ଓଡ଼ିଆ ବୋର୍ଡ ପାଠ୍ୟକ୍ରମ କାଣ୍ଟ୍‌ଛାଣ୍ଟ୍‌ କେବେ?

୧୨୭ ଦିନରେ ସିଲାବସ୍‌ ସରିବ ତ, ୨୧୦ ଦିନରୁ ୮୩ ଦିନ ପାଠପଢ଼ା ପ୍ରଭାବିତ

ଭୁବନେଶ୍ବର, (କେଶବ ପାଣି): ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବର୍ଷ କେତେ ପାଠ ପଢ଼ିବେ। ପୂର୍ବ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମସ୍ତ ସିଲାବସ୍‌ ପଢ଼ାଯିବ ନା ପାଠ୍ୟକ୍ରମ କାଣ୍ଟ୍‌ଛାଣ୍ଟ୍‌ କରାଯାଇ ପିଲାଙ୍କୁ ପଢ଼ାଯିବ। ଯଦି ସମ୍ପୂର୍ଣ୍ଣ ପାଠ୍ୟକ୍ରମ ପଢ଼ିବେ ତେବେ ଏଥିପାଇଁ ସମୟ ଅଛି ତ? ଯଦି ବି କାଣ୍ଟ୍‌ଛାଣ୍ଟ୍‌ କରାଯାଏ ତେବେ କେବେ ହେବ?

ସିଆଇଏସ୍‌ସିଇ(କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌) ଓ ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ବୋର୍ଡର ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ଯଥାକ୍ରମେ ୨୫ ଓ ୩୦ ପ୍ରତିଶତ ହ୍ରାସ କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାକୁ ସ୍କୁଲଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏମିତି କି ସଂଶୋଧିତ ପାଠ୍ୟକ୍ରମ ଇତି ମଧ୍ୟରେ ୱେବସାଇଟ୍‌ରେ ଉପଲବ୍ଧ ହେଲାଣି। କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ୪ ମାସର ପାଠପଢ଼ା ପ୍ରଭାବିତ ହୋଇଥିବାରୁ ପିଲାଙ୍କ ଚାପ କମ୍‌ କରିବା ଲାଗି ଉକ୍ତ ଦୁଇ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ସରକାର କିମ୍ବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ଥିବା ୯ମ ଓ ୧୦ମ ଶ୍ରେଣୀ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନରେ ଥିବା ଏକାଦଶ ଶ୍ରେଣୀ(ଯୁକ୍ତ୨ ପ୍ରଥମ ବର୍ଷ) ଓ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨ ଦ୍ବିତୀୟ ବର୍ଷ) ପାଠ୍ୟକ୍ରମକୁ କାଣ୍ଟ୍‌ଛାଣ୍ଟ୍‌ କରିବା ତ ଦୂରର କଥା ଏପର୍ଯ୍ୟନ୍ତ ବିଚାର ଆଲୋଚନା ହୋଇ ନାହିଁ।

ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶା ବୋର୍ଡ ଅଧୀନରେ ବର୍ଷକୁ ପ୍ରାୟ ୨୧୦ ଦିନ ପାଠପଢ଼ା ହୋଇଥାଏ। ବର୍ଷକର ୩୬୬ ଦିନ ମଧ୍ୟରୁ ୮୨ ଦିନର ଛୁଟି ରହିଛି। ୫୨ ଦିନ ରବିବାର ପଡ଼ୁଥିବା ବେଳେ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଲାଗି ୧୬ ଦିନ ପାଠପଢ଼ା ବନ୍ଦ ରହିଥାଏ। ଏମିତି ଆଉ କିଛି କାରଣ ଲାଗି ୫ରୁ ୬ ଦିନ ଛୁଟି ରୁହେ। ସମସ୍ତ ହିସାବକୁ ନେଲେ ବର୍ଷକୁ ପ୍ରାୟ ୨୧୦ ଦିନ ପାଠପଢ଼ା ହୋଇଥାଏ। ୨୦୨୦-୨୧ ଶିକ୍ଷାବର୍ଷରେ ୪ ମାସ ପାଠପଢ଼ା ପ୍ରଭାବିତ ହୋଇ ସାରିଲାଣି। ଅର୍ଥାତ୍‌ ଜୁଲାଇ ୩୧ ସୁଦ୍ଧା ୬୩ ଦିନର ପାଠପଢ଼ା ପ୍ରଭାବିତ ହେଉଛି। ରାଜ୍ୟ ସରକାର ଅଗଷ୍ଟ ମାସ ପର୍ଯ୍ୟନ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବାରୁ ଏହି ମାସରେ ବି ପାଠପଢ଼ା ହେବନି। ଅଗଷ୍ଟ ମାସର ୩୧ ଦିନ ମଧ୍ୟରୁ ୧୧ ଦିନ ଛୁଟି ପଡ଼ୁଛି। ୫ଟି ରବିବାର ସମେତ ରକ୍ଷା ବନ୍ଧନ, ଜନ୍ମାଷ୍ଟମୀ, ସ୍ବାଧୀନତା ଦିବସ, ଗଣେଶ ପୂଜା, ମହରମ୍‌ ଆଦି ରହିଛି। ତେଣୁ ଯେଉଁ ୨୦ ଦିନ ପାଠପଢ଼ା ହୋଇଥାନ୍ତା ତାହା ବି ଏବେ ବନ୍ଦ। ଏହିପରି ଭାବେ ଏବର୍ଷ ପ୍ରାୟ ୮୩ ଦିନର ପାଠପଢ଼ା ବନ୍ଦ ହେଉଛି। ୨୧୦ ଦିନରୁ ୮୩ ଦିନ ପାଠପଢ଼ା ପ୍ରଭାବିତ ହେଉଥିବାରୁ ଆଉ ମାତ୍ର ୧୨୭ ଦିନ ରହୁଛି। ଏତିକି ସମୟ ମଧ୍ୟରେ କିଭଳି ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଶେଷ ହେବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସିବିଏସ୍‌ଇ ଓ ସିଆଇଏସ୍‌ସିଇ ପାଠ୍ୟକ୍ରମ ହ୍ରାସ କରିବା ଲାଗି ଏପ୍ରିଲ ମାସରୁ ଯୋଜନା ହୋଇଥିଲା। ସମସ୍ତ ବିଷୟ ଲାଗି ବିଶେଷଜ୍ଞ କମିଟି ଗଠନ ସହ ବ୍ୟାପକ ଆଲୋଚନା ପରେ ଏବେ ତାହାକୁ ଲାଗୁ କରାଯାଉଛି। ଓଡ଼ିଶା ବୋର୍ଡଗୁଡ଼ିକ କେବେ ନିଷ୍ପତ୍ତି ନେବେ। କେ‌ବେ ସଂଶୋଧିତ ପାଠ୍ୟକ୍ରମ ପ୍ରସ୍ତୁତ ହେବ ଓ ପିଲାମାନେ ପଢ଼ିବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟଙ୍କ କହିବାନୁଯାୟୀ ଜାତୀୟସ୍ତରୀୟ ବୋର୍ଡଗୁଡ଼ିକ ପଦକ୍ଷେପ ନେଉଥିବାରୁ ଓଡ଼ିଶା ବୋର୍ଡଗୁଡ଼ିକ ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ। ଯଦି ସମ୍ପୂର୍ଣ୍ଣ ପାଠ୍ୟକ୍ରମ ପଢ଼ାଯାଏ ତେବେ ତାହାର ଚାପ ପିଲାଙ୍କ ଉପରେ ପଡ଼ିବ। ସେମାନେ ଭଲ ଫଳ କରିପାରିବେ ନାହିଁ। କେବଳ ଓଡ଼ିଶା ନୁହେଁ, ସମସ୍ତ ରାଜ୍ୟ ବି ଏଦିଗରେ ପଦକ୍ଷେପ ନେବାର ସମୟ ଆସିଛି।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ସିବିଏସ୍‌ଇ ବୋର୍ଡ ପାଠ୍ୟକ୍ରମ କମାଇବା ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏପର୍ଯ୍ୟନ୍ତ ନିରବ ବସିବା ଆଶ୍ଚର୍ଯ୍ୟର ବିଷୟ। ୪ ମାସ ଧରି ପିଲାଙ୍କ ପାଠପଢ଼ା ହୋଇପାରିନି। ଆଗକୁ ଆହୁରି ଦେଢ଼ ମାସ ପାଠପଢ଼ା ବନ୍ଦ ରହିବ। ତେଣୁ ଖୁବ୍‌ଶୀଘ୍ର ବୋର୍ଡ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବୈଷୟିକ କମିଟି ବୈଠକ ଡକାଯାଇ ‌କେତେ ପାଠ୍ୟକ୍ରମ କଟାଯିବ ସେନେଇ ଆଲୋଚନା କରାଯାଉ। ଯଦି ପାଠ୍ୟକ୍ରମ ହ୍ରାସ କରା ନଯିବ ତେବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଉପରେ ଏହାର ଚାପ ରହିବ। ପିଲାଙ୍କ ଉପରେ ବୋଝ ପଡ଼ିବ। ଅନ୍‌ଲାଇନ୍‌ ଶିକ୍ଷା ବି ଫଳପ୍ରଦ ହେବ ନାହିଁ। ବୋର୍ଡ ତୁରନ୍ତ ନିଷ୍ପତ୍ତି ନେଲେ ଶିକ୍ଷକମାନେ ସେହି ଅନୁଯାୟୀ ପଢ଼ାଇପାରିବେ।

ସମ୍ବନ୍ଧିତ ଖବର