ଭୁବନେଶ୍ବର: ୧୯୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେହି ସମୟରେ ଏକ ଭୁଲ୍ ନିଷ୍ପତ୍ତି ପାଇଁ ଓଡ଼ିଆ ଭାଷାଭାଷୀ ଲୋକ ଓଡ଼ିଶା ସୀମାରେଖା ବାହାରକୁ ଚାଲିଗଲେ। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୩୦ରୁ ଅଧିକ ଜିଲ୍ଲାରେ ପ୍ରାୟ ୨କୋଟିରୁ ଅଧିକ ଓଡ଼ିଆ ଲୋକ ବାସ କରୁଛନ୍ତି। ଆଜି ଓଡ଼ିଶା ବାହାରେ ଆଉ ଏକ ଓଡ଼ିଶା ରହିଛି। ଯେଉଁମାନେ ନା ଓଡ଼ିଶା ସହ ମିଶି ପାରୁଛନ୍ତି ନା ବର୍ତ୍ତମାନ ଥିବା ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତିରେ ନିଜକୁ ସାମିଲ କରିପାରୁଛନ୍ତି। ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ଆନ୍ତରିକତାହୀନ ମାନସିକତା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଦୁର୍ବଳ କରିଦେଉଛି।
ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ମାରିବାକୁ ଉଦ୍ୟମ କରୁଛନ୍ତି
ଖରସୁଆଁରେ ଗୁଳିକାଣ୍ଡ ପରେ ୧୯୪୮ ମସିହା ଜାନୁଆରି ୧ରେ ଓଡ଼ିଶାରୁ ଅଲଗା ହୋଇ ବିହାରରେ ରହିଲା ଷଢ଼େଇକଳା-ଖରସୁଆଁ। ୧୫ ନଭେମ୍ବର ୨୦୦୦ ମସିହାରେ ପୁଣି ଝାଡ଼ଖଣ୍ଡରେ ମିଶିଲା। ଦୁଃଖର କଥା ଝାଡ଼ଖଣ୍ଡ ସରକାର ଧୀରେ ଧୀରେ ଓଡ଼ିଆ ଭାଷାକୁ ମାରିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଆ ବିଦ୍ୟାଳୟକୁ ହିନ୍ଦୀ ବିଦ୍ୟାଳୟରେ ରୂପାନ୍ତରୀକରଣ କରାଯାଉଛି। ଉତ୍କଳ ସମ୍ମିଳନୀ ପକ୍ଷରୁ ଅଳ୍ପ କିଛି ସ୍ଥାନରେ ଓଡ଼ିଆ ଶିକ୍ଷକ ଦିଆଯାଉଛି। ପାଠ୍ୟପୁସ୍ତକ ନମିଳିବାରୁ ଅଧିକାଂଶ ସ୍ଥାନରେ ପୁରୁଣା ବହିକୁ ଜେରକ୍ସ କରି ପାଠ ପଢ଼ା ହେଉଛି। ବହି ନଥିବାରୁ ଆଗାମୀ ପିଢ଼ି ଓଡ଼ିଆ ପଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଓଡ଼ିଆ ନେଉଥିବା ପିଲାଙ୍କର ମାର୍କ ହିନ୍ଦୀ ବା ବଙ୍ଗଳା ପିଲାଙ୍କ ତୁଳନାରେ କମ୍ ଦିଆଯାଉଛି। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ବିଦ୍ୟାର୍ଥୀ ଓଡ଼ିଆ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। -ସପନ କୁମାର ମଣ୍ଡଲ, ଚିଲକୁ, ଖରସୁଆଁ, ଝାଡ଼ଖଣ୍ଡ
ପୁଣି ଥରେ ଓଡ଼ିଶାର ଜନତା କହିବାର ସୁଯୋଗ ଦିଅନ୍ତୁ
ମୋ ଘର ପାଖରେ ୧୯୪୦ ମସିହାରୁ ଓଡ଼ିଆ ବିଦ୍ୟାଳୟ ଅଛି। ମୁଁ ୧୯୭୩ ମସିହାରେ ସେହି ବିଦ୍ୟାଳୟରୁ ପାସ୍ କରିଥିଲି। ସବୁ କିଛି ଓଡ଼ିଆରେ ପଢ଼ା ହେଉଥିଲା। କିନ୍ତୁ ଏବେ ଓଡ଼ିଆ କେବଳ ଇଚ୍ଛାଧୀନ ବିଷୟ ରହିଛି। ବାକି ସମସ୍ତ ବିଷୟ ହିନ୍ଦୀ ଭାଷାରେ ପଢ଼ା ହେଛଛି। ଓଡ଼ିଶାରେ ୫ ବର୍ଷ ତଳେ ବଦଳି ଯାଇଥିବା ପୁସ୍ତକ ଏବେ ଏଠି ପଢ଼ାଯାଉଛି। ସରକାର ଠିକ୍ ସମୟରେ ବହି ଦେଉନାହାନ୍ତି। ଓଡ଼ିଆ ଉପନ୍ୟାସ, ଖବରକାଗଜ ବି ମିଳୁନାହିଁ। ମଝିରେ ମଝିରେ ବର୍ଣ୍ଣବୋଧ ଓ ଲକ୍ଷ୍ମୀପୁରାଣ ବାଣ୍ଟି ଦେଇ ବୋଧ ହୁଏ ଓଡ଼ିଶା ସରକାର କାମ ସାରି ଦେଉଛନ୍ତି। ଝାଡ଼ଖଣ୍ଡରେ ରହି ମଧ୍ୟ ଓଡ଼ିଆମାନେ ଓଡ଼ିଶାକୁ ଭୁଲି ନାହାନ୍ତି। କିନ୍ତୁ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳରେ ଦୁଃଖ ଯନ୍ତ୍ରଣାରେ କାଳ କାଟୁଥିବା ଓଡ଼ିଆଙ୍କୁ ଭୁଲି ଯାଉଛନ୍ତି। ଏବେ ବି ସମୟ ଅଛି ଓଡ଼ିଶା ସରକାର ବାହାରେ ରହିଯାଇଥିବା ଓଡ଼ିଆଙ୍କ କଥା ଚିନ୍ତା କରନ୍ତୁ।
-ମନୋରଂଜନ ଗିରି, ଖଣ୍ଡାମୌଦା, ପୂର୍ବ ସିଂହଭୂମ୍
ଓଡ଼ିଆ ହୋଇ ବଞ୍ଚିବାର ସୁଯୋଗ ଦିଅନ୍ତୁ
ଓଡ଼ିଶାର ଦୁର୍ବଳ ନେତୃତ୍ବ ଓ କେନ୍ଦ୍ରୀୟ ନେତୃତ୍ବର ଷଡ଼୍ଯନ୍ତ୍ର ପାଇଁ ଓଡ଼ିଶା ବାହାରେ ଲକ୍ଷାଧିକ ଓଡ଼ିଆ ରହିଗଲେ। ଷଢ଼େଇକଳା-ଖରସୁଆଁକୁ ଓଡ଼ିଶାରେ ମିଶାଇବା ପାଇଁ ବହୁତ ଜନ ଆନ୍ଦୋଳନ ହୋଇଛି। ଆମେ ଅକଥନୀୟ ନିର୍ଯାତନା ବି ପାଇଛୁ। ଆମ ଭାଇମାନେ ଗୁଳି ମାଡ଼ରେ ପ୍ରାଣ ହରାଇଲେ। କିନ୍ତୁ କିଛି ଫଳପ୍ରଦ ହେଲା ନାହିଁ। ତେବେ ଆଜି ପର୍ଯ୍ୟନ୍ତ ଓଡ଼ିଆ ପଣ ଆମ ଭିତରେ ରହିଛି। ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆମାନେ ଓଡ଼ିଶାକୁ ଫେରିବା ପାଇଁ ଯେଉଁ ଭଳି ବ୍ୟାକୁଳ, ଓଡ଼ିଆ ଭାବରେ ସମ୍ମାନର ସହ ବଞ୍ଚିବା ପାଇଁ ଯେଉଁଭଳି ଉଦ୍ୟମ କରୁଛନ୍ତି, ସେହି ତୁଳନାରେ ଓଡ଼ିଶା ସରକାରଙ୍କ ସାମାନ୍ୟ ଆଗ୍ରହ ନାହିଁ। ଉତ୍କଳ ସମ୍ମିଳନୀ ନାଁରେ ଓଡ଼ିଶା ସରକାର ପ୍ରହସନ କରୁଛି। ନିଯୁକ୍ତ ହେଉଥିବା ଓଡ଼ିଆ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ନାହିଁ କି ପ୍ରଶିକ୍ଷଣ ଦିଆଯାଉନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର, ପ୍ରସାର ପାଇଁ ଏଠି ସେଭଳି କାର୍ଯ୍ୟକ୍ରମ କରାଯାଉନାହିଁ। ଆଜି ଯଦି ପ୍ରତିକାର କରାନଯାଏ ତେବେ ଓଡ଼ିଆ ମରିଯିବ। ଓଡ଼ିଶା ସରକାର ପଡ଼ୋଶୀ ରାଜ୍ୟ ସହ କଥା ହୁଅନ୍ତୁ। ଓଡ଼ିଆଙ୍କୁ ଓଡ଼ିଆ ହୋଇ ବଞ୍ଚିବାର ସୁଯୋଗ ଦିଅନ୍ତୁ।-ଅତନୁ କବି, ଷଢ଼େଇକଳା
ଓଡ଼ିଶା ଆମକୁ ପଚାରୁନି, ପଶ୍ଚିମବଙ୍ଗ ସ୍ବୀକୃତି ଦେଉନି
ବାପା ଥିଲେ ସ୍ବାଧୀନତା ସଂଗ୍ରାମୀ ଧନଞ୍ଜୟ କର। ସ୍ବାଧୀନତା ସଂଗ୍ରାମ, ଓଡ଼ିଆ ଭାଷା ପାଇଁ ଲଢ଼େଇ କରିଥିଲେ। ଆଜି ନା ଆମକୁ ପଶ୍ଚିମବଙ୍ଗ ପଚାରୁଛି। ନାଁ ଓଡ଼ିଶା ସ୍ବୀକୃତି ଦେଉଛି। ଆମେ ମୂଳ ଓଡ଼ିଆ ବୋଲି ଜାଣି ସ୍ଥାନୀୟ ସରକାର ପାତରଅନ୍ତର କରୁଛନ୍ତି। ନାମରେ ମିଶ୍ର, କର ଦେଖିଲା ପରେ କହୁଛନ୍ତି, ‘‘ତୁମେ ବଙ୍ଗଳୀ ନୁହଁ, ତୁମକୁ ଚାକିରି କାହିଁକି ମିଳିବ। ତୁମେ ଆମ ଦୟାରେ ଏଠି ରହୁଛ।’’ ଅନ୍ୟପଟେ ଓଡ଼ିଶା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଓଡ଼ିଶାକୁ ଫେରିବା ଭଳି ଗୋଟେ ମିଛ ଆଶା ନେଇ ଆମେ ବଞ୍ଚିଛୁ।
-ଅମଲ କର, ଗୋପୀବଲ୍ଲଭପୁର, ପଶ୍ଚିମବଙ୍ଗ