ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ, ୮ ଜଣଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିର ମୁକାବିଲା ପାଇଁ ତିନି ସପ୍ତାହର ‘ଲକ୍‌ଡାଉନ୍‌’ ଘୋଷଣା ସହିତ ବହୁ କଟକଣା ଜାରି କରାଯାଇଛି। ଆଜି ଦିଲ୍ଲୀରେ ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ୫୩ ବର୍ଷୀୟ ପରମେଶ୍ବର ସାମଲଙ୍କର ମୃତ୍ୟୁ ହୋଇଛି। ଚଳିତ ମାସ ୨୦ ତାରିଖରେ ପରମେଶ୍ବରଙ୍କର ବ୍ରେନ୍‌ ହାମ୍‌ରେଜ ଯୋଗୁଁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କୁ ଡିଲସାଦ୍‌ଗାର୍ଡନସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃ୍ତ୍ୟୁ ଘଟିଥିଲା। ତାଙ୍କର ଶେଷକୃତ୍ୟରେ ସାମିଲ ହେବା ପାଇଁ ୨୦ ଜଣଙ୍କୁ ଅନୁମତି ଦେବା ଲାଗି ପରିବାରବର୍ଗ ପ୍ରଶାସନକୁ ଅନୁରୋଧ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ କେବଳ ୮ ଜଣଙ୍କୁ ଅନୁମତି ଦିଆଯାଇଥିଲା। ଗ୍ରୀନ୍‌ ପାର୍କସ୍ଥିତ ଶ୍ମଶାନ ଘାଟରେ ପରମେଶ୍ବରଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କର ଜ୍ୟେଷ୍ଠପୁତ୍ର ପ୍ରଭାସରଂଜନ ମୁଖାଗ୍ନି ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ମଣ୍ଡପଡ଼ା ଅଞ୍ଚଳର ପରମେଶ୍ବର ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି କଟୱାରିଆସରାଏରେ ରହୁଥିଲେ। ମୃତ୍ୟୁ ସମୟରେ ତାଙ୍କର ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ ଉପସ୍ଥିତ ଥିଲେ। କଟକଣା ଯୋଗୁଁ ମୃତ ଶରୀରକୁ ଗାଁକୁ ନିଆଯାଇ ପାରିନଥିବାରୁ ପରିବାର ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର