ସାହିତ୍ୟ କେବେ ବି ମରିବ ନାହିଁ: ଶିବା ରେଡ୍ଡୀ

‘କଥା’ର ୩୩ତମ ବାର୍ଷିକୋତ୍ସବ

ମାଟି ନୁହେଁ, ମଣିଷକୁ ନେଇ ଦେଶ ଗଠିତ ହୋଇଥାଏ
ପ୍ରକୃତ ଚାଷୀ କେବେ ଆତ୍ମହତ୍ୟା କରିପାରେନା

ଭୁବନେଶ୍ବର : କବିତା କିମ୍ବା ଗଳ୍ପ ଲେଖିବା ଫ୍ୟାସନ୍ ନୁହେଁ। ଏଥିପାଇଁ ଲେଖକମାନଙ୍କୁ ଅଧିକରୁ ଅଧିକ ଚାଷ କରିବାକୁ ପଡ଼ିଥାଏ। ଜୀବନରେ ଅନେକ ଅଭିଜ୍ଞତା ଅର୍ଜନ କରିବାକୁ ପଡ଼ିଥାଏ। ୨୦୨୦ ମସିହାରେ ମଧ୍ୟ ସାହିତ୍ୟ ମରିନାହିଁ। ବିଶ୍ବର ସବୁଠାରୁ ବିକଶିତ ଦେଶ ଆମେରିକାରେ ଆଜି ମଧ୍ୟ ଅନେକ କବିତା/ଉପନ୍ୟାସ ପ୍ରକାଶିତ ହେଉଛି। ତେଣୁ ସାହିତ୍ୟ କେବେ ବି ମରିବ ନାହିଁ। ଆଜି ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ‘କଥା’ର ୩୩ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏ କଥା କହିଛନ୍ତି ସରସ୍ବତୀ ସମ୍ମାନରେ ଭୂଷିତ ପ୍ରଖ୍ୟାତ କବି ପ୍ରଫେସର କେ.ଶିବା ରେଡ୍ଡୀ।

‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଶିବାରେଡ୍ଡୀ କହିଲେ, ଗତ ୧୦ବର୍ଷରେ ବର୍ତ୍ତମାନର ଆଇଟି ଜେନେରେସନ୍‌ କେବଳ ଟଙ୍କା ପଛରେ ଧାଇଁଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ନିଜ କ୍ଷେତ୍ରରେ ସନ୍ତୁଷ୍ଟ ନୁହନ୍ତି। ଟଙ୍କା ସେମାନଙ୍କୁ ପ୍ରକୃତ ସୁଖ ଦେଇପାରୁ ନାହିଁ। ତେଣୁ ସେମାନଙ୍କ ମଧ୍ୟରୁ ଅନେକ ଚାକିରି ଛାଡ଼ି କ୍ଷୁଦ୍ର ଗଳ୍ପ କିମ୍ବା ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆଗେଇ ଆସୁଥିବା ନଜରକୁ ଆସୁଛି। ତେଣୁ ‌ଆଜିର ପିଢ଼ିଙ୍କୁ ନେଇ ମୁଁ ବିଶେଷଭାବେ ନିରାଶ ନୁହେଁ। ପ୍ରତ୍ୟେକ ପିଢ଼ି କୌଣସି ନା କୌଣସି ବ୍ୟକ୍ତିଠାରୁ ପ୍ରେରଣା ହାସଲ କରିଥାଏ। ତେଣୁ ସାହିତ୍ୟର ସବୁବେଳେ ପ୍ରାସଙ୍ଗିକତା ରହିଛି ଓ ଏହା ଲୋକଙ୍କୁ ଜୀବନ ବଞ୍ଚିବା ପାଇଁ ବାଟ ଦେଖାଇଥାଏ। ତେଣୁ ଅନେକ ବରିଷ୍ଠ ସାହିତ୍ୟିକମାନଙ୍କୁ ମୁଁ ସବୁବେଳେ ଯୁବ ପିଢ଼ିଙ୍କ ସାହିତ୍ୟ ପଢ଼ିବାକୁ କହିଥାଏ। କାରଣ ଯୁବପିଢ଼ି ଆଜିର ସମୟକୁ ପ୍ରତିନିଧିତ୍ବ କରୁଛନ୍ତି। ତେଣୁ ଆଜି ଯେଉଁ ଯୁବ ସାହିତ୍ୟିକମାନେ ସମ୍ବର୍ଧିତ ହୋଇଛନ୍ତି ସେମାନେ ଆଗାମୀ ଦିନରେ ଉଚ୍ଚକୋଟୀର ସାହିତ୍ୟ ରଚନା କରିବେ ବୋଲି ଶ୍ରୀ ଶିବା ରେଡ୍ଡୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ଲେଖକ ଜଣେ ଭଲ ପାଠକ ହେବା ଜରୁରୀ। ଭଲ ପାଠକ ବିନା ଜଣେ ଭଲ ‌ଲେଖକ ହୋଇପାରିବ ନାହିଁ। କେବଳ ନିଜ ‌ଭାଷା ନୁହେଁ ବରଂ ପଡ଼ୋଶୀ ରାଜ୍ୟ ଓ ଅନ୍ୟ ଦେଶରେ ପ୍ରକାଶିତ ସାହିତ୍ୟକୁ ପଢ଼ିବା ଉଚିତ। ନଚେତ୍ ଜଣେ ସାହିତ୍ୟିକ କୂପ ମଣ୍ଡୁକ ଭଳି ରହିଯିବ। ବିଶ୍ବର ଅନ୍ୟ ସ୍ଥାନରେ କ’ଣ ଘଟୁଛି ତାହା ଜାଣିବା ଜଣେ ସାହିତ୍ୟିକର କର୍ତବ୍ୟ। ପ୍ରତ୍ୟେକ କବି/ଲେଖକ ହେଉଛନ୍ତି ଜଣେ ଦାୟିତ୍ବସଂପନ୍ନ ବିଶ୍ବ ନାଗରିକ। କବି ଭାବେ ନିଜକୁ ପ୍ରତିଷ୍ଠା କରିବା ଦିନଠାରୁ ମୁଁ ସବୁବେଳେ ପଢ଼ି ଆସୁଛି।

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ କବିତା ବେଶ୍ ପ୍ରେରଣା ଯୋଗାଇଛି। ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଇଂରାଜୀ କବିତା ଓ ସୀତାକାନ୍ତ ମହାପାତ୍ରଙ୍କ କବିତାରେ ଆଦିବାସୀ ସଂସ୍କୃତି ପ୍ରତିଫଳିତ ହୋଇଥାଏ। ପ୍ରତିଭା ରାୟଙ୍କ ଅନେକ ଗଳ୍ପ/ଉପନ୍ୟାସକୁ ପଢ଼ିବାର ସୁଯୋଗ ପାଇଛି। ଓଡ଼ିଶା ଅନେକ ବିଶିଷ୍ଟ କବି/ଲେଖକଙ୍କୁ ଜନ୍ମ ଦେଇଛି। ମାଟି ନୁହେଁ ମଣିଷକୁ ନେଇ ଦେଶ ଗଠିତ ହୋଇଥାଏ। ଗୁଣ୍ଟୁରର ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲି। ଆଜିର ସମୟରେ ଚାଷୀମାନେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛି। ମାତ୍ର ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳୁ ନ ଥିଲା। ଗୋଟିଏ ଫସଲ ନଷ୍ଟ ହୋଇଗଲେ ମଧ୍ୟ ଚାଷୀ ଆତ୍ମହତ୍ୟା କରୁ ନ ଥିଲା। ଚାଷୀ କେବେ ଆତ୍ମହତ୍ୟା କରିପାରେନା। ବଞ୍ଚି ରହିବାର ପ୍ରେରଣା ଜଣେ ଚାଷୀଙ୍କଠାରୁ ଶିକ୍ଷା ଲାଭ କରିପାରିବ ବୋଲି ଶ୍ରୀ ଶିବା ରେଡ୍ଡୀ କହିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ମରାଠୀ ଲେଖକ ବିଶ୍ବାସ ପାଟିଲ କହିଥିଲେ, ଏବର ପତ୍ରିକାଗୁଡ଼ିକ କ୍ଷୁଦ୍ର ଗଳ୍ପଠାରୁ ଦୂରେଇ ଯାଉଛନ୍ତି। ଚଳଚ୍ଚିତ୍ର ତାରକାଙ୍କ ଗର୍ଭଧାରଣ ଓ ପ୍ରସବ ଖବର ଉପରେ ସେମାନେ ଅଧିକ ଗୁରୁତ୍ବ ଦେଉଛନ୍ତି। ମାତ୍ର ଦୁଃଖର କଥା ହେଲା, ଲୋକମାନେ ମଧ୍ୟ ଏଭଳି ଖବର ପଢ଼ିବାକୁ ପସନ୍ଦ କରୁଛନ୍ତି। ସେ ଆହୁରି କହିଥିଲେ ଯେ ବ୍ରିଟିଶମାନେ ଭାରତକୁ କିଛି ମାତ୍ରାରେ ଏକାଠି କରିଥିଲେ। ମ‌ାତ୍ର ସ୍ବାଧୀନତା ଆନ୍ଦୋଳନ ସମୟରେ ଭାଷା ଲୋକଙ୍କୁ ଏକାଠି କରିବାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେ ସମୟରେ ଯୋଗାଯୋଗର ବିଶେଷ ସୁବିଧା ନ ଥିଲେ ହେଁ ଗାନ୍ଧୀଜୀ, ନେହରୁ ଓ ନେତାଜୀ ଲୋକଙ୍କୁ ଏକାଠି କରିପାରିଥିଲେ। ଏହାସହ କବି ରବୀନ୍ଦ୍ର ନାଥ ଟାଗୋର, କାଜି ନଜରୁଲ ଇସଲାମ, ଶରତ ଚନ୍ଦ୍ର ଚାଟାର୍ଜୀ ଓ ଅନ୍ୟମାନଙ୍କ ସାହିତ୍ୟ ଦେଶକୁ ମଜବୁତ କରିପାରିଥିଲା। ଶ୍ରୀ ପାଟିଲ କହିଥିଲେ, ଭାରତୀୟ ସାହିତ୍ୟରେ ଗଦ୍ୟ, କବିତା, ସ୍ବଦେଶୀ ସଂସ୍କୃତି, ଲୋକନୃତ୍ୟ, ରାମାୟଣ ଓ ମହାଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଞ୍ଚଳିକ ଭାଷାରେ ପାଠ ପଢ଼ିଥିବା ଛାତ୍ରଟିଏ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଅନେକ ସଫଳତା ହାସଲ କରିପାରୁଛନ୍ତି। ଗତ ୨ବର୍ଷ ଧରି ବୁକର ପୁରସ୍କାର ଆରବୀ ଓ ଅନ୍ୟ ଭାଷାକୁ ପ୍ରଦାନ କରାଯାଉଛି। ତେଣୁ ଆଗାମୀ ଦିନରେ ଯଦି କେହି ଓଡ଼ିଆ ସାହିତ୍ୟିକ ବୁକର ପୁରସ୍କାର ହାସଲ କରନ୍ତି ତେବେ ବ୍ୟକ୍ତିଗତ ଭାବେ ତାହା ଖୁସି ଦେବ ବୋଲି ଶ୍ରୀ ପାଟିଲ କହିଥିଲେ।

ସମ୍ମାନିତ ଅତିଥି ବସିରେଡ୍ଡୀ ନବୀନ କହିଥିଲେ, ଇତିହାସକୁ ମୂଲ୍ୟାଙ୍କନ କରିବାରେ ସାହିତ୍ୟ ପ୍ରମୁଖ ଗ୍ରହଣ କରିଥାଏ। ମାତ୍ର ଆଜିର ସମୟର ରାଜନେତାମାନେ ଏହାକୁ ଭୁଲି ଯାଉଛନ୍ତି। ତେଲୁଗୁ ଓ ଓଡ଼ିଆରେ ଅନେକ ଉଚ୍ଚକୋଟୀର ସାହିତ୍ୟ ରଚନା ହୋଇଥିଲେ ହେଁ ତାହାର ଅନୁବାଦ କରାଯାଉନାହିଁ। ଗୋପୀନାଥ ମହାନ୍ତି, କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ସଚ୍ଚି ରାଉତରାୟଙ୍କ ଭଳି ଖୁବ୍ କମ ଓଡ଼ିଆ ସାହିତ୍ୟିକଙ୍କୁ ତେଲୁଗୁ ଲୋକମାନେ ଜାଣିଛନ୍ତି। ତେଲୁଗୁ ସାହିତ୍ୟିକଙ୍କୁ ମଧ୍ୟ ଓଡ଼ିଶାରେ ବହୁତ ‌କମ୍ ଲୋକ ଜାଣିଥିବେ। ଓଡ଼ିଶା ଓ ଆନ୍ଧ୍ର ପଡ଼ୋଶୀ ରାଜ୍ୟ ହୋଇଥିଲେ ହେଁ ଦୁହେଁ ଦୁହିଁଙ୍କ ସାହିତ୍ୟ ସଂପର୍କରେ କମ୍ ଲୋକ ଜାଣିପାରୁଛନ୍ତି। ତେଣୁ ଏହା ବିଷୟରେ ଚିନ୍ତା କରିବାକୁ ହେବ। ସାହିତ୍ୟ ଆମ ସମୟକୁ ପ୍ରତିନିଧିତ୍ବ କରିଥାଏ। ତେଣୁ ଅନୁବାଦ ସାହିତ୍ୟ ପ୍ରତି ଗୁରୁତ୍ବ ଦେବାକୁ ହେବ। ଲେଖିବା ଏକ କଷ୍ଟକର କାମ। ତେଣୁ ଗତ ୩୩ବର୍ଷ ଧରି ‘କଥା’ କ୍ଷୁଦ୍ର ଗଳ୍ପ ପ୍ରକାଶ କରିଆସୁଥିବାରୁ ‘ସମ୍ବାଦ ଗ୍ରୁପ୍’ ଧନ୍ୟବାଦର ପାତ୍ର। ତେଣୁ ‘କଥା’ ଆଖପାଖ ପଡ଼ୋଶୀ ରାଜ୍ୟର ସାହିତ୍ୟକୁ ଅନୁବାଦ କରି ପ୍ରକାଶ କରିବା ଦିଗରେ ଉଦ୍ୟମ କରୁ। ଯାହାଫଳରେ ଆସନ୍ତା ୨୦ବର୍ଷରେ ଦେଶରେ ଏକତାର ଅନୁଭବ ହୋଇପାରିବ ବୋଲି ଶ୍ରୀ ବସିରେଡ୍ଡୀ କହିଥିଲେ।

ସଭାପତିତ୍ବ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ କହିଲେ, ପୂର୍ବରୁ ଯେତିକି ପରିମାଣର ଗପ ଲେଖା ହେଉଥିଲା, ମାତ୍ର ଆଜି ସେତିକି ପରିମାଣର ଗପ ଲେଖାଯାଉ ନାହିଁ। ଏହା ଏକ ଜାତୀୟ ସଂକଟ। ସେକାଳ ପଖାଳ ନାହିଁ ବୋଲି କହି ସମାଲୋଚନା କଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସମୟ ବଦଳୁଛି, ଏହାକୁ ସ୍ବୀକାର କରିବାକୁ ପଡ଼ିବ। ବଦଳୁଥିବା ସମୟ ସହିତ ତାଳ ଦେଇ ଯିବାକୁ ହେଲେ ନୂଆ ପିଢ଼ିକୁ ମାର୍ଗଦର୍ଶନ କରିବାକୁ ହେବ। ଏଥିପାଇଁ ପ୍ରତିଷ୍ଠିତ ଲେଖକମାନେ ଆଗେଇ ଆସିବା ଉଚିତ। ଭାଷାକୁ ବଞ୍ଚାଇ ରଖିବାକୁ ହେଲେ ଗଳ୍ପ ବା ଗଦ୍ୟ ସାହିତ୍ୟ ଏକ ବଡ଼ ମାଧ୍ୟମ। ବିନା ଗଦ୍ୟରେ ଭାଷା ବଞ୍ଚିବ ନାହିଁ। ଗଦ୍ୟ ବିଶେଷ ଲେଖା ନ ହେଲେ ପରବର୍ତୀ ସମୟରେ ଭାଷା ସଂକଟର ସମ୍ମୁଖୀନ ହେବାକୁ ହେବ। ଅଧିକ ଗପ ଲେଖାଯିବା ଓ ମନକୁ ଛୁଇଁଲା ଭଳି ଗପ କିଭଳି ଲେଖାଯିବ ସେଥିପାଇଁ ପ୍ରୟାସ କରିବା ଜରୁରୀ। ‘କଥା’ ଏଥିପାଇଁ ଲେଖକଙ୍କୁ ଏକ ମାଧ୍ୟମ ପ୍ରଦାନ କରିଛି। ‘ସମ୍ବାଦ’ ବଞ୍ଚିଥିବା ପର୍ଯ୍ୟନ୍ତ ଏବଂ ଲୋକେ ଗପ ଲେଖୁଥିବା ଓ ପଢ଼ିବାକୁ ଚାହୁଥିବା ପର୍ଯ୍ୟନ୍ତ ‘କଥା’ ନିଶ୍ଚିତ ବଞ୍ଚି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ଆଜିର ସାମାଜିକ ଗଣମାଧ୍ୟମ ଯୁଗରେ ସୂଚନା ଓ ଡିଜିଟାଲ ବିପ୍ଲବ ଯୋଗୁଁ ପୁସ୍ତକ ପ୍ରକାଶନ ବିପଦରେ ରହିଥିବାବେଳେ ବହି ଦୋକାନରେ ତାଲା ପଡ଼ିବା ଉପରେ। ଯୁବପିଢ଼ିଙ୍କ ମଧ୍ୟରେ ପଢ଼ିବାର ଅଭ୍ୟାସ ନାହିଁ। ବୈଷୟିକ ଜ୍ଞାନକୌଶଳର ଯେତେ ପ୍ରଭାବ ରହିଥିଲେ ହେଁ ପୁରାଣ ଯୁଗରୁ ଆଜି ପର୍ଯ୍ୟନ୍ତ ସାହିତ୍ୟର ଗୁରୁତ୍ବ ଓ ଆବଶ୍ୟକତାକୁ ଅସ୍ବୀକାର କରିହେବ ନାହିଁ। ସଂସ୍କୃତିକୁ ଭଲଭାବେ ଜାଣିବା, ଭାଷାଜ୍ଞାନର ବୃଦ୍ଧି, ଇତିହାସକୁ ଭଲଭାବେ ଚିହ୍ନିବା ଓ ଲେଖିବା ଶୈଳୀରେ ଉନ୍ନତି, ସମାଜରେ ମଣିଷ ଭଳି ରହିବା ଓ ନିଜ ଭିତରେ ମଣିଷପଣିଆକୁ ବଜାୟ ରଖିବାରେ ସାହିତ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ମଧ୍ୟ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଦିଗରେ ‘କଥା’ର ଭୂମିକା ରହିଛି ବୋଲି କହିବା ସହିତ ସାମ୍ବାଦ ଗ୍ରୁପ୍‌ର ବିଭିନ୍ନ ବିଭାଗ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ପ୍ରାରମ୍ଭରେ ‘କଥା’ର ସଂପାଦକ ଗୌରହରି ଦାସ ସ୍ବାଗତ ଭାଷଣ ଦେଇ କହିଥିଲେ, ନୂଆ ଲେଖକଙ୍କୁ ପ୍ରୋତ୍ସାହନ ଦେବା ହେଉଛି ‘କଥା’ ନବପ୍ରତିଭା ପ୍ରତିଯୋଗିତାର ଆଭିମୁଖ୍ୟ। ଗପ/ଉପନ୍ୟାସକୁ ସମାଜର ଅନେକ ଲୋକ ମିଛ ବୋଲି କହିଥାନ୍ତି। ମାତ୍ର ଆଲବର୍ଟ କାମ୍ୟୁ କହିଥିଲେ ଯେ ଗପ ହେଉଛି ସେହି ମିଛ, ଯାହା ଜରିଆରେ ଜଣେ ସତ ପାଖରେ ପହଞ୍ଚିଥାଏ। ବାସ୍ତବତା ଯାହାକୁ ଲୁଚେଇବାକୁ ଚେଷ୍ଟା କରୁଥାଏ ଗପ ତାହାକୁ ପଦାକୁ ଆଣିଥାଏ। ଆଜିର ସମୟରେ ବିଭିନ୍ନ ଭାରତୀୟ ଭାଷାରେ ଭଲ ଗପର ମରୁଡ଼ି ଦେଖାଦେଇଛି। ଯେଉଁ ମଣିଷ ପିଲାଦିନେ ଗପ ଶୁଣିନାହିଁ ବଡ଼ ହେଲେ ସେ ଗପ କହିପାରିବ ନ‌ାହିଁ କିମ୍ବା ଲେଖିପାରିବ ନାହିଁ ବୋଲି ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ‘କଥା’ର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏହା ବ୍ୟତୀତ ‘କଥା’ ନବପ୍ରତିଭ‌ା ପ୍ରତିଯୋଗିତା-୨୦୧୯ର ୧୦ କୃତୀ ପ୍ରତିଯୋଗୀ ରୋଜାଲିନ୍ ମହାନ୍ତି, ସଂଜୟ କୁମାର ପଣ୍ଡା, ସୌମ୍ୟଜିତ ପଣ୍ଡା, ଲିଜା ଦାସ, ଯୀଶୁକ୍ରିଷ୍ଣ ଦାସ, ମାଧବାନନ୍ଦ ପାତ୍ର, ରାଜେଶ ପୂଜାରୀ, ସ୍ମୃତିପ୍ରଭାତ ସାହୁ, ଶିବାନନ୍ଦ କର୍ମୀ ଓ ହୃଷୀକେଶ ମହାରଣାଙ୍କୁ କଥା ନବପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା। ‘କଥା’ର ସହ ସଂପାଦକ କ୍ଷେତ୍ରବାସୀ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ‌ଉପସ୍ଥିତ ଥିଲେ।

ଏହି ଅବସରରେ ବିପ୍ଳବୀ କବି ରବି ସିଂଙ୍କ ଆତ୍ମାର ସଦ୍‌ଗତି କାମନା କରି ୧ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର