ନିର୍ଦ୍ଦେଶକ ନଗେନ୍‌ ରାୟଙ୍କ ପରଲୋକ

କଟକ-ମହାନଦୀବିହାର : ପ୍ରଥମ ଓଡ଼ିଆ ରଂଗୀନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ର ନିର୍ଦ୍ଦେଶକ ନଗେନ୍‌ ରାୟ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ୧୯୩୫, ଜୁଲାଇ ୧୬ ତାରିଖରେ କଟକ ଜିଲ୍ଲା ନିଆଳି ବଗଲା ସାହିରେ ଜନ୍ମିତ ନଗେନ ରାୟ ଶ୍ରମ ବିଭାଗରେ ସହକାରୀ ଶ୍ରମ ଅଧିକାରୀ ଭାବେ କାର୍ଯ୍ୟ କରି ୧୯୮୮ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଖ୍ରୀଷ୍ଟ କଲେଜରେ ପଢୁଥିବା ବେଳେ ସେ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନୟ କରୁଥିଲେ। ପରବର୍ତ୍ତୀ ସମୟରେ ରାଉରକେଲା, ବରଗଡ଼, ବାରିପଦା, ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ମଞ୍ଚରେ ଅଭିନୟ କରିଥିଲେ।

ସେ ପ୍ରଥମେ ଘନଶ୍ୟାମ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘କନକଲତା’ ଚଳଚ୍ଚିତ୍ରର ସହନିର୍ଦ୍ଦେଶକ ଥିଳେ। ୧୯୭୬ରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ ମୁକ୍ତିଲାଭ କରିଥିଲା। ହରିଶ ମହାପାତ୍ର ଓ ବନଜା ମହାନ୍ତି ଅଭିନୀତ ଏହି ଚଳଚ୍ଚିତ୍ରରେ ‘ଏ ବନର ଛାଇ…’ ଗୀତଟି ଆଜି ବି ଲୋକପ୍ରିୟ ହୋଇ ରହିଛି। ପରବର୍ତ୍ତୀ ସମୟରେ ନଗେନ୍‌ ରାୟଙ୍କ ନିର୍ଦ୍ଦେଶିତ ‘ତପସ୍ୟା’ ଚଳଚ୍ଚିତ୍ର ୧୯୮୦ରେ ମୁକ୍ତିଲାଭ କରିଥିଲା। ସେ ତାହାର କାହାଣୀ ଓ ସଂଳାପ ମଧ୍ୟ ଲେଖିଥିଲେ।

ଏହି ଦୁଇଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ବି ନଗେନ ରାୟ ନିଜର ସ୍ୱତନ୍ତ୍ର ଛାପ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଛାଡି ଯାଇଛନ୍ତି। ତାଙ୍କୁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର କଟକ ନୂଆବଜାର ଶାସ୍ତ୍ରୀନଗର ସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ୱର୍ଗତ ରାୟଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ କରାଯାଇଛି। ପୁଅ ସାରଦା ପ୍ରସନ୍ନ ରାୟ ମୁଖାଗ୍ନୀ ଦେଇଥିଲେ। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ୩ ଝିଅ-ଜ୍ୱାଇଁ, ବଂଧୁ ଓ ପରିବାର ଲୋକ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ନିର୍ଦ୍ଦେଶକ ନଗେନ ରାୟଙ୍କ ବିୟୋଗରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ନଗେନ ବାବୁ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ଯାତ୍ରାରେ ସାମିଲ ହୋଇଥିଲେ। ‘ଗପ ହେଲେ ବି ସତ’ ଓ ‘ତପସ୍ୟା’ ପରି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ସେ ବେଶ୍‌ ସଫଳତା ଅର୍ଜନ କରିଥିଲେ। ସେ ଏକାଧିକ ବୃତ୍ତ ଚିତ୍ର ପ୍ରସ୍ତୁତ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ପରିବାର ଜଣେ ମୁରବୀ ସ୍ଥାନୀୟ ଅଗ୍ରଜଙ୍କୁ ହରାଇଲା ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର