ଭୁବନେଶ୍ବର: ଓଡ଼ିଆ ପକ୍ଷ ‘ଓଡ଼ିଶା’କୁ ଜାଣିବାର ଅବକାଶ ଦେଇଛି। ଆମର ପ୍ରାଚୀନ କଳା, ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟର ପ୍ରତିଫଳନ ହେଉଛି ‘ଓଡ଼ିଆ ପକ୍ଷ’। ଏହି ପରିପ୍ରେକ୍ଷୀରେ ଆମ ସଂସ୍କୃତି ସହିତ ଆମେ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇପାରିଛେ। ଆମର ଆଗାମୀ ପିଢ଼ି ପାଇଁ ଏହା ନୂଆ ସମ୍ଭାବନା ସୃଷ୍ଟି କରିଛି। ଏଣୁ ଏଭଳି ଉଦ୍ୟମ ପ୍ରଶଂସନୀୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଆ ନବବର୍ଷ ପାଳନ ଓ ଓଡ଼ିଆ ପକ୍ଷ ଉଦ୍ଯାପନ ଉତ୍ସବରେ ଯୋଗ ଦେଇ ମୁଖ୍ୟଅତିଥି ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଏହା କହିଛନ୍ତି।
ଓୟୁଏଟି ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଆହୁରି କହିଲେ, ଓଡ଼ିଆ ପକ୍ଷ ପାଳନ ସମୟରେ ସମଗ୍ର ଓଡ଼ିଶା ତଥା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏହାକୁ ଆଧାର କରି ବିକଶିତ ଓଡ଼ିଶା ଗଠନ ଦିଗରେ ଆମେ ଆଗେଇବା ଜରୁରି। କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଲେ, ପ୍ରଥମ ଥର ପାଇଁ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଓଡ଼ିଆ ନବବର୍ଷ ଓ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହା କେବଳ ଓଡ଼ିଆ ପକ୍ଷ ନୁହେଁ, ଏହା ଓଡ଼ିଆ ଅସ୍ମିତାର ପକ୍ଷ। ଯେଉଁ ଜାତି ନିଜର ନିଜତ୍ବକୁ ନେଇ ଯେତେ ଗର୍ବ କରେ ସେହି ଜାତି ସେତେ ସମୃଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ। ସମ୍ମାନିତ ଅତିଥି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ଓଡ଼ିଆ ପକ୍ଷ ପାଳନ ଦ୍ବାରା ଆମ ଭିତରେ ଓଡ଼ିଆତ୍ବର ନବଜାଗରଣ ସୃଷ୍ଟି ହୋଇଛି। ଆମ ସମୃଦ୍ଧ ଇତିହାସକୁ ମନେ ପକାଇ ଏକ ଗୌରବମୟ ଭବିଷ୍ୟତ ନିର୍ମାଣ ପାଇଁ ଏକଜୁଟ୍ ହେବା ଆବଶ୍ୟକ। ଏଭଳି କାର୍ଯ୍ୟକ୍ରମ କେବଳ ପକ୍ଷ ମଧ୍ୟରେ ସୀମିତ ନରହି ପ୍ରତିଦିନ ପାଳନ କରାଯିବା ଆବଶ୍ୟକ ବୋଲି ସମ୍ମାନିତ ଅତିଥି ଏକାମ୍ର ବିଧାୟକ ବାବୁ ସିଂ ଓ ମେୟର୍ ସୁଲୋଚନା ଦାସ ମତ ଦେଇଥିଲେ। ବିଭାଗୀୟ ମୁଖ୍ୟ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲା ବେଳେ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଓଡ଼ିଆ ପକ୍ଷ ସ୍ମାରକୀ ପୁସ୍ତକ ଉନ୍ମୋଚନ ସହିତ ଓଡ଼ିଶାର ବରପୁତ୍ରମାନଙ୍କ ବହୁ ପୁସ୍ତକର ବହୁଭାଷୀ ଅନୁବାଦ ଓ ସଂକଳନ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ଉଠ କଙ୍କାଳ’ ସଙ୍ଗୀତର ବୃତ୍ତଚିତ୍ର ଲୋକାର୍ପଣ ସହିତ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ସଙ୍ଗୀତକାର ପ୍ରେମ୍ଆନନ୍ଦ, ସଙ୍ଗୀତକାର ଅରୁଣ ମନ୍ତ୍ରୀ ଓ ଓମ୍ପ୍ରସାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।
ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଆଜିର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଓଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ବକ୍ତବ୍ୟ ଆରମ୍ଭରୁ ରାଜ୍ୟପାଳ ଓଡ଼ିଆରେ କହିଲେ, ‘ଜୟ ଜଗନ୍ନାଥ। ନମସ୍କାର, ପ୍ରଣାମ୍, ଜୁହାର। ଶୁଭ ଓଡ଼ିଆ ନବବର୍ଷ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣି ଦିଅନ୍ତୁ, ଏତିକି ମୋର ପ୍ରାର୍ଥନା।’ ରାଜ୍ୟପାଳ ଆହୁରି କହିଲେ, ମୋଠାରୁ ଓଡ଼ିଆ ଶୁଣି ଆପଣମାନେ ହୁଏତ ଆଶ୍ଚର୍ଯ୍ୟ ହୋଇଥାଇପାରନ୍ତି। ତେବେ ମୁଁ ଓଡ଼ିଆର ଏକ ଚତୁର୍ଥାଂଶ ବୁଝିପାରେ। ଭାରତର ସମସ୍ତ ଆଞ୍ଚଳିକ ଭାଷାରେ ସଂସ୍କୃତ ଭାଷାର ପ୍ରାୟୋଗ ହୋଇଥାଏ। ଏଣୁ ଓଡ଼ିଆ ଭାଷାରେ ବ୍ୟବହୃତ ସମସ୍ତ ସଂସ୍କୃତ ଶବ୍ଦକୁ ପ୍ରାଞ୍ଜଳ ଭାବେ ବୁଝି ହୁଏ।