ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଉପଲବ୍ଧ ହେଲା ଓଡ଼ିଆ ଭାଷା

ଭୁବନେଶ୍ୱର : ଓଡ଼ିଆ ଭାଷାକୁ ଆଉ ଏକ ସଫଳତା ମିଳିଛି । ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଏବେ ଓଡ଼ିଆ ଭାଷା ଉପଲବ୍ଧ ହେବ । ମାଇକ୍ରୋସଫ୍ଟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ, ଟ୍ରାନ୍ସଲେଟର ଫର ବିଙ୍ଗ ଓ ମାଇକ୍ରୋସଫ୍ଟ ଆଜ୍ୟୋର କଗନିଟିଭ ସର୍ଭିସେସ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷାର ଅନୁବାଦ ଉପଲବ୍ଧ ହେବ । ଅର୍ଥାତ ଇଂରାଜୀ କିମ୍ବା ଅନ୍ୟ ଭାଷାରୁ ଓଡ଼ିଆକୁ ଏବଂ ଓଡ଼ିଆରୁ ଅନ୍ୟ ଭାଷାକୁ ଅନୁବାଦ କରିହେବ । ପୂର୍ବରୁ ଗୁଗୁଲ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷାକୁ ସାମିଲ କରାଯାଇଥିଲା ।

ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି ଯେ ଓଡ଼ିଆ ପୂର୍ବଭାରତରେ କୁହାଯାଉଥିବା ଏକ ଇଣ୍ଡୋ- ୟୁରୋପୀୟ ଭାଷା । ଏହା ଓଡ଼ିଶା ରାଜ୍ୟର ସରକାରୀ ଭାଷା ହେଲେ ମଧ୍ୟ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼,ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏହି ଭାଷା କୁହାଯାଇଥାଏ । ଭାରତରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ୬ଟି ଭାଷା ମଧ୍ୟରେ ଓଡ଼ିଆ ଭାଷା ରହିଛି ।

ମାଇକ୍ରୋସଫ୍ଟର ବିଭିନ୍ନ ଆପ୍ଲିକେସନରେ ଓଡ଼ିଶା ଭାଷା ସାମିଲ ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିବା ସହ ମାଇକ୍ରୋସଫ୍ଟରେ ସାମିଲ ହେବାରେ ଏହା ୧୨ତମ ଭାରତୀୟ ଭାଷାରେ ପରିଣତ ହୋଇଛି । ଏହା ଦ୍ୱାରା ବିଶ୍ୱସ୍ତରୀୟ ସୂଚନା ଓଡ଼ିଆରେ ମିଳିପାରିବ ଓ ବିଭିନ୍ନ ଭାଷା ମଧ୍ୟରେ ମତବିନିମୟ ହୋଇପାରିବ ବୋଲି ସେ କହିଛନ୍ତି  ।

ସମ୍ବନ୍ଧିତ ଖବର