ସାଉଦି ଆରବରେ ଓଡ଼ିଆ ଯୁବକ ଗୁରୁଦେବଙ୍କ ମୃତ୍ୟୁ ଘଟଣା: ଭାରତୀୟ ଦୂତାବାସକୁ ପତ୍ର ଲେଖିଲେ ବୈଜୟନ୍ତ ପଣ୍ଡା

ଖୋର୍ଦ୍ଧା: ସାଉଦି ଆରବରେ କାମ କରୁଥିବା ବାଲୁଗାଁ ବ୍ଲକ ଅନ୍ତର୍ଗତ ଆଙ୍କୁଳା ଗାଁର ବିଜୟ ଜେନାଙ୍କ ବଡ଼ପୁଅ ଗୁରୁଦେବଙ୍କ ମୃତ୍ୟୁର ୧ ମାସ ବିତିଯାଇଥିଲେ ମଧ୍ୟ ତାଙ୍କ ମରଶରୀର ଘରକୁ ଫେରିପାରିନାହିଁ । ଏନେଇ ଭାଜପାର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଉଦ୍ୟମ ଆରମ୍ଭ କରିଛନ୍ତି । ଗୁରୁଦେବଙ୍କ ମରଶରୀର ଆଣିବା ଦିଗରେ ସହାୟତା କରିବା ନିବେଦନ କରି ସାଉଦି ଆରବରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି ।

ଗୁରୁଦେବ ଜେନା

ଗୁରୁଦେବ ସାଉଦି ଆରବରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ପାଇବା ପରେ ଗୁରୁଦେବଙ୍କ ମରଶରୀରକୁ ଆଣିବା ପାଇଁ ତାଙ୍କ ପରିବାର ସଦସ୍ୟ ସ୍ଥାନୀୟ ଶ୍ରମ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କରି ବିଫଳ ହୋଇଥିଲେ । ଏନେଇ ସେମାନେ ଅଂଚଳର ବରିଷ୍ଠ ବିଜେପି ନେତା ପୃଥିବୀରାଜ ହରିଚନ୍ଦନଙ୍କୁ ଜଣାଇବା ପରେ ଶ୍ରୀ ହରିଚନ୍ଦନଙ୍କ ଅନୁରୋଧ କ୍ରମେ ବୈଜୟନ୍ତ ପଣ୍ଡା ଏନେଇ ବ୍ୟକ୍ତିଗତସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି । ସାଉଦି ଆରବରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖି ଗୁରୁଦେବଙ୍କ ମରଶରୀର ଭାରତ ଆଣିବା ଦିଗରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର