ଭୁବନେଶ୍ୱର : ଓଡ଼ିଆ ଭାଷାକୁ କମ୍ପ୍ୟୁଟର ଅନୁକୂଳ କରି ଏହାର ବହୁଳ ବ୍ୟବହାରକୁ ସହଜ, ସୁଗମ କରାଯିବ। ପ୍ରଥମ ପର୍ଯ୍ୟାୟରେ ସାରଳା ଦାସଙ୍କଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ସମସ୍ତ ସତ୍ୱାଧିକାରମୁକ୍ତ କୃତିକୁ ଡିଜିଟାଇଜ୍ କରାଯିବ। ଏକ ସରଳ, ସାର୍ବଜନୀନ କି ବୋର୍ଡ, ଓଡ଼ିଆ ଭାଷା ବର୍ଣ୍ଣମାଳାର ୟୁନିକୋଡ୍ ଫଣ୍ଟ, ବ୍ୟାକରଣ, ବନାନ ଯାଞ୍ଚ ପାଇଁ ସଫ୍ଟେଓ୍ଵର ଆଦି ପ୍ରସ୍ତୁତ କରିବା ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଉନ୍ନୟନ କମିସନର ଆର.ବାଳକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟନ୍ଵୟନ କମିଟି ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଦେଇ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର ବହିର ତାଲିକା ସଂଗୃହୀତ ହୋଇଥିବା ଓଡ଼ିଆ ଭର୍ଚୁଆଲ୍ ଏକାଡେମିର ସ୍ୱତନ୍ତ୍ର ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ। ଓଡ଼ିଆ ଡିଜିଟାଇଜ୍ ଭାଷା ଭଣ୍ଡାରରେ ଅନୁସନ୍ଧାନ(ସର୍ଚ) ଏବଂ ସଂପାଦନା(ଏଡିଟିଂ) ଆଦିର ସୁବିଧା ସୃଷ୍ଟି ପାଇଁ ଶ୍ରୀ ବାଳକ୍ରିଷ୍ଣନ କହିଥିଲେ। ସେହିପରି ଭାଷାର ବିକାଶ ପାଇଁ ଶବ୍ଦ ଭଣ୍ଡାର ଏବଂ ବ୍ୟାକରଣର ଆବଶ୍ୟକତା ଉପରେ ଗୁରୁତ୍ୱରୋପ କରି ଶବ୍ଦକୋଷ, ଜ୍ଞାନକୋଷ ଏବଂ ବ୍ୟାକରଣ ପ୍ରସ୍ତୁତ କରିବାକୁ ସେ ନିର୍ଦେଶ ଦେଇଥିଲେ। ଓଡ଼ିଆ ଭାଷାରେ ଏକ ଡିଜିଟାଇଜ୍ ପାଠାଗାର ପ୍ରତିଷ୍ଠା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ସେପ୍ଟେମ୍ବର ସୁଦ୍ଧା ଏ ସମସ୍ତ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏ ନେଇ ସାତ ଦିନ ମଧ୍ୟରେ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ସରକାରଙ୍କୁ ଅନୁମୋଦନ ନିମନ୍ତେ ଶ୍ରୀ ବାଳକ୍ରିଷ୍ଣନ ଓକାକ୍, ସି-ଡାକ୍ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।