ଲକଡାଉନ୍‌ରେ ଘରକୁ ଫେରିପାରିଲେନି ପ୍ରବାସୀ ଓଡ଼ିଆ ଶ୍ରମିକ, ହରିଆଣାରେ କଲେ ଆତ୍ମହତ୍ୟା!

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଘରକୁ ଆସି ପାରି ନଥିବା ଜଣେ ଓଡ଼ିଆ ଶ୍ରମିକ ହରିଆଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁର ଯୁବକଙ୍କ ନାମ ଗଙ୍ଗାଧର ବିଶ୍ୱାଳ । ସେ ହରିଆଣାର ଯମୁନାବିହାର ଅଂଚଳରେ ରହି ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ । ଘରକୁ ଆସିବା ପାଇଁ ବହୁ ଉଦ୍ୟମ କରିଥିଲେ । କିନ୍ତୁ ପ୍ରାୟ ୨ ହଜାର କିଲୋମିଟର ଦୂରରୁ ଓଡ଼ିଶା ଫେରିବା ଗଙ୍ଗାଧର ବିଶ୍ୱାଳଙ୍କ ପାଖରେ ଉପାୟ ନ ଥିଲା । ଶେଷରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଗଙ୍ଗାଧରଙ୍କ ସାଙ୍ଗରେ ରହୁଥିବା ଅନ୍ୟ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

ଲକଡାଉନ ଯୋଗୁଁ ଗଙ୍ଗାଧର ହରିଆଣାରେ ଫସିଥିବା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ତାଙ୍କୁ ସେଠାରୁ ଓଡ଼ିଶା ଆସିବା ପାଇଁ ସହଯୋଗ କରାଯାଉ ବୋଲି ମଧ୍ୟ ଆକୁଳ ନିବେଦନ କରିଥିଲେ । କାରଣ ସେ ନିଜ ଗାଁକୁ ଫେରିବାକୁ ନେଇ ଚିନ୍ତିତ ଥିଲେ । ସୋସିଆଲ ମିଡ଼ିଆ ଜରିଆରେ ସରକାରଙ୍କ ଠାରୁ ସହଯୋଗ ଲୋଡ଼ିଥିଲେ ବୋଲି ମଧ୍ୟ ଅଭିଯୋଗ ହେଉଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ ହୋଇଛି । ଦେଶରେ ସାଧାରଣ ପରିବହନ ସେବା ବନ୍ଦ ହୋଇଛି । ଫଳରେ ବାହାର ରାଜ୍ୟରେ ଥିବା ଲୋକେ ଘରକୁ ଫେରିବା ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି । ଅନେକ ଲୋକ ନିଜସ୍ୱ ବ୍ୟବସ୍ଥାରେ ଘରକୁ ଫେରୁଥିବା ବେଳେ ଉପାୟ ଶୂନ୍ୟ ହୋଇ ଲକ୍ଷାଧିକ ଲୋକ ଏବେବି ଅଟକ ରହିଛନ୍ତି ।

ସମ୍ବନ୍ଧିତ ଖବର