ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ରେ ପ୍ରଦର୍ଶିତ ହୋଇଛି। ଚଳିତ ମାସ ୧୫ ତାରିଖ ସନ୍ଧ୍ୟାରେ ଆଇଆଇଟି ଇନ୍ଦୋର‌ର ଗାର୍ଗୀ ହଲ୍‌ରେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୯୫ରୁ ଅଧିକ ଲୋକ ଯୋଗ ଦେଇ ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିଲେ। ଓଡ଼ିଆ ବ୍ୟତୀତ ଅନ୍ୟ ରାଜ୍ୟର ବିଭିନ୍ନ ଭାଷାଭାଷୀର ଦର୍ଶକ ମଧ୍ୟ ଏହି ସିନେମା ଦେଖିଥିଲେ, ଯେଉଁଥିରେ କି ଅନେକ ଛାତ୍ରଛାତ୍ରୀ ଓ କିଛି ଅଧ୍ୟାପକ ଥିଲେ।

Advertisment

ଇନ୍ଦୋର ଆଇଆଇଟି ପରିସରରେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଦେଖିଥିବା ଦର୍ଶକମାନେ ଓଡ଼ିଶା ଏବଂ ଏହାର ସଂସ୍କୃତିକୁ ପ୍ରଶଂସା କରିଥିଲେ। ଏଥି ସହିତ ସେମାନେ କହିଥିଲେ ଯେ, ସିନେମାରେ ବର୍ଷା, ଦୀପାନ୍ଵିତ୍, ଜୟପ୍ରକାଶ ବାବୁ ଏବଂ ପ୍ରଖ୍ୟାତ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଖୁଣ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଦେଖି ବହୁତ ଖୁସି ଅନୁଭବ ହୋଇଛି। ଦର୍ଶକମାନେ ସିନେମା ଦେଖି ସାରିଲା ପରେ ଭାବବିହ୍ଵଳ ହୋଇ ମତାମତ ଦେବା ସହିତ ନିଜ ଆବେଗ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମଧ୍ୟବିତ୍ତ ପରିବାରରେ ବାପପୁଅଙ୍କ ସଂପର୍କ ଓ ଚାକିରି ପାଇଁ କେମିତି ପୁଅ ସମସ୍ୟା ଭୋଗ କରେ ସେହି କାହାଣୀକୁ ଦର୍ଶାଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ତିଆରି ହୋଇଛି। ଚଳଚ୍ଚିତ୍ର ୨୦୨୨ ଡିସେମ୍ବର ୨ ତାରିଖରେ ମୁକ୍ତି ଲାଭ କରିଥିଲା। ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଫିଚର ଫିଲ୍ମ ବର୍ଗରେ ‘ପ୍ରତୀକ୍ଷା’କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ।  

publive-image

ଆଇଆଇଟି ଇନ୍ଦୋରର ଓଡ଼ିଆମାନେ ଭବିଷ୍ୟତରେ ଓଡ଼ିଆ ସିନେମା ଏବଂ କଳା ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦିବ୍ୟ ପ୍ରକାଶ ପଣ୍ଡା, ନୀଳକମଳ ମଲ୍ଲିକ, ଭବାନୀ ଲେଙ୍କା, ଲୋକନାଥ, ପ୍ରିୟରଞ୍ଜନ, ରାଜେନ୍ଦ୍ର, ଦେବାଶିଷ ପଣ୍ଡା ପ୍ରମୁଖ ଏହି ଚଳଚ୍ଚିତ୍ରକୁ ବହୁ ପ୍ରଶଂସା କରିଛନ୍ତି।