ସୀମାନ୍ତରେ ଅବହେଳିତ ଓଡ଼ିଆ, ବଢ଼ୁଛି ଆନ୍ଧ୍ରର ରାଜୁତି

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ପୂରିଲା ୮ ଦଶନ୍ଧି: ଆନ୍ଧ୍ର ଦଖଲରେ ଓଡ଼ିଶାର ଜଳ-ଜମି-ଜଙ୍ଗଲ

ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ଦେଶ ସ୍ବାଧୀନ ପୂର୍ବରୁ ଓଡ଼ିଶା ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଥିଲା। ଏହା ଭିତରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ୮୫ ବର୍ଷ ବିତିଛି। ରାୟଗଡ଼ା ଜିଲ୍ଲା ଗଠନକୁ ପୂରିଛି ୨୮ ବର୍ଷ। ହେଲେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବସବାସ କରୁଥିବା ଓଡ଼ିଆଙ୍କ ସମସ୍ୟା ଦୂର ହୋଇ ପାରିନି। ପ୍ରଶାସନିକ ସ୍ଥାଣୁତା ପାଇଁ ଆନ୍ଧ୍ର ଦଖଲରେ ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ରାସ୍ତା ଥିବାରୁ ସୀମାନ୍ତରେ ଓଡ଼ିଶା ବଦଳରେ ଚାଲିଛି ଆନ୍ଧ୍ରର ରାଜୁତି।

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ରହିଛି ମାଉଡ଼ିଗୁଡ଼ା ଗ୍ରାମ। ଗାଁରେ ୧୫ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଧର୍ମା ରାଓଙ୍କ ଜମିକୁ ଆନ୍ଧ୍ରବାସୀ କବଜାକୁ ନେଇ ଚାଷ କରୁଛନ୍ତି। ୨୦୧୮ ମସିହାରେ ଉଭୟ ସରକାରଙ୍କ ପକ୍ଷରୁ ଜମି ଚିହ୍ନଟ କରାଯାଇ ଏହା ଓଡ଼ିଶାର ବୋଲି ପ୍ରମାଣିତ ହୋଇଥିଲା। ଏହା ସତ୍ତ୍ବେ ଏବେ ଆନ୍ଧ୍ର ଉକ୍ତ ଜମିକୁ କବଜାକୁ ନେଇ ଚାଷ କରୁଛି। ମାଉଡ଼ିଗୁଡା ପରି ବିଭିନ୍ନ ଗ୍ରାମର ୧୭୦ ଏକର ଜମିକୁ ଆନ୍ଧ୍ର କବଜାକୁ ନେଇଛି। ପାଲମାତୁଳସୀ ଗାଁରେ ଆନ୍ଧ୍ର ଓଡ଼ିଶା ଜମି ଉପରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିଛି। ସାନଲୁକୁଟି ଗାଁରେ ୩୦/୪୦ ମିଟର ଲମ୍ବର ପୋଲ ନିର୍ମାଣ କରିବା ସହ ଗୁଣପୁର ବ୍ଲକର ମରମା ପଞ୍ଚାୟତ ଅଧୀନରେ ଥିବା ୧ କିମି ରାସ୍ତାରେ କଲର୍ଭଟ ଓ ରାସ୍ତା ନିର୍ମାଣ ଶେଷ କରିଛି। କେବଳ ଏତିକି ନୁହେଁ, ରାମନାଗୁଡ଼ା ବ୍ଲକ୍ ଲାଉଗୁଡ଼ା ଗ୍ରାମର ଶହେରୁ ଉର୍ଧ୍ବ ଚାଷୀଙ୍କ ଜମି ଆନ୍ଧ୍ର ଜମିଦାରଙ୍କ ଅକ୍ତିଆରରେ ଥିବାରୁ ନିଜ ଜମିରେ ମୂଲ ଲାଗି ପେଟ ପୋଷୁଛନ୍ତି ଗ୍ରାମବାସୀ। ଗାଁକୁ ପକ୍କା ରାସ୍ତା ନଥିବା ବେଳେ ପ୍ରାଥମିକ ସ୍କୁଲ୍ ବନ୍ଦ ରହିଛି। ସ୍ବାସ୍ଥ୍ୟ ସେବା ପାଇଁ ଗ୍ରାମବାସୀ ଆନ୍ଧ୍ର ଉପରେ ନିର୍ଭରଶୀଳ।

ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ପରେ ଲାଉଗୁଡ଼ାବାସୀ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଇଛନ୍ତି। ବଂଶଧାରା, ନାଗାବଳୀ, ଝଞ୍ଜାବତୀ ନଦୀର ୭୦ ପ୍ରତିଶତ ଜଳକୁ ଆନ୍ଧ୍ର ବ୍ୟବହାର କରୁଥିବା ଯୋଗୁ ସୀମାନ୍ତ ଓଡ଼ିଆ ଗାଁର ଅଧିକାଂଶ ଚାଷ ଜମି ଏବେ ଆନ୍ଧ୍ର ବ୍ୟବସାୟୀଙ୍କ କବଜାରେ। ନାଗାବଳୀ ଉପରେ ହେବାକୁ ଥିବା ବେଲକଣା ପ୍ରକଳ୍ପ ସର୍ଭେରେ ସୀମିତ ଥିବା ବେଳେ ଆନ୍ଧ୍ର ତୋଟାପଲ୍ଲୀରେ ନିର୍ମାଣ କରିଛି ବ୍ୟାରେଜ୍। ସେହିପରି ବଂଶଧାରା ନଦୀ ପାଣିକୁ ନେରେଡ଼ି, କାଟ୍ରାଗୁଡ଼ାରେ ଆନ୍ଧ୍ର ବ୍ୟାରେଜ କରି ଶୋଷି ନେଉଛି। ବିକାଶଠୁ ବହୁ ଦୂରରେ ଥିବା ସୀମାନ୍ତର ଅଧିକାଂଶ ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି।  ଜିଲ୍ଲା ସଦର ମହକୁମାରୁ ୨୫ କିମି ଦୂରରେ ଥିବା ମାଉଡ଼ିଗୁଡା ଗ୍ରାମରେ ପ୍ରାଥମିକ ସ୍କୁଲ୍ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଅଙ୍ଗନବାଡ଼ି ପାଇଁ ଗାଁ ପିଲା ୫ କିମି ଏବଂ ସ୍କୁଲ୍ ପାଇଁ ପାହାଡ଼ ଚଢ଼ି ୭ କିମି ଦୂରକୁ ଯିବାକୁ ପଡୁଛି।

ଅନ୍ୟପକ୍ଷରେ ମାଡ୍ରାସ ପ୍ରେସିଡେନସି ସମୟରେ ଓଡ଼ିଶାରେ ଥିବା ଆନ୍ଧ୍ରର ବୀରପାଡ଼ୁ ଗ୍ରାମର ୭୦ ପ୍ରତିଶତ ଲୋକ ଓଡ଼ିଆ। ଆନ୍ଧ୍ର-ଓଡ଼ିଶା ସୀମା ଚିହ୍ନଟ ପରେ ଏବେ ଏହି ଗାଁ ଆନ୍ଧ୍ରରେ ରହିଛି। ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାବେ ଜୀବନ ବିତାଉଥିବା ବୀରପାଡ଼ୁ ଗ୍ରାମରେ କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ସ୍କୁଲ୍ ନାହିଁ। ଗ୍ରାମବାସୀ ପିତୃ ପୁରୁଷ ଓଡ଼ିଆ ହୋଇଥିବାରୁ ଏବେ ବି ଗ୍ରାମବାସୀ ଓଡ଼ିଆ ସଂସ୍କୃତି ଅନୁଯାୟୀ ଯାନି ଯାତ୍ରା ପାଳନ କରୁଛନ୍ତି। କିନ୍ତୁ ସ୍କୁଲ୍ ନଥିବାରୁ ଧୀରେ ଧୀରେ ଓଡ଼ିଆ ଭାଷାକୁ ଭୁଲିବାରେ ଲାଗିଛନ୍ତି ଗ୍ରାମବାସୀ। ଓଡ଼ିଶା ସରକାରଙ୍କ ଅବହେଳା କାରଣରୁ ଆନ୍ଧ୍ରରେ ବସବାସ କରୁଥିବା ଓଡ଼ିଆ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ଆଦିବାସୀ ମାନ୍ୟତା ମିଳିପାରୁନଥିବା ବେଳେ ବାସହୀନ ଆବାସ ଯୋଜନାରେ ସାମିଲ୍ ହୋଇପାରୁନାହାନ୍ତି। ରାୟଗଡ଼ା ଜିଲ୍ଲାର ୬୧ଟି ଗାଁ ଆନ୍ଧ୍ର ସୀମାନ୍ତରେ ଥିବାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ଓ ବିକାଶମୁଖୀ ଯୋଜନା କରି ଆନ୍ଧ୍ରର ନିଜର ଦବଦବା ଜାହିର୍ କରିବାରେ ଲାଗିଛି।

 

 

ସମ୍ବନ୍ଧିତ ଖବର