ସୁରତରେ ପୁଣି ଶ୍ରମିକ ଅଶାନ୍ତି ତେଜିଲା : ପଣ୍ଡୋଲୋ ଶିଳ୍ପାଞ୍ଚଳରେ ଓଡ଼ିଆ ଶ୍ରମିକଙ୍କ ବିକ୍ଷୋଭ

ଫାଣ୍ଡି ଘେରିଲେ ହଜାର ହଜାର ଶ୍ରମିକ, ୩୨ ମେସ୍‌ରେ ଖାଦ୍ୟ ଦେବା ବନ୍ଦ ହେବାରୁ ଉତ୍ତେଜନା

ବ୍ରହ୍ମପୁର : ଦୁଇ ଦିନ ଶାନ୍ତ ରହିବା ପରେ ଆଜି ରାତିରେ ଗୁଜରାଟର ସୁରତରେ ପୁଣି ଶ୍ରମିକ ଆନ୍ଦୋଳନ ତେଜିଛି। ମେସ୍‌ ମାଲିକମାନେ ୩୨ଟି ମେସ୍‌ରେ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେବା ବନ୍ଦ କରିଦେବା ପ୍ରତିବାଦରେ ସୁରତ ସହରର ପଣ୍ଡୋଲୋ ଶିଳ୍ପାଞ୍ଚଳରେ ହଜାର ହଜାର ସଂଖ୍ୟାରେ ସୂତାକଳ ଓଡ଼ିଆ ଶ୍ରମିକ ରାସ୍ତା ଅବ‌ରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାଣ୍ଡୋଲୋ ଫାଣ୍ଡିକୁ ମଧ୍ୟ ଘେରାଉ କରି ରଖିଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି।

କରୋନା ଲକ୍‌ଡାଉନ୍‌ ପରେ ସୁରତର ସୂତାକଳଗୁଡ଼ିକ ବନ୍ଦ ହୋଇଯାଇଛି। ଜୀବନଜୀବିକାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଶ୍ରମିକ ଘରକୁ ଫେରିବା ଅପେକ୍ଷାରେ ରହିଛନ୍ତି। ଏହାକୁ ନେଇ ସୁରତ ସହରରେ ବାରମ୍ବାର ଅପ୍ରୀତିକର ପରସ୍ଥିତି ଉପୁଜୁଛି। ଗତ ୧୧ତାରିଖରେ ସୁରତ ଡାଇମଣ୍ଡନଗରରେ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଶ୍ରମିକମାନେ ରାଜରାସ୍ତାକୁ ଆସି ପୋଡ଼ାଜଳା କରିଥିଲେ।

ଏହାପରେ ସୁରତ ପ୍ରଶାସନ ପକ୍ଷରୁ ଅଟକି ରହିଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି କୁହା ଯାଇଥିଲା। ମାତ୍ର ଏଥିରେ ମଧ୍ୟ ଅବ୍ୟବସ୍ଥା ଦେଖା ଦେଇଥିବାରୁ ଶହ ଶହ ଶ୍ରମିକ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ରାତି ପ୍ରାୟ ୮ଟା ବେଳେ ସୁରତ ସହରର ବେଡ଼୍‌ ରୋଡ୍‌ ପାଣ୍ଡୋଲୋ ଶିଳ୍ପାଞ୍ଚଳ ଇଲାକାରେ ବିସ୍ଫୋରକ ସ୍ଥିତି ଉପୁଜିଛି। ୨ହଜାରରୁ ଅଧିକ ଶ୍ରମିକ ରାସ୍ତା ଅବରୋଧ କରିବା ସହିତ ବିକ୍ଷୋଭ ଚଳାଇଛନ୍ତି।

ପାଣ୍ଡୋଲୋ ଶିଳ୍ପାଞ୍ଚଳ ଇଲାକାରେ ଛୋଟବଡ଼ ୩୨ଟି ମେସ୍‌ ରହିଛି। ଲକ୍‌ଡାଉନ୍‌ ପରେ ଏ ସବୁ ମେସ୍‌ରେ ରହୁଥିବା ଶ୍ରମିକ ମଜୁରୀ ପାଇଥିଲେ ହେଁ ମେସ୍‌ ମାଲିକଙ୍କୁ ପ୍ରଶାସନ ଭାତିଆ ଅର୍ଥ ‌ନ ଦେବାରୁ ଆଜି ସନ୍ଧ୍ୟାରେ ମେସ୍‌ ମାଲିକମାନେ ମେସ୍‌ ବନ୍ଦ କରି ଦେଇଥିଲେ। ଏହାପରେ ହଜାର ହଜାର ଶ୍ରମିକ ଲକ୍‌ଡାଉନ୍‌ ଭାଙ୍ଗି ପାଣ୍ଡୋଲୋ ଶିଳ୍ପାଞ୍ଚଳ ରାଜରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏଥିସହ ପାଣ୍ଡୋଲୋ ଫାଣ୍ଡିକୁ ଘେରାଉ କରିଥିଲେ। ପଣ୍ଡୋଲୋ ପୁଲିସ ପରିସ୍ଥିତିକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଉତ୍କଳ ଭାରତୀ ଏଜୁକେସନ ଟ୍ରଷ୍ଟର ସଭାପତି ବିମ୍ବାଧର ସମୁଦ୍ରଙ୍କ ନେତୃତ୍ବରେ ଶ୍ରମିକ ପ୍ରତିନିଧିଙ୍କ ସହ ପୁଲିସ ଏ ନେଇ ଆଲୋଚନା କରିଥିଲା। ସୁରତ ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ଆଉ ଦିନକ ପରେ ରନ୍ଧାଖାଦ୍ୟ ଦିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିବା ସର୍ବଶେଷ ଖବରରୁ ଜଣାଯାଇଛି। ଗତକାଲି ରାତିରେ ସୁରତ୍‌ର ଭରସା ଇଲାକାରେ ମଧ୍ୟ ଅଣଓଡ଼ିଆ ଶ୍ରମିକମାନେ ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର