ଦୁଷ୍ପ୍ରାପ୍ୟ ପୋଥିକୁ ନେଇ ସଂକଳନ କରାଯିବ

ଭୁବନେଶ୍ବର : ବିଭିନ୍ନ ଗ୍ରନ୍ଥରେ ଓଡ଼ିଆ ଜାତି ଓ ଭାଷା ବିଷୟରେ ଥିବା ସନ୍ଦର୍ଭକୁ ସଂଗ୍ରହ କରାଯିବ। ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରଠୁ ନେଇ ପାଣିନିଙ୍କ ବ୍ୟାକରଣକୁ ମଧ୍ୟ ବିଚାରକୁ ନିଆଯିବ। ଅଶୋକଙ୍କ ଶିଳାଲେଖ, ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ, ଜୟ ବିଜୟ ଶିଳାଲେଖ ଓ ଅଭିଲେଖ ଆଧାରରେ ଓଡ଼ିଆ ଭାଷାର କ୍ରମ ବିକାଶ ଧାରାକୁ ପ୍ରମାଣିତ କରାଯିବ। ଏଥିସହ ରାଜ୍ୟ ସଂଗ୍ରହାଳୟ ଓ ଅନ୍ୟତ୍ର ଥିବା ପ୍ରାଚୀନ ପୋଥିକୁ ସଂଗ୍ରହ କରି ସେଥିରେ ଓଡ଼ିଆ ଭାଷାର ପ୍ରାଚୀନତାକୁ ଖୋଜାଯିବ। ସେଥିରୁ ପାଠୋଦ୍ଧାର ସହ ଏହାର ସମ୍ପାଦନା କରି ସଂକଳନ ପ୍ରସ୍ତୁତ କରାଯିବ। ଗତକାଲିଠାରୁ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଆରମ୍ଭ ହୋଇଥିବା ବ‌େଳେ ଏହି ସମସ୍ତ କଥାକୁ କେନ୍ଦ୍ର ପ୍ରାଥମିକତା ଦେବ।

ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରଥମ ନିର୍ଦେଶକ ଭାବେ ଯୋଗ ଦେଇଥିବା ସାହିତ୍ୟିକ ଓ ଭାଷାବିତ୍‌ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଛନ୍ତି, କେନ୍ଦ୍ରରେ ଭାଷାବିଜ୍ଞାନୀମାନେ ଯୋଗଦେବା ପରେ ତୁରନ୍ତ ଏନେଇ କାମ ଆରମ୍ଭ ହେବ। ଓଡ଼ିଆ କାବ୍ୟ କବିତାରେ ବିଭିନ୍ନ ପ୍ରକାର ଆଙ୍ଗିକ ପ୍ରୟୋଗ ଯଥା ଚମ୍ପୂ, ଚଉତିଶା ଓ ଚଉପଦୀ ବିଷୟରେ ଗବେଷଣା କରାଯିବ। ବ୍ୟାକରଣ ରଚନା ସହ ଭାଷାର ବୈଶିଷ୍ଟ୍ୟ ‌ପ୍ରତିପାଦନ କରିବା ପାଇଁ କାମ କରାଯିବ। ଲୋକ ସାହିତ୍ୟ ମଧ୍ୟରେ ଓଡ଼ିଆ ଭାଷାର ପ୍ରାଚୀନତା ଖୋଜି ବାହାର କରାଯିବ। ମାନକ ଓ ଆଞ୍ଚଳିକ ଭାଷା ମଧ୍ୟରେ ସମନ୍ବୟ ରକ୍ଷା କରାଯିବ। ସଂସ୍କୃତରେ ଅମରକୋଷ ଭଳି ଓଡ଼ିଆରେ ‘ସମାର୍ଥ ‌ଶବ୍ଦକୋଷ’ ଅଭିଧାନ ପ୍ରଣୟନ କରାଯିବ। ପ୍ରାଚୀନ ଶବ୍ଦ ହଜିଯିବାକୁ ବସିଥିବା ବ‌େଳେ ସେସବୁକୁ ନେଇ ଏକ ଅଭିଧାନ ପ୍ରସ୍ତୁତ କରାଯିବା ଲକ୍ଷ୍ୟ ରହିଛି ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

ଏହାବ୍ୟତୀତ ଭାଷା ସମ୍ପର୍କିତ ଅନେକ ଦୁଷ୍ପ୍ରାପ୍ୟ ଜିନିଷ ଲୋପ ପାଇଯିବା ପୂର୍ବରୁ ତା’ର ଡକ୍ୟୁମେଣ୍ଟେସନ ପ୍ରସ୍ତୁତ ହେବ। ଦେଶ ଓ ଦେଶ ବାହାରେ ଥିବା ଓଡ଼ିଆମାନଙ୍କର ତଥ୍ୟ ସଂଗ୍ରହ ହେବ। ଆବଶ୍ୟକସ୍ଥଳେ ଓଡ଼ିଶା ବା‌ହାରେ ଥିବା ଲୋକେ ଯଦି ଓଡ଼ିଆ ଭାଷା ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ଅନ୍‌ଲାଇନ ମାଧ୍ୟମରେ ସେ ସମ୍ବନ୍ଧୀୟ ଶିକ୍ଷା ଯୋଗାଇ ଦିଆଯିବ। ଚେନ୍ନାଇରେ ଥିବା ଅନ୍ତର୍ଜାତୀୟ ତାମିଲ ଷ୍ଟଡିର ଡାଏସପୋରା ଢାଞ୍ଚାରେ ଏହା କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର