ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ଡ.ନିତ୍ୟାନନ୍ଦ ଶତପଥୀଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।
ଦୀର୍ଘ ଦିନ ହେବ କର୍କଟରୋଗରେ ଆକ୍ରାନ୍ତ ହୋଇଥିବା ପ୍ରଫେସର୍ ଶତପଥୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ନିକଟରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥିବା ସମୟରେ ତାଙ୍କର ପରଲୋକ ଘଟିଛି।
୧୯୩୭ ମସିହା ଅକ୍ଟୋବର ୨୫ ତାରିଖରେ ଜଗତ୍ସିଂହପୁର ଜିଲ୍ଲାର ତିର୍ତ୍ତୋଲ୍ ବ୍ଲକ୍ ଅନ୍ତର୍ଗତ ଗାରେଇ ଶାସନରେ ଜନ୍ମିତ ଡକ୍ଟର ଶତପଥୀ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୬୨ ମସିହାରେ ସେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ତାଙ୍କୁ ପିଏଚ୍ଡି ଡିଗ୍ରି ମିଳିଥିଲା। ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଯୋଗ ଦେଇ ୧୯୯୦ରୁ-୯୨ ଯାଏଁ ବିଭାଗୀୟ ମୁଖ୍ୟ ପଦରେ ଅବସ୍ଥାପିତ ହୋଇଥିଲେ।
/sambad/media/post_attachments/wp-content/uploads/2020/06/nitaynanda.jpg)
ସେ ‘କବିତା ସେତୁ’, ‘ସବୁଜରୁ ସାମ୍ପ୍ରତିକ’ ଏବଂ ‘ସତୁରିରୁ ଶହସ୍ରାବ୍ଦୀ’ ଆଦି ପୁସ୍ତକ ରଚନା କରିଥିଲେ। ‘ହେ ସାଥୀ, ହେ ସାରଥି’ ନାମରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନୀ ପୁସ୍ତକ ରଚନା କରିଥିଲେ। ତାଙ୍କର ପତ୍ନୀ ତଥା ବିଶିଷ୍ଟ ସାହିତ୍ୟିକ ଡ. ପ୍ରତିଭା ଶତପଥୀଙ୍କ ସହ ମିଶି ‘ଆମ କବିତା’ ଶୀର୍ଷକ ପୁସ୍ତକ ମଧ୍ୟ ସଂକଳନ କରିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମି, ପୂଜ୍ୟପୂଜା ସଂସଦ, ସାମ୍ପ୍ରତିକ ଏବଂ ସାରଳା ପୁରସ୍କାର ଆଦି ବହୁ ସାହିତ୍ୟାନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ତାଙ୍କ ଉଦ୍ୟମ ଫଳରେ ସାରଳା ପୁରସ୍କାର ସ୍ଥାପିତ ହୋଇଥିଲା।
ତାଙ୍କର ପତ୍ନୀ ହେଉଛନ୍ତି ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପିକା ତଥା କବି ପ୍ରତିଭା ଶତପଥୀ। ତାଙ୍କର ପାରମିତା, ମଧୁବ୍ରତା, ଅସୀତା ଏବଂ ଈପ୍ସିତା ନାମ୍ନୀ ଚାରି ଝିଅ ଅଛନ୍ତି। ସମ୍ପ୍ରତି ପାରମିତା ଆୟକର ବିଭାଗର କମିସନର୍ ଭାବେ କାର୍ଯ୍ୟ କରୁଛନ୍ତି।