ଓଡ଼ିଆ ବ୍ୟକ୍ତିଙ୍କୁ ସୁରତରେ ଫାଶୀ ଦଣ୍ଡ, ଦୁଷ୍କର୍ମ ପରେ ନାବାଳିକା ଝିଅକୁ ହତ୍ୟା କରିଥିଲା ବାପା

ଭୁବନେଶ୍ୱର: ନିଜର ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗୁଜୁରାଟର ସୁରତରେ ଫାଶୀ ଦଣ୍ଡ ମିଳିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସୁରତସ୍ଥିତ ପୋକ୍ସୋ କୋର୍ଟ ଟୁକୁନା ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଫାଶୀଦଣ୍ଡ ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ଘର ଓଡ଼ିଶାରେ ବୋଲି ଗୁଜୁରାଟ ଗଣମାଧ୍ୟମରୁ ଜଣାପଡ଼ିଛି। ୨୦୧୭ ମସିହା ଜୁନ ୨୯ ତାରିଖରେ ଗୁଜୁରାଟ ପୁଲିସ ଜଣେ ୧୪ ବର୍ଷୀୟ ନାବଳିକାର ମୃତଦେହ ଉଦ୍ଧାର କରିଥିଲା ଓ ଏହି ଘଟଣାର ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ନାବାଳିକାକୁ ହତ୍ୟା କରାଯାଇଛି। ପୁଲିସ ନାବାଳିକାକୁ ହତ୍ୟା କରାଯିବାର କାରଣ କ’ଣ ହୋଇପାରେ ସେ ଦିଗରେ ଅଧିକ ତଦନ୍ତ କରିଥିଲା।

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ନାବାଳିକା ୬ ମାସର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲା। ଏହି ଘଟଣା ସହିତ କିଏ ଜଡ଼ିତ ତାହା ଜାଣିବା ପାଇଁ ପ୍ରଥମେ ବାପା ଟୁକୁନାକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତା’ର କଥା ତାଳମେଳ ନ ରହିବାରୁ ପୁଲିସର ସନ୍ଦେହ ବଢ଼ି ଯାଇଥିଲା। ଫଳରେ ପୁଲିସ୍‌ ଟୁକୁନାକୁ ଗିରଫ କରିଥିଲା। ଅଧିକ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଟୁକୁନା ହିଁ  ନିଜ ଝିଅର ହତ୍ୟାକାରୀ।

ଅନ୍ୟପଟରେ ନାବାଳିକାର ଗର୍ଭରେ ଥିବା ଭ୍ରୁଣର ଡିଏନଏକୁ ମଧ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ବାପା ଓ ଝିଅର ଡିଏନ୍‌ଏ ମେଳ ଖାଇଥିଲା। ତେଣୁ ପୁଲିସ ସୁନିଶ୍ଚିତ ହୋଇ ଯାଇଥିଲା ଯେ, ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ପରେ ଟୁକୁନା ଭୟରେ ତଣ୍ଟିଚିପି ମାରିଦେଇଛି। ଘଟଣା ସଂପର୍କରେ ପୁଲିସ ସୁନିଶ୍ଚିତ ହେବା ପରେ ନିଜ ତରଫରୁ ମାମଲା ରୁଜୁ କରିଥିଲା।

ସୂଚନାଯୋଗ୍ୟ, ଟୁକୁନା ଦାସ ବହୁ ବର୍ଷ ହେବ ଓଡ଼ିଶାରୁ ଯାଇ ସୁରଟରେ ରହୁଥିଲା। ସେଠାରେ ସେ ଏକ କୌଣସି ଏକ କାରଖାନାରେ କାମ କରୁଥିଲା।

ସମ୍ବନ୍ଧିତ ଖବର