ସୁରତରେ ଓଡ଼ିଆ ସୂତାକଳ ଶ୍ରମିକ ଅଶାନ୍ତି ଘଟଣା : ଆନ୍ଦୋଳନ ପରେ ଚେତିଲେ

ହସ୍ତକ୍ଷେପ କଲେ ଧର୍ମେନ୍ଦ୍ର

୧୦ ହଜାର ଶ୍ରମିକଙ୍କ ଖାଇବା ବ୍ୟବସ୍ଥା କଲା ସୁରତ ପ୍ରଶାସନ
ବାକି ଶ୍ରମିକଙ୍କ ଭାଗ୍ୟ ଅନିଶ୍ଚିତତା ଘେରରେ, ୮୨ ଗିରଫ
ରାଜ୍ୟ ଶ୍ରମ କମିସନରଙ୍କ ସହ ଚ୍ୟାଉବାବୁଙ୍କ ଆଲୋଚନା
ସୁରତ ଜିଲ୍ଲାପାଳଙ୍କ ସହ କଥା ହେଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର : ଲକ୍‌ଡାଉନ୍ ପରେ ଗୁଜରାଟର ସୁରତ ଜିଲ୍ଲା ଡାଇମଣ୍ଡନଗର ସୂତାକଳରେ କାମ କରୁଥିବା ଲକ୍ଷାଧିକ ଓଡ଼ିଆ ଶ୍ରମିକଙ୍କ ଜୀବନଜୀବିକା ବିପନ୍ନ ହୋଇଯିବାରୁ ଭୋକ ଓ ବେରୋଜଗାରୀକୁ ନେଇ କୁହୁଳୁଥିବା ଅସନ୍ତୋଷ ଗତ ୧୦ ତାରିଖରେ ଉଗ୍ର ରୂପ ନେଇଥିଲା। ଶହ ଶହ ସଂଖ୍ୟାରେ ଓଡ଼ିଆ ଶ୍ରମିକମାନେ ସୁରତଠାରୁ ୧୬କିମି ଦୂର ଡାଇମଣ୍ଡନଗରରେ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିବା ସହ ବ୍ୟାପକ ପୋଡ଼ାଜଳା କରିଥିଲେ। ଶ୍ରମିକ ଅଶାନ୍ତି ଉଗ୍ର ରୂପ ନେବା ପରେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ସୁରତ ଜିଲ୍ଲା ପ୍ରଶାସନ ଗୁରୁତ୍ବର ସହ ଗ୍ରହଣ କରିଛି। ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ଜିଲ୍ଲା ପ୍ରଶାସନ ୧୦ ହଜାର ଶ୍ରମିକଙ୍କ ପାଇଁ ଦିନକୁ ଦୁଇ ଓଳା ଖାଦ୍ୟର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅସନ୍ତୋଷ ଲାଗି ରହିଥିବାରୁ ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖିରେ ରଖି ଏହି ଅଞ୍ଚଳକୁ ପୁଲିସ ଛାଉଣି କରିଦିଆଯାଇଛି। ଆଉ ଶ୍ରମିକମାନଙ୍କୁ ବାହାରକୁ ବାହାରିବାକୁ ଦିଆଯାଉନାହିଁ। ୮୨ଜଣ ଶ୍ରମିକଙ୍କୁ ପୁଲିସ ଗରିଫ କରି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯା‌ୟୀ ସୁରତ ଜିଲ୍ଲା ପ୍ରଶାସନ ଆଜି ଡାଇମଣ୍ଡନଗରରେ ଥିବା ୩୪ଟି ମେସ୍‌ ମାଲିକଙ୍କୁ ଡାକି ଆଲୋଚନା କରିଛନ୍ତି। ଉକ୍ତ ବୈଠକରେ ସ୍ଥାନୀୟ କମିସନର ଓ ସାଂସଦ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଆଜି ଅପରାହ୍‌ଣରେ ମେସ୍‌ଗୁଡ଼ିକୁ ଚାଉଳ, ଡାଲି ଓ ରାସନ୍‌ ସାମଗ୍ରୀ ଆଦି ମାଗଣାରେ ଯୋଗାଇ ଦିଆଯାଇଛି। ମେସ୍ ମାଲିକମାନେ ଆସନ୍ତାକାଲି ସକାଳଠାରୁ ମେସ୍‌ରେ ରହୁଥିବା ୭ରୁ ୮ହଜାର ଶ୍ରମିକମାନଙ୍କୁ ରୋଷେଇ କରି ଦୁଇଓଳା ଖାଇବାକୁ ଦେବା ଲାଗି ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ବାଲିପଦର ନିକଟସ୍ଥ ଅରଖପୁରର ମୂଳବାସିନ୍ଦା ତଥା ଡାଇମଣ୍ଡନଗର ଅଞ୍ଚଳର ମେସ୍ ମାଲିକ ଯୋଗେନ୍ଦ୍ର ନାୟକ ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି।
ସେହିପରି ରାଜ୍ୟ ଶ୍ରମ କମିସନର ତଥା ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କୋଠାବାଡ଼ି ନିଗମର ସଦସ୍ୟ ସଚିବ ଆର.ଏନ୍.ତିରୁମାଲା ନାୟକଙ୍କ ସହ ଓଡ଼ିଶା ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କୋଠାବାଡ଼ି ନିଗମର ଅଧ୍ୟକ୍ଷ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଆଲୋଚନା କରିଛନ୍ତି। ଶ୍ରମିକମାନଙ୍କୁ ଉପଯୁକ୍ତ ରନ୍ଧାଖାଦ୍ୟ ନଚେତ୍ ଶୁଖିଲା ରାସନ୍ ସାମଗ୍ରୀ ଦେବା ଲାଗି ଗୁଜରାଟର ଶ୍ରମ କମିସନରଙ୍କ ସହ ଆଲୋଚନା କରିବା ଲାଗି ପରାମର୍ଶ ଦେଇଥିବା ଶ୍ରୀ ଚ୍ୟାଉପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମର ଶ୍ରମିକମାନଙ୍କ ସ୍ଥିତି ସଂକ୍ରାନ୍ତରେ ସୁରତ ଜିଲ୍ଲାପାଳ ମଧ୍ୟ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। ଆଜି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ। ସୁରତ ଜିଲ୍ଲାପାଳଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି।

ଗୁଜରାଟର ସୁରତ ଏବଂ ଅହମ୍ମଦାବାଦରେ ଥିବା ସୂତାକଳଗୁଡ଼ିକରେ ଓଡ଼ିଶାର ୪ରୁ ୪.୫ଲକ୍ଷ ଶ୍ରମିକ କାମ କରୁଛନ୍ତି। ଏଥିମଧ୍ୟରୁ ୩ଲକ୍ଷରୁ ଅଧିକ ଶ୍ରମିକ ‌କେବଳ ଗଞ୍ଜାମ ଜିଲ୍ଲାର। ଡାଇମଣ୍ଡନଗର ଓ ମାରୁତିନଗର ଅଞ୍ଚଳରେ ଶତାଧିକ ସୂତାକଳ ରହିଛି। ଏଥିରେ କାମ କରୁଥିବା ୩୦ରୁ ୪୦ହଜାର ଶ୍ରମିକମାନେ ଡାଇମଣ୍ଡନଗର ଅଞ୍ଚଳରେ ଭଡ଼ା ଘରେ ଓ ୩୪ଟି ଛୋଟବଡ଼ ମେସ୍‌ରେ ରହୁଛନ୍ତି। ୮ ହଜାର ଶ୍ରମିକମାନଙ୍କୁ ଖାଇବାକୁ ଦେବାକୁ ମେସ୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାକି ୨ହଜାର ଲୋକଙ୍କ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି।

ତେବେ ଭଡ଼ାଘର ନେଇ ରହୁଥିବା ୧୦ରୁ ୨୦ହଜାର ଶ୍ରମିକ କିଭଳି ଚଳିବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରମିକ ଅଶାନ୍ତିକୁ ଇତିମଧ୍ୟରେ ୪୮ଘଣ୍ଟା ବିତିସାରିଥିଲେ ବି ରାଜ୍ୟ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ। ଗତବର୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସୁରତଠାରେ ଆୟୋଜନ କରିଥ‌ିଲେ ‘ଓଡ଼ିଶା ମହୋତ୍ସବ’। ଏଥିପାଇଁ ରାଜ୍ୟର ମାଳ ମାଳ ନେତା ସୁରତରେ ଡେରା ପକାଇଥିଲେ। ଗଞ୍ଜାମର ମନ୍ତ୍ରୀ ଓ ବିଧାୟକ ଏହାର ମଙ୍ଗ ଧରିଥିଲେ। ହେଲେ ଏତେ ବଡ଼ ବିପତ୍ତି ସମୟରେ ଗଞ୍ଜାମର ନେତାମାନେ କେମିତି ଚୁପ୍‌ ବସିଛନ୍ତି ବୋଲି ସୁରତର ଓଡ଼ିଆ ଶ୍ରମିକମାନେ ପ୍ରଶ୍ନ କରିଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ମୂଳ ବାସିନ୍ଦା ତଥା ସୁରତ ସ୍ଥିତ ଶ୍ରୀପ୍ରଭୁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବଂଶୀଧର ଲେଙ୍କା କହିଛନ୍ତି ଯେ, ଓଡ଼ିଆ ଶ୍ରମିକମାନେ ଦୟନୀୟ ସ୍ଥିତିରେ ରହିଥିବାବେଳେ ଓଡ଼ିଶା ସରକାର ଏଯାବତ୍ କିଛି ପଦକ୍ଷେପ ନେଇନାହାନ୍ତି। ଗୋପାଳପୁର ବିଧାୟକ ସୁରତ ଆସି ଓଡ଼ିଶା ମହୋତ୍ସବର ନେତୃତ୍ବ ନେଇଥିଲେ। ଏବେ ଫୋନ୍ କଲେ ସେ ଉଠାଉନାହାନ୍ତି। ଏହା ଆମକୁ ବେଶୀ ଦୁଃଖ ଦେଇଛି।

ସୁରତର ଓଡ଼ିଆ ନେତା ପ୍ରଦୀପ ସାହୁ କହିଛନ୍ତି ଯେ, ସୁରତ ହେଉଛି ଏକ ମିନି ଓଡ଼ିଶା। ଗୁଜରାଟରେ ଅନ୍ୟୂନ ୫ଲକ୍ଷ ଓଡ଼ିଆ ଶ୍ରମିକ ରହୁଛନ୍ତି। କିନ୍ତୁ ଗୁଜରାଟ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ବୟ ନାହିଁ। ଏଥିଲାଗି ଓଡ଼ିଆ ଶ୍ରମିକମାନେ ଦୟନୀୟ ସ୍ଥିତିରେ ରହିଛନ୍ତି। ଦୁଇଦିନ ତଳେ ବିଧାୟକ ବବି ଦାସ ମୋତେ ଫୋନ୍ କରିଥିଲେ। ଶ୍ରମିକଙ୍କ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ। କିନ୍ତୁ ତା’ପରଠାରୁ ଆଉ ଫୋନ୍ ଆସିନି। ସୁରତ ପାଇଁ ସବୁ ସମୟ ଲାଗି ଜଣେ ଅଧିକାରୀ ନିଯୁକ୍ତ କରିବା ଦରକାର ବୋଲି ମତ ରଖିଛନ୍ତି।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ସୁରତରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ପ୍ରତି ସହାନୁଭୂତି ରହିଛି। କିନ୍ତୁ ଶ୍ରମିକଙ୍କ ସମ୍ପର୍କରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଏଭଳି ବିପଦ ସମୟରେ ଶ୍ରମିକ ପରିସ୍ଥିତିକୁ ନେଇ ଚଳନ୍ତୁ। ବଦ୍‌ଖର୍ଚ୍ଚ କରନ୍ତୁ ନାହିଁ। ସୁରତଠାରେ ରହୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ରାସନ୍‌ କାର୍ଡ଼ ନାହିଁ; ସେମାନଙ୍କୁ ଶୁଖିଲା ରାସନ୍‌ ଦେବା ଲାଗି ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିବି। ଉକ୍ତ ଶ୍ରମିକମାନଙ୍କ ଲାଗି ଅନ୍ୟୂନ ଚାଉଳ ୫କେଜି ଲେଖାଏଁ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା ବୋଲି ସେ ମତ ଦେଇଛନ୍ତି।

ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ନିର୍ମାଣ ଶ୍ରମିକ ଓ ଅନ୍ୟାନ୍ୟ କୋଠାବାଡ଼ି ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ହେଲ୍‌ପଲାଇନ୍ ନମ୍ବର ଖୋଲିଛନ୍ତି। ଏଥିସହ ପ୍ରତି ରାଜ୍ୟ ଲାଗି ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିଠି ଲେଖିଛନ୍ତି। ଯେଉଁମାନଙ୍କ ରାସନ୍‌ କାର୍ଡ଼ ନାହିଁ ସେମାନଙ୍କୁ ରାସନ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ଅର୍ଥ ରାଜ୍ୟ ସରକାର ଦେବେ ବୋଲି କହିଛନ୍ତି। ଏସବୁ ସତ୍ତ୍ବେ ଗୁଜରାଟର ସମସ୍ୟା ସଂକ୍ରାନ୍ତରେ ଓଡ଼ିଶା ଶ୍ରମ କମିସନରଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ତେବେ ଏ ସମ୍ପର୍କରେ ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୁଁ ବର୍ତ୍ତମାନ ଜିଲ୍ଲା ସଭାପତି ନାହିଁ, ଜିଲ୍ଲା ସଭାପତିଙ୍କୁ ପଚାରି ପ୍ରତିକ୍ରିୟା ନିଅନ୍ତୁ କହି ଫୋନ୍ କାଟି ଦେଇଥିଲେ। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଫୋନ୍ ଉଠାଇ ନ ଥିଲେ।

ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ, ଆମକୁ ସୁରତରୁ ବାରମ୍ବାର ଫୋନ୍ ଆସୁଛି। ଲକ୍‌ଡାଉନ୍ ଥିବାରୁ ସେଠାକୁ ଯିବା ସମ୍ଭବପର ହୋଇପାରୁନି। କିନ୍ତୁ ଶ୍ରମିକଙ୍କ ପ୍ରତି ଆନ୍ତରିକ ସହାନୁଭୂତି ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ବର୍ତ୍ତମାନ ବିଭନ୍ନ ରାଜ୍ୟରେ ରହିଥିବା ଶ୍ରମିକମାନେ ସ୍ଥାନ ଛାଡ଼ିପାରିବେ ନାହିଁ। ସମ୍ପୃକ୍ତ ରାଜ୍ୟ ସରକାର ଉକ୍ତ ଶ୍ରମିକମାନଙ୍କ କଥା ବୁଝିବେ। ଏଭଳି ପରିସ୍ଥିତିରେ ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ। ସେଠି ଯଦି ଓଡ଼ିଆ ଶ୍ରମିକଙ୍କ ସ୍ଥିତି ଏଭଳି ହୁଏ ଆମେ କାହାକୁ କହିବା। ବର୍ତ୍ତମାନ ଓଡ଼ିଶା ସରକାର ବାହାର ରାଜ୍ୟର ୮୫ହଜାର ଶ୍ରମିକଙ୍କୁ ଅତିଥି ଭଳି ରଖିଛନ୍ତି। ତେଣୁ ଗୁଜରାଟ ସରକାର ଲକ୍‌ଡାଉନ ସରିବା ପର୍ଯ୍ୟନ୍ତ ଓଡ଼ିଆ ଶ୍ରମିକମାନଙ୍କ ପ୍ରତି ଉଚିତ ଧ୍ୟାନ ଦେବା ଲାଗି ମୁଁ ନିବେଦନ କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି।

ଗଞ୍ଜାମ ଜିଲ୍ଲା ବିଜେପିର ପୂର୍ବତନ ସଭାପତି କାହ୍ନୁଚରଣ ପତି କହିଛନ୍ତି ଯେ, ଦୁଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁଜରାଟ ସରକାରଙ୍କ ସହିତ ଆଲୋଚନା କରାଯାଇଛି। ଓଡ଼ିଆ ଶ୍ରମିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଓଡ଼ିଆ ସ୍ବେଚ୍ଛାସେବୀମାନଙ୍କୁ ଡାଇମଣ୍ଡନଗର ଅଞ୍ଚଳକୁ ପଠାଯାଇଛି। ସମସ୍ତ ସମସ୍ୟାର ସମାଧାନ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।

ହସ୍ତକ୍ଷେପ କଲେ ଧର୍ମେନ୍ଦ୍ର
ଭୁବନେଶ୍ବର : ସୁରଟରେ ଓଡ଼ିଆ ଶ୍ରମିକମାନଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିଛନ୍ତି। ସ୍ଥାନୀୟ ସାଂସଦ ସି ଆର୍‌ ପାଟିଲ୍‌ଙ୍କ ସହ ସେ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ସ୍ଥାନୀୟ ପ୍ରଶାସନ ସହ ମିଳିତ ଭାବେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏହା ପରେ ଶ୍ରୀ ପାଟିଲ ସୁରଟ ଜିଲ୍ଲାପାଳ, ମହାନଗର ନିଗମ କମିସନର୍‌ଙ୍କ ସହ ବୈଠକ କରିଥିଲେ। ଏଥିରେ ଶ୍ରମିକମାନଙ୍କ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ଓଡ଼ିଆ ଶ୍ରମିକମାନଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରଶାସନ ତତ୍‌କାଳ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ସମସ୍ୟାର ସମାଧାନ ହୋଇଛି ବୋଲି ଶ୍ରୀ ପାଟିଲ୍‌ ଟ୍ବିଟ୍‌ କରି ଜଣାଇଛନ୍ତି। ତୁରନ୍ତ ପଦକ୍ଷେପ ନେଇ ସମାଧାନର ବାଟ ବାହାର କରିଥିବାରୁ ସାଂସଦଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର