ଦିଲ୍ଲୀରେ ଓଡ଼ିଆ ଏନଏସଏସ ସ୍ୱେଚ୍ଛାସେବୀଙ୍କ ଚମତ୍କାର ପ୍ରଦର୍ଶନ

ମନମୋହିଲା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଚିତ୍ର

ବାରିପଦା: ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ହେବାକୁ ଥିବା ପ୍ୟାରେଡ୍‌ରେ ଅଂଶଗ୍ରହଣ ନିମନ୍ତେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୮ ଜଣ ସ୍ୱେଚ୍ଛାସେବୀ ଦିଲ୍ଲୀ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସ୍ମୃତି ରଞ୍ଜନ ଦାସ ଦିଲ୍ଲୀ ଯାତ୍ରା କରିଛନ୍ତି । ସେଠାରେ ଏକ ମାସର ରହଣୀ ସମୟରେ ପ୍ୟାରେଡ୍‌ ପୂର୍ବରୁ ସ୍ୱେଚ୍ଛାସେବୀମାନେ ସଂସ୍କୃତି ଓ ପରମ୍ପରା ଆଧାରିତ ବିଭିନ୍ନ ନୃତ୍ୟଗୀତ ପ୍ରଦର୍ଶନ କରି ଭାରତର ଅନ୍ୟ ସମସ୍ତ ରାଜ୍ୟ ତୁଳନାରେ ଉତ୍କର୍ଷ ପ୍ରଦାନ କରି ସମସ୍ତଙ୍କୁ ମୁଗ୍ଧ କରିଛନ୍ତି ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ ଦୀପକ କୁମାର ଗିରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆକର୍ଷଣୀୟ ଚିତ୍ର ଅଙ୍କନ କରି ସମସ୍ତଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି କରାଇଛନ୍ତି । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ ନେହା ପ୍ରଧାନଙ୍କ ରଣପା ନୃତ୍ୟ ସମସ୍ତଙ୍କୁ ଚମତ୍କୃତ କରିଥିଲା। ଏଥିସହିତ ବର୍ଷାରାଣୀ ସାହୁ, ରୁବିନା ପ୍ରଧାନ, ହିମାଦ୍ରୀତନୟା ହରିଚନ୍ଦନ, ଦୀପକ କୁମାର ଗିରି, ଡମ୍ବରୁଧର ଗରଡ଼ା ଓ ସ୍ୱରାଜ ମହାନ୍ତିଙ୍କ ସମବେତ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ବ୍ୟକ୍ତି ଓ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏଥି ସହିତ ଉପସ୍ଥିତ ଭାରତର ଅନ୍ୟ ସମସ୍ତ ରାଜ୍ୟର ଅଧିକାରୀମାନେ ଉତ୍କଳର କଳା ଓ ସଂସ୍କୃତିର ଭୂୟସୀ ପ୍ରଶଂସା କରିଥିଲେ।

 

ସମ୍ବନ୍ଧିତ ଖବର