ଫୁଲନଖରା : ଆଜି ହେଉଛି ଓଡ଼ିଆ ନବ ବର୍ଷ। ଏହି ଉପଲକ୍ଷେ ଆସନ୍ତୁ ଆମେ ସମସ୍ତେ ମିଶି କିଛି ଓଡ଼ିଆମୀ କରିବା। ଅର୍ଥାତ ଶୁଦ୍ଧ ଓଡ଼ିଆ କହିିବା, ଶୁଦ୍ଧ ଓଡ଼ିଆ ଲେଖିବା, ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ସର୍ବୋପରି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ବଞ୍ଚାଇ ରଖିବାକୁ ସଂକଳ୍ପ ନେବା। ଏଭଳିି ଆହ୍ଵାନ ଦେଇଛନ୍ତି ‘ସମ୍ବାଦ’ର ସଂପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ। ସଦର ଥାନା ଅନ୍ତର୍ଗତ ନୂଆଗଡ଼ରେ ଥିବା ଅନନ୍ତ ବଳିଆ ସେବା ସଂଘ ଓ ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ଆଜି ଓଡ଼ିଆ ନୂଆ ବର୍ଷ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଆ ରାଜ୍ୟ ଗଠନ ପଛରେ ରହିଥିବା ମହାନ ଚିନ୍ତାନାୟକ ଓ ମହାପୁରୁଷଙ୍କ ଅବଦାନକୁ ସର୍ବଦା ସ୍ମରଣ କରିବାକୁ ପରାମର୍ଶ ଦେଇଥିଲେ।

Advertisment

ଏହି ଅବସରରେ ପୂର୍ବାହ୍ନରେ ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତିପୀଠରେ ଓଡ଼ିଶୀ ସଂକୀର୍ତ୍ତନ ଓ ପଣା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସଇନ୍ଧାଠାରୁ ଆରମ୍ଭ ହୋଇ ଗାନ୍ଧୀ ପୀଠରେ ପହଞ୍ଚିଥିଲା। ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ବିଶ୍ୱ ପତାକା ଉତ୍ତୋଳନ ସହ ସର୍ବଧର୍ମ ଓ ସର୍ବଦେଶ ସଂଗୀତ ଗାନ କରାଯାଇଥିଲା। ପରେ ଶ୍ରୀମଦ ବାବା ବଳିଆଙ୍କ ସଭାପତିତ୍ୱରେ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ସହିତ ପ୍ରଭାତଚନ୍ଦ୍ର ବାଗ, ମୌଲାନା ଅଫସର ହୁସେନ, ଧମ୍ମାଲୋକ ଥେରୁ, ଜିଏଏସ ସଭରୱାଲ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ଓ ଶ୍ରୀଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ସର୍ବଧର୍ମ ତତ୍ତ୍ୱ ଓ ବିଶ୍ୱ ଭାତୃତ୍ୱ ଅନ୍ୟତ୍ର ବିରଳ ବୋଲି ବାବା ବଳିଆ ମତବ୍ୟକ୍ତ କରିଥିଲେ। ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ମୁରବୀ ପୀତବାସ ମହାପାତ୍ର, ଯତୀନ୍ଦ୍ରନାଥ ଶତପଥି, ଶରତକୁମାର ରଥ, ସନ୍ୟାସୀ ପଣ୍ଡା, ମନୋଜ ଦାସ ପ୍ରମୁଖ ସହାୟତା କରିଥିଲେ।