ପାତ୍ରପୁର: ଓଡ଼ିଆ ଅସ୍ମିତାକୁ ସଂପ୍ରତି ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଅଭିଯାନ ଭାବେ ଗ୍ରହଣ କରିଛନ୍ତି। ହେଲେ ଆନ୍ଧ୍ର ସୀମାନ୍ତ ଛାତ୍ରଛାତ୍ରୀଙ୍କ ଦୁଃଖ ସରୁନି। ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବରୁ ପାତ୍ରପୁର ବ୍ଲକ୍ର ବିଭିନ୍ନ ଗ୍ରାମର ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ବି ସୀମାନ୍ତ ଆନ୍ଧ୍ରର ବିଦ୍ୟାଳୟମାନଙ୍କରେ ନାମ ଲେଖାଇଛନ୍ତି। ତେଲୁଗୁକୁ ଆପଣାଇ ଓଡ଼ିଶା ଛାତ୍ରଛାତ୍ରୀ ଓଡ଼ିଆ ଭାଷା ପ୍ରତି ବିମୁଖ ହେଲେଣି। ଅନ୍ୟପଟେ ତେଲୁଗୁ ଭାଷାଭାଷୀବହୁଳ ଗ୍ରାମଗୁଡ଼ିକରେ ବର୍ତ୍ତମାନ ତେଲୁଗୁ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ତେଲୁଗୁ ବହି ଓ ଶିକ୍ଷକ ଅଭାବରୁ ବନ୍ଦ ହୋଇଗଲାଣି।
ଆନ୍ଧ୍ର ସୀମାନ୍ତରେ ରହିଥିବା ପାତ୍ରପୁର ବ୍ଲକ୍ ଅଧୀନ ଗୁଡ଼ିପଦର, ବଳରାମପୁର, ଜୟନ୍ତିପୁର, ଚିଡ଼ିପୁଡ଼ି, କେଶରୀପଡ଼ା, ଭେଜିପଦର, ବି.ନୂଆଗାଁ, ଜୟପୁର, ଟି.ବ୍ରହ୍ମପୁର, ଏ.ଶରଧାପୁର, ବି.ଶରଧାପୁର, ସି.ଶରଧାପୁର, ଖମ୍ବାରିଗାଁ, ହଳଦିଆପଦର, ସାମନ୍ତିଆପଲ୍ଲୀ, ଚୁଡ଼ିଆଲାଞ୍ଜି, ଖଣ୍ତଦେଉଳି, ପାତ୍ରପୁର, ବଣସୋଳା, ଭୀମପୁର, ସୁନାରେଡ଼ି, ବରଙ୍ଗ, ପାର୍ବତୀପୁର, ଲଙ୍କା, ସନ୍ତୋଷପୁର, ଗୋପାଳପଲ୍ଲୀ, ଲାଲକମାଗାଁ, ବାବାନପୁର, ଜଗନ୍ନାଥପୁର, ଅନ୍ତରସିଙ୍ଗି ଓ ବୋରିବାଡ଼ ପ୍ରମୁଖ ତେଲୁଗୁ ଭାଷାଭାଷୀ ଗ୍ରାମରୁ ପ୍ରାୟ ଦୁଇହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥର ଆନ୍ଧ୍ର ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା, କେବଳ ଜୟନ୍ତିପୁର ନିକଟ ଆନ୍ଧ୍ରଶାସନ ଗ୍ରାମରେ ଥିବା ଗୋଟିଏ ବିଦ୍ୟାଳୟରେ ୭୦୦ରୁ ଅଧିକ ପିଲା ପଢ଼ୁଛନ୍ତି। ଉକ୍ତ ବିଦ୍ୟାଳୟରେ ଆନ୍ଧ୍ରର ମାତ୍ର ୧୦୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଫଳରେ ମୋଟାମୋଟି ଭାବେ କହିବାକୁ ଗଲେ, କେବଳ ଓଡ଼ିଶା ପିଲାଙ୍କ ପାଇଁ ଏହି ବିଦ୍ୟାଳୟ ଚାଲିଛି।
ପାତ୍ରପୁର ବ୍ଲକ୍ ଅଧୀନ ଅଧିକାଂଶ ଗ୍ରାମ ତେଲୁଗୁ ଭାଷାଭାଷୀ ଅଧ୍ୟୁଷିତ ହୋଇଥିବାରୁ ବିଦ୍ୟାଳୟଗୁଡ଼ିକରେ ଉଭୟ ତେଲୁଗୁ ଓ ଓଡ଼ିଆ ଶିକ୍ଷାଦାନ ବ୍ୟବସ୍ଥା ହୋଇଛି। କିନ୍ତୁ କିଛି ବିଦ୍ୟାଳୟକୁ ଓଡ଼ିଶା ସରକାର ବ୍ୟବସ୍ଥିତ ଢଙ୍ଗରେ ତେଲୁଗୁ ବହି ଯୋଗାଇପାରୁ ନଥିବା ସହ ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଏପରିକି ଉପସ୍ଥାନ କାରଣରୁ ଏହାମଧ୍ୟରେ କିଛି ବିଦ୍ୟାଳୟ ବନ୍ଦ ହୋଇସାରିଛି। ଯାହାର ଫାଇଦା ଆନ୍ଧ୍ର ସରକାର ଉଠାଉଛନ୍ତି। ଅନ୍ୟପଟେ ଓଡ଼ିଆ ଭାଷା ଉଜୁଡ଼ିବାକୁ ବସିଛି। ଓଡ଼ିଶା ସରକାର ଉପଯୁକ୍ତ ପଦକ୍ଷେପ ନନେଲେ ସୀମାନ୍ତରେ ଓଡ଼ିଆ ଭାଷା ନିଜର ସଂପୂର୍ଣ୍ଣ ସତ୍ତା ହରାଇବ ବୋଲି ପାତ୍ରପୁରର ବୁଦ୍ଧିଜୀବୀ ମତ ଦେଇଛନ୍ତି।