ଭୁବନେଶ୍ବର: ସାହିତ୍ୟ, ଚିତ୍ରକଳା ବା ନାଟକ ଭଳି କୌଣସି କଳାତ୍ମକ ସୃଷ୍ଟିର ସଫଳତାକୁ ମାପିବାଲାଗି ଥିବା ବିଭିନ୍ନ ମାନକ ଭିତରେ ମନୋରଂଜନ ତ ଥାଏ, କିନ୍ତୁ ଶୀର୍ଷରେ ରହେ ପ୍ରଭାବ। ଏ ପ୍ରଭାବ ପାଠକ ବା ଦର୍ଶକକୁ କିଛିକଥା ଭାବିବାଲାଗି ବାଧ୍ୟକରେ। ଭାବନାକୁ ଖୋରାକ ଯୋଗାଇବାଭଳି କଳା ସୃଷ୍ଟି ସହଜ ନୁହେଁ। ତା’ର ପ୍ରଥମ ଆବଶ୍ୟକତା ହେଉଛି, ପରିସ୍ଥିତିର ନିଚ୍ଛକ ଚିତ୍ରଣ, ଯେମିତିକି ତା’ଭିତରେ ପାଠକ ବା ଦର୍ଶକ ନିଜକୁ ଦେଖି ପାରିବ, ଇତିହାସ ସମେତ ଦେଖିପାରିବ ଆଗରେ ଥିବା ଭବିଷ୍ୟତକୁ। ଏ ଭବିଷ୍ୟତକୁ ସାମ୍ନା କରିବାବେଳେ ସେ ଖୁସି ହୋଇ ପାରିବିତ? ଯଦି ନୁହେଁ, ତେବେ ତା’କୁ ବଦଳାଇବା ଉଚିତ କି? ତା’କୁ ବଦଳାଇବା ସମ୍ଭବ କି? - ଏମିତି ପ୍ରଶ୍ନ ଯଦି କୌଣସି କଳାତ୍ମକ ସୃଷ୍ଟି ତିଆରି ପାରିଲା, ତା’କୁ ସଫଳ କୁହାଯିବ। ସେ ଦୃଷ୍ଟିରୁ ଚକଲେଟ୍ ପ୍ରଡକସନ୍ସର ଦ୍ବିତୀୟ ଅବଦାନ ଭାବେ ଆଜି ରବୀନ୍ଦ୍ର ମଣ୍ଡପରେ ପରିବେଷିତ ନାଟକ ‘ଓଡ଼ିଆ ଦାସ’କୁ ନିଶ୍ଚିତ ଭାବେ ସଫଳ କୁହାଯିବ।
‘ଓଡ଼ିଆ ଦାସ’ ନାଟକର କେନ୍ଦ୍ରରେ ଅଛି ଓଡ଼ିଆ ଭାଷା। ବର୍ତ୍ତମାନ ସମୟରେ ହିଁ ବଞ୍ଚିବାଲାଗି ଏ ଭାଷାକୁ ସଂଘର୍ଷ କରିବାକୁ ପଡୁଛି। ମନେ ହେଉଛି, ଏହି ଗୌରବମୟ ପ୍ରାଚୀନ ଶାସ୍ତ୍ରୀୟ ଭାଷା ଏବେ ଅନ୍ତିମ ନିଶ୍ବାସ ନେଉଛି। ଆଉ ୨୦୦ ବର୍ଷ ପରେ ଓଡ଼ିଆ ଭାଷାର ସ୍ଥିତି କ’ଣ ହୋଇଥିବ, ଆପଣ କେବେ ଚିନ୍ତା କରିଛନ୍ତି? ‘ଓଡ଼ିଆ ଦାସ’ ନାଟକର ମୁଖ୍ୟ ଚରିତ୍ର ସେଇଠି ଠିଆ ହୋଇଛି, ଯେତେବେଳେ ତା’ ବ୍ୟତୀତ ଓଡ଼ିଆ ଭାଷା କହୁଥିବା ବା ଜାଣି ନଥିବା ଦ୍ବିତୀୟ ଲୋକ ଏ ପୃଥିବୀରେ ନାହିଁ। ଓଡ଼ିଆ କହୁଥିବା ସେହି ଅନ୍ତିମ ମଣିଷଟି ମାତୃଭାଷାର ଅସ୍ତିତ୍ବ ପାଇଁ ଯେଉଁ ଲଢ଼େଇ କରୁଛି, ତା’ର ଚିତ୍ର ରହିଛି ଏ ନାଟକରେ। ସେଥିରେ ଭାଷାକୁ ନେଇ ତା’ର ଗର୍ବ, ଭଲ ପାଇବା, ତ୍ୟାଗ ସହିତ ଦୁଃଖ ଓ ଗ୍ଳାନି ଅତି ଚମତ୍କାର ଭାବେ ଚିତ୍ରିତ ହୋଇଛି।
ସେହି ଶୀର୍ଷକ ଚରିତ୍ର ଓଡ଼ିଆ ଦାସରେ ଅଭିନୟ କରିଛନ୍ତି ରବି ନାରାୟଣ ତ୍ରିପାଠୀ। ତାଙ୍କ ପତ୍ନୀ ଅଜନ୍ତା ଭୂମିକାରେ ଅଛନ୍ତି ମମତା ତ୍ରିପାଠୀ। ଦୁହିଁଙ୍କ ଅଭିନୟରେ ସେମାନଙ୍କର ଲମ୍ବା ମଞ୍ଚ ଅଭିଜ୍ଞତାର ସ୍ପଷ୍ଟ ଝଲକ୍ ଦେଖିବାକୁ ମିଳିଥିଲା। ସେହିପରି ସମୟ ଭୂମିକାରେ କୈଳାସ ପାଣିଗ୍ରାହୀଙ୍କ ଅଭିନୟ ମଧ୍ୟ ଚମତ୍କାର ହୋଇଛି। ନାଟକରେ ଅନ୍ୟ ଚରିତ୍ରଗୁଡ଼ିକରେ ବୁଲୁ ପଣ୍ଡା, ମନୋଜ ମହାପାତ୍ର, ବିଶ୍ୱରଂଜନ ମହାପାତ୍ର, ରାଜଲକ୍ଷ୍ମୀ ଦାସ, ସହସ୍ରାକ୍ଷ ରଥ, ରାଜେଶ ମହାନ୍ତି ଓ ସୁନୀଲ କୁମାର ପଟ୍ଟନାୟକଙ୍କ ଭଳି ପ୍ରବୀଣ ଓ ନବୀନ କଳାକାରମାନେ ଖୁବ୍ ଭଲ ଅଭିନୟ କରିଛନ୍ତି। ଅଭିଜ୍ଞ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ପରିକଳ୍ପିତ ଭବିଷ୍ୟ ଆଧାରିତ ଏ ନାଟକର ଚମତ୍କାର ନିର୍ଦ୍ଦେଶନା ଦେଇଛନ୍ତି ଦର୍ପ ନାରାୟଣ ସେଠୀ। ଏମିତି ପ୍ରସଙ୍ଗକୁ ନାଟକରେ ରୂପାନ୍ତରିତ କରିବା ଓ ନିର୍ଦ୍ଦେଶନା ଦେବା ସହଜ ନଥିବ ନିଶ୍ଚୟ! ନାଟକରେ ସୌମିତ୍ରୀ ପଲାଇଙ୍କ ସଙ୍ଗୀତ ନିଦ୍ଦେର୍ଶନାରେ ଜଣାଶୁଣା ଗାୟକ ଅନନ୍ୟା ଶ୍ରୀତମ ନନ୍ଦ, ଅଭିଜିତ ମିଶ୍ର, ଶଶାଙ୍କ ଶେଖର ଓ ସୌରଭ ଭରଦ୍ବାଜ କଣ୍ଠଦାନ କରିଛନ୍ତି। ଗୀତଗୁଡ଼ିକ ରଚନା କରିଛନ୍ତି ଗୀତିକାର ଗୁରୁ ଶତପଥୀ। ସେହିପରି ପାର୍ଶ୍ବସଂଗୀତ ପରିଚାଳନା ଦାୟିତ୍ବରେ ଅଛନ୍ତି ଆଶିଷ। ସଙ୍ଗୀତ ଏହାର ଅନ୍ୟତମ ଆକର୍ଷଣ, ଏଥିରେ ସନ୍ଦେହ ନାହିଁ। ସନ୍ତୋଷ ବାରିକ ସହ-ନିର୍ଦ୍ଦେଶକ ଥିବାବେଳେ, ସୁବାସ ସାହୁ ମଞ୍ଚସଜ୍ଜା ଓ କଳା ନିର୍ଦ୍ଦେଶନା ତଥା ବିକାଶ ଆଲୋକ ସଂଯୋଜନା କରିଛନ୍ତି। ‘ଓଡ଼ିଆ ଦାସ’ର ଆଲୋକ ସଂଯୋଜନା ଚମତ୍କାର ପର୍ଯ୍ୟାୟର ବୋଲି ସବୁ ଦର୍ଶକ ଏକମତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚକଲେଟ୍ ପ୍ରଡକସନ୍ସର ପ୍ରଥମ ପ୍ରୟାସ ‘ଆହେ ନୀଳଶଇଳ’ ଅପାର ସଫଳତା ପାଇଥିଲା। ନାଟକଟି ଭୁବନେଶ୍ବର ସମେତ ରାଜ୍ୟ ବାହାରେ ପ୍ରଦର୍ଶିତ ହୋଇ ଖୁବ୍ ପ୍ରଶଂସିତ ହୋଇଥିଲା। ରବୀନ୍ଦ୍ର ମଣ୍ଡପରେ ‘ଓଡ଼ିଆ ଦାସ’ର ଆଜି ଦୁଇଟି ସୋ’ ଥିଲା। ଆସନ୍ତା କାଲି ମଧ୍ୟ ପ୍ରଥମ ସୋ’ ସନ୍ଧ୍ୟା ୬ଟାରେ ଓ ଦ୍ୱିତୀୟ ସୋ’ ରାତି ୮ଟାରେ ହେବ। ସେଥିପାଇଁ ‘ବୁକ୍ ମାଇଁ ସୋ’ ଜରିଆରେ ଅନଲାଇନ୍ରେ ଅଗ୍ରିମ ଟିକେଟ୍ ବୁକିଂର ସୁବିଧା ଥିବାବେଳେ ଅଫଲାଇନ୍ ମାଧ୍ୟମରେ ଟିକେଟ୍ ଉପଲବ୍ଧ। ‘ଓଡ଼ିଆ ଦାସ’କୁ ନେଇ ଆଜି ରାଜଧାନୀର ବୁଦ୍ଧିଜୀବୀ ଓ ସାଧାରଣ ଦର୍ଶକଙ୍କ ଭିତରେ ନାହିଁ ନଥିବା ଆଗ୍ରହ ଦେଖା ଯାଇଥିଲା। ଅନେକ ଲୋକ ଅନ୍ଲାଇନ୍ରେ ବୁକିଂ କରିଥିବାବେଳେ ଆହୁରି ଅନେକ ଧାଡ଼ିବାନ୍ଧି ଟିକେଟ୍ କିଣିଥିଲେ। ନାଟକ ଚାଲିବା ଭିତରେ ଓଡ଼ିଶାର ଗୌରବମୟ ଇତିହାସ ଓ ଓଡ଼ିଆ ଭାଷାକୁ ନେଇ ଥିବା ସଂଳାପ ସମୟରେ ତାଳିମାଡ଼ରେ ପ୍ରେକ୍ଷାଳୟ ଥରକୁ ଥର ପୂରି ଉଠିଥିଲା। ପାଖାପାଖି ଏକ ବିୟୋଗାନ୍ତ ନାଟକ ଭଳି ମନେ ହେଉଥିଲେ ହେଁ ‘ଓଡ଼ିଆ ଦାସ’ ଶେଷରେ ଏକ ଆଶାବାଦର କଥା କହିଛି।
ନାଟକର ଶେଷ ଆଡ଼କୁ ଥିବା ଏକ ଦୃଶ୍ୟରେ ଗୋଟିଏ ଚରିତ୍ର ଓଡ଼ିଆ ଦାସକୁ ହିନ୍ଦୀରେ ପଚାରିଛି, ‘‘ଓଡ଼ିଆ ଭାଷା ମରିଗଲା କେମିତି?’’ ତା’ର ଉତ୍ତରରେ ଚିତ୍କାର କରି ସେଇ ଓଡ଼ିଆପ୍ରେମୀଟି କହିଛି, ‘ଓଡ଼ିଆ ଭାଷା ମରିନି, ଆହୁରି ୭୨ ଘଣ୍ଟା ବାକି ଅଛି...’। ଏଇ ୭୨ ଘଣ୍ଟା ପ୍ରକୃତରେ କେତେ ଓ ସେଇ ସମୟକୁ ଆମେ କେମିତି ଉପଯୋଗ କରିବା ଉଚିତ- ହଲ୍ରୁ ବାହାରୁଥିବା ପ୍ରତିଟି ଦର୍ଶକ ନିଶ୍ଚିତ ଭାବେ ନିଜକୁ ପଚାରିଥିବେ।