ବେରୋଜଗାରୀ ସାଙ୍ଗକୁ ପେଟ ଭୋକ ଅସମ୍ଭାଳ ଯୋଗୁଁ ସୁରତରେ ବ୍ୟାପିଛି ଓଡ଼ିଆ ଶ୍ରମିକଙ୍କ ଅଶାନ୍ତି

ବ୍ରହ୍ମପୁର : କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଅବଧି ମେ ୩ ତାରିଖ ଯାଏ ବଢିଛି। ସେପଟେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶର ‘ମିନି ଓଡ଼ିଶା’ କୁହାଯାଉଥିବା ଗୁଜରାଟର ସୁରତରେ ଆମ ରାଜ୍ୟର ଶ୍ରମିକଙ୍କ ଅବସ୍ଥା ଦୟନୀୟ। ବେରୋଜଗାରୀ ସାଙ୍ଗକୁ ପେଟର ଭୋକ ଅସମ୍ଭାଳ ହେବା କାରଣରୁ ଶ୍ରମିକ ଅଶାନ୍ତି ସୁରତର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି।

ସୂଚନା ଅନୁସାରେ, ଡାଇମଣ୍ଡ୍‌ନଗର, ପାଣ୍ଡୋଲୋ ଶିଳ୍ପାଞ୍ଚଳ ଓ ଭରସା ଅଞ୍ଚଳରେ ଶ୍ରମିକମାନେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୁଜରାଟରେ ଥିବା ସୂତାକଳ ଗୁଡ଼ିକରେ ଓଡ଼ିଶାର ୫ଲକ୍ଷରୁ ଊର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରମିକ ଗଞ୍ଜାମ ଜିଲ୍ଲାର। ସୁରତର ଡାଇମଣ୍ଡ୍‌ନଗର, ସଚିନ୍‌, ପାଣ୍ଡେଶ୍ବର ହାଉସିଂ, ସିଦ୍ଧାର୍ଥ ନଗର, ଆମ୍ରୋଲି, ଜିଆର୍‌ସି-୬ ଏବଂ ଭରସା ଆଦି ଅଞ୍ଚଳରେ ଓଡ଼ିଆ ଶ୍ରମିକମାନେ ରହୁଛନ୍ତି। ବି‌ଶେଷକରି ଓଡ଼ିଆ ଶ୍ରମିକ ମାନେ ପାୱାରଲୁମ୍‌ (ସୂତାକଳ) ଗୁଡ଼ିକରେ କାମ କରୁଛନ୍ତି। ଜଣେ ଶ୍ରମିକ ଅନ୍ୟୁନ ୧୨ଟି ଲୁମ୍‌ ଚଳାଇ ପାରୁଛନ୍ତି। ୧ମିଟର କପଡ଼ା ବୁଣିଲେ ଦେଢ ଟଙ୍କାରୁ ୪ଟଙ୍କା ମଜୁରୀ ପାଉଛନ୍ତି। ଜଣେ ଶ୍ରମିକ ସୂତାକଳରେ କାମ କଲେ ମାସିକ ଅନ୍ୟୂନ ୧୫ରୁ ୨୦ହଜାର ରୋଜଗାର କରୁଛନ୍ତି।

ମାତ୍ର, ଲକ୍‌ଡାଉନ୍‌ ପରେ ସୁରତର ସୂତାକଳ ଗୁଡ଼ିକରେ ତାଲା ଝୁଲୁଛି। ‌ କମ୍ପାନି ବନ୍ଦ ଥିବାରୁ ଶ୍ରମିକମାନଙ୍କ ରୋଜଗାର ନାହିଁ। ସଞ୍ଚିତ ଅର୍ଥ ସରିଲାଣି। ଘରଭଡ଼ା ଓ ଖାଇବା ଖର୍ଚ୍ଚ ଦେବା ଶ୍ରମିକଙ୍କ ପାଇଁ କାଠିକର ପାଠ ହୋଇଛି। କିଭିଳି ଓ କେଉଁ ଉପାୟରେ ଘରକୁ ଫେରିବେ ସେଥିପାଇଁ ବିକଳ। ଖାଇବା ଖର୍ଚ୍ଚ ଦେଇପାରୁ ନଥିବାରୁ ମେସ୍‌ ମାଲିକ ମେସ୍‌ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଶ୍ରମିକମ‌ାନେ ଶେଷରେ ଲକ୍‌ଡାଉନ ଭାଙ୍ଗି ରାଜରାସ୍ତାକୁ ଆସି ଆନ୍ଦୋଳନ କରୁଛନ୍ତି।

ପରିସ୍ଥିତି ସମାଧାନ କରିବାରେ ଗୁଜରାଟ ସରକାର ବିଫଳ ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି। ଆନ୍ଦୋଳନର ୭ଦିନ ପରେ ଡାଇମଣ୍ଡ୍‌ନଗର ଅଞ୍ଚଳର ୩୪ଟି ମେସ୍‌ର ୭ହଜାର ୫ଶହ ଓଡ଼ିଆ ଶ୍ରମିକଙ୍କୁ ଆଜି ଠାରୁ ସୁରତ୍‌ ଜିଲ୍ଳା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦେବା ଆରମ୍ଭ ହୋଇଛି। ମେସ୍‌ ମାଲିକଙ୍କୁ ଚାଉଳ, ଡାଲି, ରାସନ୍‌ ଓ ଗ୍ୟାସ୍‌ ଯୋଗାଇ ଦେଇଛି ସୁରତ୍‌ ଜିଲ୍ଲା ପ୍ରଶାସନ। ଏଥିସହ ପନିପରିବା ବାବଦକୁ ଦିନକୁ ୩୩ ହଜାର ଟଙ୍କା ଦେଉଛି ସେଠା ପ୍ରଶାସନ। ଘରଭଡ଼ା ନେଇ ରହୁଥିବା ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପାଣ୍ଡୋଲୋ ଶିଳ୍ପାଞ୍ଚଳରେ ଶ୍ରମିକ ରହୁଥିବା ୩୨ଟି ମେସ୍‌ରେ ଏ ଯାବତ୍ ସୁରତ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବ୍ୟବସ୍ଥା ହୋଇ ନ ଥିବା ଜଣାପଡ଼ିଛି। ଦିନ ଯେତିକି ଗଡ଼ୁଛି, ସୁରତ ଓଡ଼ିଆ ଶ୍ରମିକଙ୍କ ସମସ୍ୟା ସେତିକି ଉତ୍କଟ ହେବାରେ ଲାଗିଛି। ଏପରକି କିଛି ଶ୍ରମିକ ସାଇକେଲ୍‌ ଓ ବାଇକ୍‌ରେ ଫେରିବା ଲାଗି ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର