯାଇଥିଲା। ଫଳରେ ତାଙ୍କର ଅନ୍ୟ ସଂପର୍କୀୟ ବି ୧୩ ବର୍ଷର ଝିଅକୁ ଭେଟି ପାରି ନଥିଲେ।

ଫ୍ଲାଟର ଅନ୍ୟ ପଡୋଶୀ ବି ତାଙ୍କୁ ସହାୟତା କରି ପାରି ନଥିବା ବେଳେ ୧୩ ବର୍ଷର ଝିଅ ଫ୍ଲାଟରେ ଏକୁଟିଆ ରହିଥିଲେ। କିନ୍ତୁ ସୁଜାତାଙ୍କୁ ଏମଜିଏମରେ ଠିକ ଚିକିତ୍ସା ସୁବିଧା ନ ମିଳିବାର ଅଭି‌ଯୋଗ ଆସିଥିଲା। ଏମିତିକୁ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲେ ବି ତାଙ୍କୁ ଅକ୍ସିଜେନ ମିଳି ନଥିଲା। ଏପଟେ କଟକରେ ଫସି ରହିଥିବା ଇଂଜିନିୟର ସୁଶାନ୍ତ ସହଜରେ ମୁମ୍ବାଇ ଫେରି ପାରୁ ନଥିଲେ। ଏଭଳି ସ୍ଥିତିରେ ତାଙ୍କର ସଂପର୍କୀୟ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କ ଉଦ୍ୟମରେ ସୁଜାତାଙ୍କୁ ୨୫ ତାରିଖରେ ମୁମ୍ବାଇର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। କିନ୍ତୁ ମେ ୨୭ ତାରିଖରେ ତାଙ୍କର ସେଠାରେ ପରଲୋକ ଘଟିଲା। ବିମାନ ସେବା ଆରମ୍ଭ ହେବା ପରେ ସୁଶାନ୍ତ ମେ ୨୫ ତାରିଖରେ ଭୁବନେଶ୍ବରରୁ ଦିଲ୍ଲୀ ବିମାନରେ ଯାଇ ୨୬ ତାରିଖରେ ସେଠାରୁ ମୁମ୍ବାଇରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ ତାଙ୍କୁ କ୍ବାରାଣ୍ଟିନରେ ରଖାଗଲା। ତାଙ୍କର ସ୍ବାବ ରିପୋର୍ଟକୁ ଅପେକ୍ଷା କରାଗଲା। ଦିନକ ପରେ ତାଙ୍କର ସ୍ବାବ ରିପୋର୍ଟ ନେଗେ‌ଟିଭ ଆସିବା ପରେ ତାଙ୍କୁ ହୋମ୍ କ୍ବାରାଣ୍ଟିନକୁ ପଠାଗଲା। କିନ୍ତୁ ସେତେବେଳକୁ ପତ୍ନୀ ସୁଜାତାଙ୍କର ପରଲୋକ ଘଟି ସାରିଥିଲା। ସୁଜାତଙ୍କୁ ଦେଖିବାର ସୁଯୋଗ ତାଙ୍କୁ ମିଳି ନଥିବା ବେଳେ ପଲିଥିନ ପ୍ୟାକରେ ଥିବା ତାଙ୍କ ମରଶରୀରର ଫଟୋକୁ କେବଳ ପ୍ରମାଣ ସ୍ବରୂପ ଦିଆଗଲା। ସୁଜାତାଙ୍କ ମୃତ୍ୟୁରେ ପୁରା ପରିବାର ଏବେ ମ୍ରିୟମାଣ। କଟକରେ ପୂର୍ବରୁ ଶଯ୍ୟାଶାୟୀ ଥିବା ସତ୍ୟନାରାୟଣ ଓ ବାସନ୍ତୀଙ୍କ ଅବସ୍ଥା ବି ଏଠି ଗୁରୁତର। କେହି କାହା ପାଖରେ ସହଜରେ ପହଞ୍ଚିବା ଏବେ ବି ଅସମ୍ଭବ।