ଫୁଲବଣୀ: ଝାଡ଼ଖଣ୍ଡର ବିଚ୍ଛିନ୍ନାଞ୍ଚଳରେ କିଭଳି ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଯାତନାର ଶିକାର ହେଉଛନ୍ତି; ସେ ସଂପର୍କରେ ଖବର ପ୍ରକାଶ ପାଉଛି। ତେବେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ର ସୀମାନ୍ତବର୍ତ୍ତୀ ଗାଁରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପିଲାଙ୍କ ସଂଖ୍ୟା କମ୍ ଥିବାରୁ ସରକାରୀ ସ୍କୁଲ୍ଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଏଠାକାର ପିଲାମାନେ ଏବେ ପାଠ ପଢ଼ିବାକୁ ପଶ୍ଚିମବଙ୍ଗର ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଓଡ଼ିଆ ବଦଳରେ ସେଠାରେ ବଙ୍ଗଳା ଭାଷାରେ ଶିକ୍ଷା ଗ୍ରହଣ କରୁଛନ୍ତି। ଫଳରେ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସ୍ଥିତି ହରାଇବାକୁ ବସିଛି।
ସୂଚନା ଅନୁସାରେ, ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ବାଲିବଧା, ବାରବାଟିଆ ଆଦିବାସୀ ସାହି, ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡାମୁହଁ ପ୍ରାଥମିକ ବିଦ୍ୟାଳୟକୁ ପିଲାସଂଖ୍ୟା କମ୍ ଦର୍ଶାଇ ବନ୍ଦ କରିଦିଆଯାଇଛି। ସୀମାନ୍ତ ଅନଳିଆ ପଞ୍ଚାୟତର ଶଙ୍ଖାମେଦୀ ଗାଁ। ଏହି ଗାଁ ଓଡ଼ିଶା ସୀମା ଭିତରେ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗ ଅଧୀନରେ ରହିଛି। ନିର୍ବାଚନ ବେଳେ ଏହି ଗ୍ରାମର ଭୋଟର୍ମାନେ ଉଭୟ ରାଜ୍ୟରେ ଭୋଟ ଦେଇଥା’ନ୍ତି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ଗାଁର ପିଲାମାନେ ବଙ୍ଗଳାରେ ପାଠପଢ଼ିବା ସହ ପଶ୍ଚିମବଙ୍ଗ ସଂସ୍କୃତିକୁ ଆପଣାଇ ଆସୁଛନ୍ତି। ଏହିଭଳି ଓଡ଼ିଶାର ପ୍ରାୟ ଶହେରୁ ଊର୍ଦ୍ଧ୍ବ ପିଲା ବଙ୍ଗଳା ପାଠ ପଢୁଛନ୍ତି। ପଶ୍ଚିମବଙ୍ଗର ପଧିମା ଉଚ୍ଚମାଧ୍ୟମିକ ସ୍କୁଲ୍ରେ ୨୦ ଜଣ ଓଡ଼ିଆ ପିଲା ପଢ଼ୁଥିବା ବେଳେ ଦତ୍ତପୁର ପ୍ରାଥମିକ ବିଦ୍ୟାଳୟରେ ୨୫ଜଣ, ମଣ୍ଡଳା ପ୍ରାଥମିକ ବିଦ୍ୟାଳୟରେ ୧୫ଜଣ ଏବଂ ଡି.ଏଲ୍. ଉଚ୍ଚବିଦ୍ୟାଳୟରେ ପ୍ରାୟ ୨୦ ଜଣ ଓଡ଼ିଆ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଓଡ଼ିଶାର ସ୍କୁଲ୍ ଛାଡ଼ି ଆହୁରି ବି ଅନେକ ଛାତ୍ରଛାତ୍ରୀ ପଶ୍ଚିମବଙ୍ଗ ସ୍କୁଲ୍ରେ ଯାଇ ପାଠପଢ଼ୁଥିବା ଜଣାପଡ଼ିଛି।
୧୦୦ରୁ ଅଧିକ ପିଲା ସ୍କୁଲ୍ ଛାଡ଼ିସାରିଲେଣି
ଓଡ଼ିଶାରେ ସରକାରୀ ସ୍କୁଲ୍ ବନ୍ଦର ପ୍ରଭାବ
ଆହୁରି କିଛି ସ୍କୁଲ୍ ବନ୍ଦ ହୋଇଯିବା ନେଇ ଆଶଙ୍କା
ସେପଟେ, ପଶ୍ଚିମବଙ୍ଗ ବିଦ୍ୟାଳୟଗୁଡ଼ିକ ଓଡ଼ିଆ ପିଲାଙ୍କୁ ବି ଆଦରି ନେଉଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ସରକାରଙ୍କ ସମସ୍ତ ସୁବିଧାସୁଯୋଗ ପିଲାଙ୍କୁ ମିଳୁଛି। ତେଣୁ ପିଲାମାନେ ଗାଁରେ ବି ଓଡ଼ିଆ ବଦଳରେ ବଙ୍ଗଳାରେ କଥାବାର୍ତ୍ତା ହେଉଛନ୍ତି। ଏଭଳି ଭାବେ ବଙ୍ଗଳା ଭାଷା ସହ ପଶ୍ଚିମବଙ୍ଗ ସଂସ୍କୃତି ମଧ୍ୟ ବିଭିନ୍ନ ଗାଁକୁ ଅକ୍ତିଆର କଲାଣି। ଓଡ଼ିଆ ଭାଷା ପ୍ରତି ଏଭଳି ବିପଦ ଘନେଇ ଆସିବାରୁ ଉତ୍କଳ ସମ୍ମିଳନୀର ସଦସ୍ୟ ଓ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରନ୍ତି। ଅଲ୍ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ବେହେରା ଓଡ଼ିଆ ପିଲାମାନେ ପଢ଼ିବା ପାଇଁ ପଶ୍ଚିମବଙ୍ଗକୁ ଯିବା ପଛର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି, ସୀମାନ୍ତ ସାହାବାଜୀପୁର ପଞ୍ଚାୟତରେ ୪ କି.ମି. ଦୂରରେ ରହିଛି ତାଳସାରି ସନ୍ନିକଟ ହାସିମପୁର ଉ.ପ୍ରା. ବିଦ୍ୟାଳୟ। ସେହି ସ୍କୁଲ୍ରେ ୧୨୦ ପିଲା ପଢୁଛନ୍ତି। ହେଲେ, ବିଦ୍ୟାଳୟ ଦୂରତା ଅଧିକ ପାଇଁ ପିଲା ପଶ୍ଚିମବଙ୍ଗ ପଳାଉଛନ୍ତି। ଗମ୍ଭାରିଆ ପଞ୍ଚାନନ ଏମ୍ଇ ସ୍କୁଲ ଶିକ୍ଷକ ଅଭାବରୁ ଏପ୍ରିଲରେ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।
ଶିକ୍ଷାବିତ୍ ଡ. ସନ୍ତୋଷ ପାତ୍ରଙ୍କ ମତରେ, ସୀମାନ୍ତ ଅଞ୍ଚଳରେ ବିଦ୍ୟାଳୟ ନଥିବାରୁ ଓଡ଼ିଶାର ଶଙ୍ଖାମେଦୀ, ଉଦୟପୁର, ବାଜିତପୁର, ପୁରୁଷୋମପୁର, ନରସିଂହପୁର, ଗଣେଶ୍ୱରପୁର, ମାନକୁଣ୍ଡା, ହରିଦାସପୁର, ଅଳିଆ ଆଦି ଅଞ୍ଚଳର ପିଲା ପଶ୍ଚିମବଙ୍ଗ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି; ଯାହାକି ଓଡ଼ିଆ ଅସ୍ମିତାର ପରିପନ୍ଥୀ। ସେହିପରି, ଶଙ୍ଖାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ନଗେନ୍ଦ୍ର ଜେନା କହିଛନ୍ତି, ସୀମାନ୍ତରେ କିଛି ଓଡ଼ିଆ ସ୍କୁଲ ଥିଲେ ବି ସୀମାନ୍ତ ଅଞ୍ଚଳବାସୀଙ୍କ ପରିବାର ଚଳଣି ଓ ବ୍ୟବସାୟ ଭିତ୍ତିରେ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି। ସେଥିପାଇଁ ସେଠାକାର ପିଲାମାନେ ପଶ୍ଚିମବଙ୍ଗରେ ପଢ଼ୁଛନ୍ତି। ଏହା ଏକ ଚିନ୍ତାଜନକ ଘଟଣା ହୋଇଥିବାରୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେବା ସହିତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।