ସଂସ୍କୃତି ବିଭାଗରେ ଚାଲିଛି କ’ଣ?

ମନଇଚ୍ଛା ଦିଆଯାଉଛି ନିଯୁକ୍ତି, ଆଇନ୍ ଖିଲାପକାରୀଙ୍କୁ ଦଣ୍ଡ ନାହିଁ, ଜଣେ ବ୍ୟକ୍ତିଙ୍କୁ ନଜରରେ ରଖି ନୂଆ ପଦବି ସୃଷ୍ଟି କରିବାକୁ ଯୋଜନା

ଭୁବନେଶ୍ବର : ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବି ଖାଲି ପଡ଼ିଥିବା ନେଇ ବିବାଦରେ ରହି ଆସିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କିନ୍ତୁ ତଳ ସ୍ତରରେ ସରକାରଙ୍କ ସବୁ ନିୟମକାନୁନ୍‌କୁ ମୋଡ଼ି ଦେଇ ମନଇଚ୍ଛା ନିଯୁକ୍ତି ଦିଆଯାଇଥିବାର ଅଭିଯୋଗ ଉଠିଛି। ଏହାକୁ ନେଇ ଅର୍ଥ ବିଭାଗ ଭୀଷଣ ଆପତ୍ତି ଉଠାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ତାହାକୁ ବି ମାନିବାକୁ ବିଭାଗ ପ୍ରସ୍ତୁତ ନୁହେଁ। ଏହା ସହ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନଜରରେ ରଖି ସିଧାସଳଖ ନୂଆ ପଦବି ସୃଷ୍ଟି କରିବାକୁ ଫାଇଲ୍‌ ପ୍ରକ୍ରିୟା ଚାଲୁ ରହିଛି। ଉଭୟ ଘଟଣା ସଂସ୍କୃତି ବିଭାଗରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

୧୯୯୬ ମସିହାରେ ରବୀନ୍ଦ୍ର ମଣ୍ଡପରେ ଦୁଇ ଜଣ କର୍ମଚାରୀଙ୍କୁ ଦୈନିକ ମଜୁରୀ ଭିତ୍ତିରେ ସଂସ୍କୃତି ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଅସ୍ଥାୟୀ କର୍ମଚାରୀର ମାନ୍ୟତା ଦେବାକୁ ଅର୍ଥ ବିଭାଗକୁ ପ୍ରସ୍ତାବ ଗଲା। କିନ୍ତୁ ଏ ନେଇ ଅର୍ଥ ବିଭାଗର ନିୟମାବଳୀକୁ ଜଳାଞ୍ଜଳି ଦେଇଥିବାରୁ ସେମାନଙ୍କୁ ଅସ୍ଥାୟୀ କର୍ମଚାରୀର ମାନ୍ୟତା ନ ଦେବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଲା। କିନ୍ତୁ ସଂସ୍କୃତି ବିଭାଗର ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବିଭାଗରେ ଏହି ଫାଇଲ୍‌ଟିକୁ ଚପାଇ ଦିଆଗଲା। ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏ ନେଇ ଅନ୍ଧାରରେ ରହିଲେ। ଘଟଣାଟି ପ୍ରଘଟ ହେଲା ପରେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଗତ ବର୍ଷ ଅକ୍ଟୋବର ମାସରେ ଏକ ବିଭାଗୀୟ ଶୃଙ୍ଖଳା କମିଟି ଗଠନ କଲେ। ଏହି କମିଟି ପୂରା ଘଟଣାର ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଗଲା। କମିଟି ତାହାର ତଦନ୍ତ ରିପୋର୍ଟ ବିଭାଗ ନିକଟରେ ଉପସ୍ଥାପନ କଲା। ଏଥିରେ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବିଭାଗର ଏସ୍ କେ ଖଟୁଆ ନାମକ ଜଣେ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା। ଶ୍ରୀ ଖଟୁଆ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନ୍ଧାରରେ ରଖି ଅର୍ଥ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ କରିଛନ୍ତି ବୋଲି କମିଟି ରିପୋର୍ଟ ଦେଲା। କମିଟି ରିପୋର୍ଟ ଭିତ୍ତ‌ିରେ ଶ୍ରୀ ଖଟୁଆ ଓ ଅନ୍ୟ ଦୋଷୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରମୁଖ ସଚିବ ଗତ ମାର୍ଚ୍ଚ ୨୦ ତାରିଖରେ ନିର୍ଦ୍ଦେଶ ଦେଲେ। ଏହା ସହ ଅର୍ଥ ବିଭାଗ ନିୟମ ଅନୁଯାୟୀ ରବୀନ୍ଦ୍ର ମଣ୍ଡପର ଦୁଇ ଜଣ କର୍ମଚାରୀ ବର୍ଷକୁ ୨୪୦ ଦିନ କାମ କରି ନ ଥିବାରୁ ରବୀନ୍ଦ୍ର ମଣ୍ଡପର ସଂପୃକ୍ତ ଦୁଇ ଜଣ କର୍ମଚାରୀଙ୍କୁ ଅସ୍ଥାୟୀ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ପ୍ରମୁଖ ସଚିବ ସ୍ପଷ୍ଟ କଲେ।

ଏହା ମଧ୍ୟରେ ଚାରି ମାସ ବିତିଯାଇଥିଲେ ବି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ପ୍ରମୁଖ ସଚିବଙ୍କ ନି‌ର୍ଦ୍ଦେଶ ସେମିତି ଫାଇଲ୍‌ ଭିତରେ ରହିଯାଇଛି। ସଂସ୍କୃତି ବିଭାଗରେ ଏମିତି ବେଆଇନ୍ କାର୍ଯ୍ୟ ପାଇଁ କିଏ ପ୍ରୋତ୍ସାହନ ଦେଉଛି ଓ ତଦନ୍ତ ହେଲା ପରେ ବି କାହା ଚାପରେ କାର୍ଯ୍ୟାନୁଷ୍ଠାନ ଅଟକିଯାଉଛି, ତାହା ଏବେ ଚର୍ଚ୍ଚାର ବିଷୟ।

ବିଭାଗରେ ‌େବନିୟମ କାର୍ଯ୍ୟ ଏତିକିରେ ଅଟକି ନାହିଁ। ଲୋକକଳାର ଉନ୍ନତି ତଥା ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୟୁନିସେଫ୍‌ ସଂସ୍କୃତି ବିଭାଗକୁ ଆର୍ଥିକ ସହାୟତା ଯୋଗାଉଛି। ଏଥି ପାଇଁ ୟୁନିସେଫ୍ ପକ୍ଷରୁ ସଂସ୍କୃତି ବିଭାଗରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଭାବେ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। କେବଳ ୟୁନିସେଫ୍‌ର ଅନୁଦାନରେ ହେଉଥିବା କାମକୁ ସେ ତଦାରଖ କରିବେ। କିନ୍ତୁ ଏହି ବ୍ୟକ୍ତିଙ୍କୁ ସଂସ୍କୃତି ବିଭାଗ‌େର ନିଯୁକ୍ତି ଦେବା ପାଇଁ ଭିତିରିଆ ପ୍ରକ୍ରିୟା ଆରମ୍ଭ ହୋଇଛି। କୌଣସି ପଦବି ସୃଷ୍ଟି ଓ ଉଚ୍ଛେଦ କାମ ବିଭାଗର ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବିଭାଗରେ ଆରମ୍ଭ ହୁଏ। କିନ୍ତୁ ଏହି ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ବି ଆଇନ୍‌କୁ ମୋଡ଼ି ଦିଆଯାଉଛି। ନିଜେ ଏହି ବ୍ୟକ୍ତି ଜଣଙ୍କ ବିଭାଗରେ ନିଜର ନିଯୁକ୍ତି ପାଇଁ ଫାଇଲ୍‌ ପ୍ରକ୍ରିୟା କରିଥିବାର ଜଣାପଡ଼ିଛି। କୌଣସି କାରଣରୁ ଫାଇଲ୍‌ ଅଧାରେ ଅଟକିଯାଇଛି।

ସମ୍ବନ୍ଧିତ ଖବର