ଓ୍ଵାର୍ଧା ଷ୍ଟେସନରେ ଟ୍ରେନ ଧକ୍କାରେ ଓଡ଼ିଆ ଦାଦନ ଶ୍ରମିକର ମୃତ୍ୟୁ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଜଣେ ଥାନା ଓଡିଆପେଣ୍ଠ ଗ୍ରାମର ଜଣେ ୨୨ ବର୍ଷିଆ ଯୁବକ ଦିସୁ ଜମ୍ବେକା ଦାଦନ ଖଟିବାକୁ ଯାଉଥିବା ବେଳେ ଓ୍ଵର୍ଧା ଷ୍ଟେସନରେ ତାର ମୃତ୍ୟୁ ହୋଇଥିବା ସେଠାରୁ ନାରାୟଣପାଟଣା ଥାନାକୁ ଆଜି ଖବର ଆସିଥିଲା। କିନ୍ତୁ ମୃତ ବ୍ୟକ୍ତିଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାର ମୃତ ଶରୀର ଆଣିବା ପାଇଁ ଅସମର୍ଥ। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତରଫରୁ କିଛି ସହାୟତା ପାଇଁ ପରିବାର ବର୍ଗ ଆକୁଳ ନିବେଦନ କରିଛନ୍ତି। ଏନେଇ ତାଙ୍କ ପରିବାର ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖବର ନେବାରେ ଜଣା ପଡିଛି ଦିସୁ ଜମ୍ବେକା ଚଳିତ ମାସ ୨ତାରିଖ ଦିନ ନିଜ ଘର ଓଡିଆପେଣ୍ଠରୁ କଲିକତାର ଅସ୍ଵପେଟା କମ୍ପାନିରେ କାମ କରିବାକୁ ବାହାରିଥିଲା। କିନ୍ତୁ ଆଜି ଓ୍ଵାର୍ଧା ଷ୍ଟେସନରେ ଏକ ଟ୍ରେନ ଧକ୍କାରେ ତାର ମୃତ୍ୟୁ ହୋଇଥିବା ଓ୍ଵାର୍ଧା ଷ୍ଟେସନର ପୁଲିସ ନାରାୟଣପାଟଣା ଥାନାକୁ ଖବର ଦେଇଥିଲେ। କିନ୍ତୁ ଗରିବ ଆଦିବାସୀ ପରିବାର ମୃତ ଶରୀର ଆଣିବାକୁ ଯିବା ପାଇଁ ଅସମର୍ଥ। ଜିଲ୍ଲା ପ୍ରଶାସନ ଏନେଇ ନାରାୟଣପାଟଣା ଥାନା ଓ ମୃତ ବ୍ୟକ୍ତିଙ୍କ ପରିବାର ସହ ଯୋଗାଯୋଗ କରି ମୃତ ଶରୀର ନିଜ ଗ୍ରାମକୁ ଆଣିବା ପାଇଁ ସହଯୋଗ କରିବାକୁ ସବୁ ମହଲରେ ଦାବି ହୋଇଛି। ଏଥି ପୁର୍ବରୁ ଦିସୁ ଉକ୍ତ କମ୍ପାନିରେ କାମ କରି ନିଜ ଗ୍ରାମକୁ ଫେରିଥିଲା। ତେଣୁକରି ସେହି କମ୍ପାନିକୁ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଛି। କମ୍ପାନିରେ ସିଏ ପହଁଚି ପାରି ନଥିବାରୁ କାହା ସହ ଯୋଗାଯୋଗ ହୋଇପାରିନି। ଏନେଇ ଶ୍ରମ ବିଭାଗ ସହ ଯୋଗାଯୋଗ କରାଯାଇଥିଲା କିନ୍ତୁ ସମସ୍ତ ପ୍ରକାର ତଦନ୍ତ କରାନଯିବା ପର୍ଯ୍ୟନ୍ତ ଶବ ଅଣାଯିବାର ବ୍ୟବସ୍ଥା କିମ୍ବା ପରିବାରର ସମ୍ପର୍କିୟ ଉକ୍ତ ସ୍ଥାନରେ ପହଁଚି ଅନ୍ତିମ ସଂସ୍କାର କରିବା ସକାଶେ କୌଣସି ସାହାଯ୍ୟ କରିହେବନି ବୋଲି ସିଧାସିଧା କହିଛନ୍ତି। ଯେହେତୁ ଦୁର୍ଘଟଣା ଜନିତ ମୃତ୍ୟୁର ଖବର ପହଁଚିଛି ତେଣୁ ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶକୁ ଅଣାଯିବ ବୋଲି ଶ୍ରମ ଅଧିକାରି କହିଛନ୍ତି।

ସମ୍ବନ୍ଧିତ ଖବର