ଭୁବନେଶ୍ବର ଏମ୍‌ସରେ ଓଡ଼ିଆ ଭାଷା ମନା : କର୍ମଚାରୀ ଓ ରୋଗୀ ଅଧିକ ହିନ୍ଦୀ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ

ନିର୍ଦ୍ଦେଶନାମାକୁ ନେଇ ଆପତ୍ତି ଉଠାଇଲେ ସାଂସଦ ପିନାକୀ ମିଶ୍ର
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟରେ ପ୍ରତିବାଦ ଜଣାଇବ ବିଜେଡି

ଭୁବନେଶ୍ବର : ଓଡ଼ିଶା ମାଟିରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ଅନୁଷ୍ଠାନ। ଓଡ଼ିଆ ଲୋକଙ୍କ ପାଇଁ ସେବା ଯୋଗାଇବାକୁ ରାଜ୍ୟ ସରକାର ଜମି ଓ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି। କିନ୍ତୁ ସେସବୁ କେନ୍ଦ୍ରୀୟ ଅନୁଷ୍ଠାନରେ ଓଡ଼ିଆ ଭାଷାରେ କିଛି ବି କାର୍ଯ୍ୟ ହେବନି। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲେ ବି ଏପରି ଗୌରବକୁ କେନ୍ଦ୍ରୀୟ ଅନୁଷ୍ଠାନ କର୍ତ୍ତୃପକ୍ଷ ଏକ ପ୍ରକାର ହତାଦର କରିବାକୁ ପଛାଉ ନାହାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଛି, ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)। ଇଂରାଜୀ ବ୍ୟତୀତ ହିନ୍ଦୀ ଭାଷାକୁ ମେଡିକାଲ କାର୍ଯ୍ୟାଳୟରେ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ କର୍ମଚାରୀମାନଙ୍କ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ସରକାରୀ ଭାଷା ଅଧିନିୟମ ୧୯୭୬ ଅନୁଯାୟୀ, ଏଣିକି ମେଡିକାଲ କର୍ମଚାରୀମାନେ ହିନ୍ଦୀ ଭାଷାରେ ଚିଠି ପ୍ରସ୍ତୁତ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯାହାକୁ ନେଇ ବିଜେଡିର ପୁରୀ ସାଂସଦ ତଥା ଦଳର ସଂସଦୀୟ ଦଳ ନେତା (ଲୋକସଭା) ପିନାକୀ ମିଶ୍ର ଘୋର ଆପତ୍ତି ଉଠାଇଛନ୍ତି। ଓଡ଼ିଶାର ଲୋକଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଷ୍ଠା ହୋଇଥିବା ଏମ୍‌ସରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ଖୁବଶୀଘ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଗତକାଲି ଏମ୍‌ସର ଉପନିର୍ଦ୍ଦେଶକ (ପ୍ରଶାସନ) ପି.କେ ରାୟଙ୍କ ହସ୍ତାକ୍ଷରରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ନମ୍ବର ୫୮୭୩ ଅନୁଯାୟୀ, ମେଡିକାଲର ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବା ସହ ସବୁ ଫାଇଲପତ୍ରରେ ହିନ୍ଦୀ ଭାଷାରେ ଲେଖିବେ। ରୋଗୀସେବା ପାଇଁ ବ୍ୟବହାର ହେଉଥିବା ରେଜିଷ୍ଟାର୍‌ଗୁଡ଼ିକର ହିନ୍ଦୀରେ ନାମକରଣ କରିବା ସହ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପ୍ରବେଶିକା ଫର୍ମକୁ ବି ହିନ୍ଦୀରେ ଲେଖାଯିବ। ସେହିପରି ପ୍ରଶାସନିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିବା ନୋଟ୍‌ସିଟ୍‌ରେ ଅନ୍ତତଃ ୩୦% ହିନ୍ଦୀରେ ଲେଖାହେବ। ୫୫% ଚିଠିପତ୍ର ହିନ୍ଦୀରେ ଲେଖାହେବ। ହିନ୍ଦୀ ଓ ଇଂରାଜୀ ଭାଷା ସମ୍ବଳିତ ଫର୍ମଗୁଡ଼ିକରେ ହିନ୍ଦୀରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିନ୍ଦୀ ଭାଷାରେ ଲେଖାହୋଇ ଆସିଥିବା ଚିଠି ପାଇଁ କେବଳ ହିନ୍ଦୀ ଭାଷାରେ ହିଁ ଉତ୍ତର ଲେଖାହେବ। ଏପରିକି ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ବୈଠକରେ ହିନ୍ଦୀରେ ଆଲୋଚନା କରିବା ସହ ଏହାର ମିନିଟ୍‌ସ୍‌ ମଧ୍ୟ ହିନ୍ଦୀରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଜୁ ଜନତା ଦଳ ସାଂସଦ ଶ୍ରୀ ମିଶ୍ର କହିଛନ୍ତି, ମାତୃଭାଷା ଓଡ଼ିଆକୁ ଏପରି ଅଣଦେଖା କରିଥିବା ଭୁବେନଶ୍ବର ଏମ୍‌ସ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଆଦୌ ବରଦାସ୍ତ କରାଯିବନି। ଏହି ନିର୍ଦ୍ଦେଶନାମାକୁ ବଦଳାଇବାକୁ ନେଇ କେନ୍ଦ୍ର ସରକାରଙ୍କ ଆଗରେ ଦୃଢ଼ ଦାବି ରଖାଯିବ। ଯେହେତୁ ଓଡ଼ିଶାର ଲୋକମାନେ ନିଜ ମାତୃଭାଷାରେ ଅଭ୍ୟସ୍ତ ଓ ପରିଚିତ; ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ରୋଗୀ ଓ କର୍ମଚାରୀଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନରେ ବାଧା ସୃଷ୍ଟି କରିବ ବୋଲି ଦର୍ଶାଇ ଶ୍ରୀ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର