ସମ୍ବଲପୁର: ଗୁରୁବାର ରାତି ୯ଟା ୧୦ରେ ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ହେଲିକପ୍ଟର ଦୁର୍ଘଟଣାରେ ସମ୍ବଲପୁରର ମୂଳନିବାସୀ ପାଇଲଟ ଗୋପାଳକୃଷ୍ଣ ପଣ୍ଡା ଏବଂ ସାଥୀ ପାଇଲଟ୍ ଏପି ଶ୍ରୀବାସ୍ତବଙ୍କ ପରଲୋକ ହୋଇଯାଇଛି। ନିୟମିତ ବିମାନ ଉଡ଼ାଣ ଅଭ୍ୟାସ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ କ୍ୟାପଟେନ୍ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପଳକୃଷ୍ଣ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୫ ବର୍ଷ ପୁରୁଣା ଏହି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ପୋଡ଼ି ନଷ୍ଟ ହୋଇଯାଇଛି।
/sambad/media/post_attachments/wp-content/uploads/2022/05/6a1b9abb-6706-4163-8744-11606c1c4c96.jpg)
ଗତକାଲି ରାତିରେ ଖବର ମିଳିବା ପରେ ସମ୍ବଲପୁର ହୀରାକୁଦ କଲୋନିରେ ରହୁଥିବା ତାଙ୍କ ଭାଇ ଡାକ୍ତର ବିମଳ ପଣ୍ଡା ସପତ୍ନୀକ, ମା’ ମୀରା ପଣ୍ଡାଙ୍କ ସହିତ ରାୟପୁର ଅଭିମୁଖେ ବାହାରି ଯାଇଥିଲେ। ଆଜି ସକାଳେ ତାଙ୍କ ଅନ୍ୟ ସଂପର୍କୀୟମାନେ ରାୟପୁର ଯାଇଥିଲେ। ସନ୍ଧ୍ୟାରେ ରାଷ୍ଟ୍ରୀୟ ସମ୍ମାନ ସହିତ ରାୟପୁରରେ ଗୋପାଳକୃଷ୍ଣଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗୋପାଳକୃଷ୍ଣ ତାଙ୍କ ପଛରେ ପତ୍ନୀ ଡ. ଅଳକା ପଣ୍ଡା ଏବଂ ଦୁଇ ପୁଅଝିଅଙ୍କୁ ଛାଡ଼ି ଯାଇଛନ୍ତି। ଗୋପାଳକୃଷ୍ଣ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବାହାମ ଗ୍ରାମରେ ମୂଳନିବାସୀ। ତାଙ୍କ ପିତା ସ୍ବର୍ଗତ ଦୁର୍ଗାଶଙ୍କର ପଣ୍ଡା ସମ୍ବଲପୁରସ୍ଥିତ ଉତ୍ତରାଂଚଳ ଆର୍ଡିସି କାର୍ଯ୍ୟାଳୟରେ ରାଜସ୍ବ ସୁପରଭାଇଜର ଭାବେ କାର୍ଯ୍ୟ କରିଥିଲେ।
ଗୋପାଳକୃଷ୍ଣ ସମ୍ବଲପୁର ସହରର ଫାଟକ ପାଖ ପ୍ରାଥମିକ ବିଦ୍ୟାଳୟ ଏବଂ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ଅଧ୍ୟୟନ ପରେ ସୈନିକ ସ୍କୁଲରେ ନାମ ଲେଖାଇଥିଲେ। ପରେ ସେ ଏନ୍ଡିଏକୁ ଯାଇଥିଲେ। ଭାରତୀୟ ବାୟୁସେନାରେ ୨୨ ବର୍ଷ ଧରି ଦେଶର ସେବା କରିବା ପରେ ୱିଂ କମାଣ୍ଡର ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ଏହା ପରେ ସେ ରାୟପୁର ଚାଲି ଯାଇଥିଲେ। ୨୦୧୦ ମସିହାରୁ ଛତିଶଗଡ଼ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିଲେ। ଗୋପାଳକୃଷ୍ଣଙ୍କ କାକା ଆଦିଶଙ୍କର ପଣ୍ଡା ମଧ୍ୟ ଜଣେ ପାଇଲଟ ଥିଲେ। ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଏହି କ୍ୟାରିଅର ଭାବେ ବାଛି ନେଇଥିଲେ। ଗୋପାଳକୃଷ୍ଣଙ୍କର ୫ ଭାଇଭଉଣୀ ମଧ୍ୟରୁ ସାନଭାଇ ବିମଳ ପଣ୍ଡା ଏବେ ବୁର୍ଲା ଭିମ୍ସାରର ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ୩ ଭଉଣୀ ସବିତା, ସୁଜାତା ଓ ସଂଗୀତା ଶିକ୍ଷୟିତ୍ରୀ ଥିଲେ। ବଡ଼ ଭଉଣୀ ସବିତାଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି। ଗୋପାଳକୃଷ୍ଣଙ୍କ ବିୟୋଗରେ ସମ୍ବଲପୁର ସମେତ ତାଙ୍କ ଶ୍ବଶୁର ଘର ଜୟପୁରରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/627731c6-d7c9-42c5-ac71-78ff6a6d6ade.jpg)