ସାଇକେଲ୍‌ରେ ‘ରକ୍ତଦାନ, ଜୀବନ ଦାନ’ର ବାର୍ତା ବାଣ୍ଟୁଛନ୍ତି ଜୟଦେବ : ୭ରାଜ୍ୟ, ୪ ମାସ, ୯ ହଜାର କିଲୋମିଟରର ଯାତ୍ରା, ସମ୍ବର୍ଧିତ କଲେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର : ରକ୍ତ ଅଭାବରୁ କାହାର ଅକାଳ ମୃତ୍ୟୁ ନହେଉ। ସୁସ୍ଥ ବ୍ୟକ୍ତିଟିଏ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଭଳି ମହତ କାର୍ଯ୍ୟ କରିବାକୁ ଆଗେଇ ଆସୁ। ଏହି ମହତ ବାର୍ତା ନେଇ ସାଇକେଲ୍‌ରେ ୭ଟି ରାଜ୍ୟ ବୁଲିସାରିଲେଣି ଭଦ୍ରକ ଧାମନଗର ବ୍ଲକ ଡିଲୁଅ କବିରାଜ ସାହିର ଜୟଦେବ ରାଉତ। ଗତବର୍ଷ ନଭେମ୍ବର ୭ ତାରିଖରେ ସେ କୋଲକାତାରୁ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହରେ ଏହା ଶେଷ ହେବ ବୋଲି ଶ୍ରୀ ରାଉତ କହିଛନ୍ତି। ଆଜି ସେ ଓଡ଼ିଶାରେ ପହଞ୍ଚିବା ପରେ ରକ୍ତଦାନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିବା ସହ ସମ୍ବର୍ଧିତ କରିଛନ୍ତି।

ଶ୍ରୀ ରାଉତଙ୍କ କହିବା ମୁତାବକ, ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଫୁଟବଲ ଖେଳିବା ବେଳେ ପଡ଼ିଯିବାରୁ ତାଙ୍କର ରକ୍ତସ୍ରାବ ହୋଇଥିଲା। ଫଳରେ ହଠାତ ତାଙ୍କର ରକ୍ତର ଆବଶ୍ୟକ ପଡ଼ିଥିଲା। ଏହି ସମୟରେ ତାଙ୍କୁ କେହି ରକ୍ତ ଯୋଗାଇ ଦେବାରୁ ସେ ନୂଆ ଜୀବନ ପାଇଥିଲେ। ତାଙ୍କ କହିବା ମୁତାବକ, ଏଇ ଘଟଣା ପରଠୁ ମୁଁ ରକ୍ତଦାନର ମହତ୍ତ୍ବ ବୁଝିପାରିଥିଲି। ପରେ ନିଜେ ବି ରକ୍ତ ଦାନ କରିବା ଆରମ୍ଭ କରିଥିଲି। ଇତିମଧ୍ୟରେ ଶ୍ରୀ ରାଉତ ନିଜେ ୩୮ ଥର ରକ୍ତଦାନ କରିସାରିଛନ୍ତି। ଓଡ଼ିଶା ରକ୍ତଦାତା ମହାସଂଘର ସକ୍ରିୟ ସଦସ୍ୟ ଭାବେ ନିଜେ ଅନେକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏ ସମ୍ବନ୍ଧରେ ଯୁବପିଢ଼ିଙ୍କୁ ସଚେତନ କରାଇବା ପାଇଁ ସେ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ସାଇକେଲ୍‌ରେ ଯାତ୍ରା ଆରମ୍ଭ କରିଥିଲେ। ୨୦୧୮ ମସିହା ଅକ୍ଟୋବର ମାସରେ ସେ ୧୨ଟି ରାଜ୍ୟରେ ୮ ହଜାର କି‌ଲୋମିଟର ସାଇକେଲ୍‌ରେ ଯାତ୍ରା କରି ରକ୍ତଦାନ କରିବାକୁ ସଚେତନତା ବାର୍ତା ଦେଇଥିଲେ। ପରେ ୨୦୧୯ ନଭେମ୍ବରରେ ସେ ଦ୍ବିତୀୟ ଯାତ୍ରା ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗରୁ ଆରମ୍ଭ କରିଥିବା ଏହି ଯାତ୍ରାରେ ସେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ରାଜ୍ୟ ଅତିକ୍ରମ କରିସାରିଛନ୍ତି। ଏହି ସାଇକେଲ୍ ଯାତ୍ରା ମଧ୍ୟରେ ସେ କିଛି ସ୍ଥାନରେ ସ୍କୁଲ୍‌ କଲେଜରେ ସଚେତନତା ସଭାରେ ବାର୍ତା ବାଣ୍ଟିଛନ୍ତି। କିଛି ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ସ୍ବାଗତ କରାଯାଇଛି। ୪ ମାସର ଯାତ୍ରା କାଳରେ ଇଣ୍ଡିଆନ ରେଡକ୍ରସ ସୋସାଇଟି ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି।

‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କୁ ଆଜି ନିଜ ବାସଭବନରେ ସମ୍ବର୍ଧିତ କରିବା ସହ କହିଛନ୍ତି, ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀ ରାଉତ ଦୁଇ ବର୍ଷ ଧରି ଯେଉଁ ଅଭିଯାନ ଜାରି ରଖିଛନ୍ତି ତାଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ମୁଁ ରକ୍ତଦାନ କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଥିବାରୁ ଏଭଳି ଏକ ଅଭିଯାନ ପାଇଁ ଅତ୍ୟନ୍ତ ଆନନ୍ଦିତ। ଦୁଇଟି କାରଣରୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଗୋଡ଼ରେ ଦମ୍‌ ଥିଲେ ଓ ପ୍ରବଳ ଇଚ୍ଛାଶକ୍ତି ଥିଲେ ଯେ ସାରା ଭାରତ ବୁଲି ହେବ ଏକଥାକୁ ମଧ୍ୟ ସେ ପ୍ରମାଣିତ କରିଛନ୍ତି।‌ ଯେଉଁ ଯୁବ ବନ୍ଧୁମାନେ ସାଇକେଲ୍‌ କଥା ଶୁଣିଲେ ନାକ ଟେକୁଛନ୍ତି ସେମାନଙ୍କ ପାଇଁ ଏହା ଗୋଟେ ବାର୍ତା ଦେବ ଯେ ପ୍ରବଳ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଦ୍ବିତୀୟଟି ହେଲା ‘ରକ୍ତଦାନ ଅଭାବରୁ କେହି ମରିବେ ନାହିଁ’ ବୋଲି ଆମେ ଯେଉଁ ଆହ୍ବାନ ଦେଇଛୁ ସେଇ ଆହ୍ବାନରେ ସେ ଯେଭଳି ସହଯୋଗ ଦେଇଛନ୍ତି ସେଥିପାଇଁ ମୁଁ ବହୁତ ଆନନ୍ଦିତ। ମୋର ବିଶ୍ବାସ, ତାଙ୍କର ଏ ପରିଶ୍ରମ ଆଦୌ ବୃଥା ଯିବ ନାହିଁ। ସେ ଜୀବନରେ ଆଉ ଯାହା କରିବେ ନିଶ୍ଚୟ ସେଥିରେ ସଫଳ ହେବେ। ମୁଁ ବ୍ୟକ୍ତିଗତ ଭାବେ ବିଶ୍ବାସ କରେ, ଯେଉଁ ଯୁବ ବ୍ୟକ୍ତିମାନେ ନିଜ ଉପରୁ ଭରସା ହରାଇ ଦେଉଛନ୍ତି ବା ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁନାହାନ୍ତି ସେମାନଙ୍କୁ ଶ୍ରୀ ରାଉତଙ୍କ ମାଧ୍ୟମରେ ନିବେଦନ କରିବାକୁ ଚାହୁଁଛି ଯେ ସେମାନେ ପ୍ରତିବର୍ଷ ଗୋଟେ ୟୁନିଟ୍‌ ରକ୍ତଦାନ କରନ୍ତୁ। ଦେଖିବେ, ଈଶ୍ବର ଆପଣଙ୍କୁ ଆଶୀର୍ବାଦ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର