ଜଳେଶ୍ୱର: ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଆର୍‌ଜି କର୍ ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବର୍ଷେ ନପୂରୁଣୁ ଏହି ଘଟଣା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ପୀଡ଼ିତାଜଣଙ୍କ ପଶ୍ଚିମବଙ୍ଗ ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀ। ଗଣଦୁଷ୍କର୍ମ ‌ନେଇ ଛାତ୍ରୀଙ୍କ ମାଆ ଦୁର୍ଗାପୁର ନ୍ୟୁଟାଉନ୍‌ ଥାନାରେ ଆଜି ଲିଖିତ ଅଭିଯୋଗ କରିବାପରେ ପୁଲିସ କେସ୍‌ ନଂ ୧୩୧/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗରେ ଲଗାତାର ଏହିଭଳି ସମ୍ବେଦନଶୀଳ ଘଟଣା ଘଟୁଥିବାରୁ ସେଠାକାର ମମତା ବାନାର୍ଜୀ ସରକାରଙ୍କୁ ବିରୋଧୀମାନେ ଘେରିଛନ୍ତି। ଘଟଣାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁଯାୟୀ, ଜଳେଶ୍ବର ଅଞ୍ଚଳର ପୀଡ଼ିତା କୋଲକାତାଠାରୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପହବ୍ ଦୁର୍ଗାପୁରର ଶୋଭାପୁର ନିକଟସ୍ଥ ଘରୋଇ ଆଇକ୍ୟୁ ସିଟି ମେଡିକାଲ୍ କଲେଜରେ ଏମ୍‌ବିବିଏସ୍ ପଢ଼ୁଛନ୍ତି।  ୧୦ ତାରିଖ ରାତି ସାଢ଼େ ୮ ସମୟରେ ଜଣେ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍‌କୁ ଗୁପ୍‌ଚୁପ୍‌ ଖାଇବାକୁ ଡାକିଥିଲେ। ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉକିଛି ବାଟ ଯିବା ପାଇଁ କହିଥିଲେ। ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ ଶହ ମିଟର ଚାଲିଚାଲି ଯାଇଥିଲେ। ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ। ହଠାତ୍‌ ପୁରୁଷ ବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ିଥିଲେ। ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦୁର୍ଗାପୁର ପୁଲିସ ପହଞ୍ଚି ତଦନ୍ତ କରୁଛି। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିବା ସହ ସେହି ଅଞ୍ଚଳର ଭିଡିଓଗ୍ରାଫି କରିଛି। ପୁଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ପୀଡ଼ିତାଙ୍କ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚରା ଆରମ୍ଭ କରିଛି। ପୀଡ଼ିତା ମାନସିକ ଓ ଶାରୀରିକ ଭାବେ ଆଘାତ ପାଇଥିବାରୁ ସେ ସାମାନ୍ୟ ସୁସ୍ଥ ଅନୁଭବ କଲାପରେ ବୟାନ ରେକର୍ଡ କରାଯିବ ବୋଲି ପଶ୍ଚିମବଙ୍ଗ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି
ଭେଟିଲେ ଜାତୀୟ ମହିଳା କମିସନ ସଦସ୍ୟା
ଜଣେ ଅଟକ, ୯ ଜଣିଆ ଏସ୍‌ଆଇଟି ଗଠିତ
ସୁସ୍ଥ ହେବା ପରେ ବୟାନ ରେକର୍ଡ କରାଯିବ

ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରୀଜଣଙ୍କ ରାତି ସମୟରେ କିପରି ଓ କେଉଁ ପରିସ୍ଥିତିରେ ବାହାରକୁ ଗଲେ ବୋଲି ତାଙ୍କ ବାପାମା’ଙ୍କ ସହ କଲେଜର ଛାତ୍ରଛାତ୍ରୀ ମଧ୍ୟ ପ୍ରଶ୍ନ କରିଛନ୍ତି। ଆଜି ଦିନତମାମ ଦୁର୍ଗାପୁର ମେଡିକାଲ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଜାତୀୟ ମହିଳା କମିସନର ସଦସ୍ୟା ଅର୍ଚ୍ଚନା ମଜୁମଦାର ପୀଡ଼ିତାଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ୯ ଜଣିଆ ସ୍ପେସାଲ୍ ଇନ୍‌ଭେଷ୍ଟିଗେସନ୍‌ ଟିମ୍ (ଏସ୍‌ଆଇଟି) ଗଠନ କରିଛନ୍ତି। ଛାତ୍ରୀଙ୍କ ବାପାମା’ ଗତକାଲି ରାତିରେ ଦୁର୍ଗାପୁରରେ ପହଞ୍ଚି ଝିଅ ପାଖରେ ରହିଛନ୍ତି। 

ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ଝିଅର ସାଙ୍ଗ ତାଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ମୋ ଝିଅର ଅବସ୍ଥା ଗୁରୁତର ଥିଲା ଏବଂ ଡାକ୍ତରଖାନା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ପୀଡ଼ିତା ଓ ତାଙ୍କର ଜଣେ ସାଥୀ କ୍ୟାମ୍ପସ ଗେଟ୍ ପାଖରେ ପହଞ୍ଚିଥିଲେ, ସେଠାରେ ପ୍ରାୟ ଚାରିରୁ ପାଞ୍ଚ ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଏକ ଅନ୍ଧାରିଆ ସ୍ଥାନକୁ ଟାଣିନେଇ ଦୁଷ୍କର୍ମ କରିବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଫେରସ୍ତ କରିବାକୁ ୩,୦୦୦ ଟଙ୍କା ମାଗିଥିଲେ। କ୍ୟାମ୍ପସ୍‌ରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ଡାକ୍ତର ସାମ୍ମୁଖ୍ୟ (ଡବ୍ଲ୍ୟୁବିଡିଏଫ୍) ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି। ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଡବ୍ଲ୍ୟୁବିଡିଏଫ୍ କହିଛି ଯେ ଭାରତର ପ୍ରଧାନ ବିଚାରପତି ଏହି ମାମଲାକୁ ଗ୍ରହଣ କରି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ। ପଶ୍ଚିମବଙ୍ଗର ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ଯେପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ସରକାରଙ୍କୁ ଉତ୍ତରଦାୟୀ କରାଯିବ ନାହିଁ, ସାରା ରାଜ୍ୟରେ ମହିଳାମାନେ ଭୟଭୀତ ଅବସ୍ଥାରେ ବଞ୍ଚିବେ। ତେବେ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ତୃଣମୂଳ ନେତା ଶଶୀ ପଞ୍ଜା ବିଜେପିକୁ ଜବାବ ଦେଇ କହିଛନ୍ତି ଯେ, ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ। 

ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିନ୍ଦା କରିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କ ସହ ଫୋନ୍‌ରେ କଥା ହୋଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ। ଏହି ଖବର ଶୁଣି ମୁଁ ମର୍ମାହତ। ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଦୃଢ଼ ଦାବି ଜଣାଉଛି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଘଟଣାରେ ପଶ୍ଚିମବଙ୍ଗର ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ।

ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ହେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ
ପୀଡ଼ିତାଙ୍କ ବାପାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମ୍ବେଦନଶୀଳତା ଦେଖାଯାଉନି: ବିଜେପି

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମୋତେ ବ୍ୟଥିତ କରିଛି। ଚିକିତ୍ସାଧୀନ ପୀଡ଼ିତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଦୋଷୀ ଯିଏ ବି ହୋଇଥାଉ, ତ୍ୱରିତ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ସରକାର କଡ଼ା ପଦକ୍ଷେପ ନେବା ଆବଶ୍ୟକ। ଓଡ଼ିଶା ସରକାର ପୀଡ଼ିତା ଏବଂ ତାଙ୍କ ପରିବାର ସହ ଅଛନ୍ତି ଓ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି। ସେହିପରି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ। ପୀଡ଼ିତା ଛାତ୍ରୀଙ୍କ ପ୍ରତି ଯେଉଁଭଳି ଅମାନୁଷିକ ଓ ବର୍ବରୋଚିତ ଘଟଣା ଘଟିଛି ତାହା ରାଜ୍ୟର ମହିଳା ସୁରକ୍ଷାକୁ ନେଇ ବିରାଟ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଦୁଷ୍କର୍ମକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ସରକାର ଚିହ୍ନଟ କରିନାହାନ୍ତି କି ଗିରଫ କରିନାହାନ୍ତି। ଏପରିକି ସ୍ଥାନୀୟ ପୁଲିସ ମଧ୍ୟ ସହଯୋଗ କରୁନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇଥିବାବେଳେ ତାଙ୍କର ସମ୍ବେଦନଶୀଳତା ଦେଖାଯାଉନାହିଁ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଦୁଇ ଦିନ ତଳେ ପଶ୍ଚିମବଙ୍ଗର ରାଜ୍ୟପାଳ ସାର୍ବଜନୀନ ଭାବେ ମମତା ବାନାର୍ଜୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ତଥାପି ସ୍ଥିତି ସୁଧୁରୁ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।