ଇଣ୍ଡୋ-ନେପାଳ କବାଡ଼ି ପ୍ରତିଯୋଗିତାରେ ଭାରତକୁ ସ୍ବର୍ଣ୍ଣ, ଭାରତୀୟ ଦଳରେ ୨ ଓଡ଼ିଆ ଖେଳାଳି

ଭଞ୍ଜନଗର: ପଡୋଶୀ ନେପାଳରେ ଅଗଷ୍ଟ ୯ ତାରିଖ ଦିନ ଶେଷ ହୋଇଥିବା ଆର୍ନ୍ତଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ନେପାଳର ପୋଖରା ଅଞ୍ଚଳରେ ଚାଲିଥିବା ଇଣ୍ଡୋ-ନେପାଳ ସମର‌ ସ୍ପୋର୍ଟସ୍ ଚମ୍ପିୟନସିପ୍‌ରେ ଭାରତୀୟ ଦଳ କବାଡ଼ି ଖେଳରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛି। ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳରେ ୨ ଜଣ ଓଡ଼ିଆ ଖେଳାଳି ମଧ୍ୟ ସାମିଲ ହୋଇ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଉଭୟ ଓଡ଼ିଆ ଖେଳାଳିଙ୍କ ଘର ଭଞ୍ଜନଗର ଅଞ୍ଚଳରେ ବୋଲି ଜଣାପଡିଛି। ଭଞ୍ଜନଗର ‌ବଡ଼ ଧୋବସାହିରେ ରହୁଥିବା ବୃନ୍ଦାବନ ସେଠୀଙ୍କ ପୁଅ କୁମାର ଅବିନାଶ ଏବଂ ଅନ୍ୟଜଣେ ହେଲେ ପ୍ରଫୁଲ କୁମାର ନାୟକଙ୍କ ପୁଅ ରାଜା ନାୟକ। ଉଭୟ ଅବିନାଶ ଏବଂ ରାଜା ଭାରତୀୟ ଟିମ୍ ପକ୍ଷରୁ କବାଡି ଖେଳୁଥିବା ବେଳେ ଫାଇନାଲ୍‌ ମ୍ୟାଚ୍‌ରେ ବିଜୟ ହାସଲ କରିବା ପରେ ସ୍ବର୍ଣ୍ଣ ପଦକ ନେଇ ଘରକୁ ଫେରୁଥିବା ପ୍ରକାଶ କରିଛନ୍ତି।

ଇଣ୍ଡୋ-ନେପାଳ ଚମ୍ପିୟନସିପରେ ବିଭିନ୍ନ କ୍ରୀଡ଼ାର ବିଭିନ୍ନ ବର୍ଗରେ ଖେଳ ଅନୁଷ୍ଠିତ ହୋଇଥିଲା। କବାଡ଼ି ପାଇଁ ୫ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୪ ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ଦଳ ‌ମୋଟ ତିନୋୋଟି ମ୍ୟାଚ୍‌ ଖେଳିଥିବା ବେଳେ ସେଥି ମଧ୍ୟରୁ ଚମ୍ପିୟନସିପ୍‌ର ‌ଶେଷ ଦିନରେ କବାଡ଼ି ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଦଳ ସହ ନେପାଳ-୧ ଦଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଦଳ ଖେଳର ପ୍ରଥମାର୍ଦ୍ଧରେ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ନେପାଳ ଦଳ-୧ ଠାରୁ ୩ ପଏଣ୍ଟ୍‌ ଆଗୁଆ ରହିଥିଲା। ନେପାଳ-୧ ଦଳ ପ୍ରଥମ ୨୦ ମିନଟ୍‌ରେ ୧୫ ପଏଣ୍ଟ୍‌ ସଂଗ୍ରହ କରିପାରିଥିବା ବେଳେ ଭାରତୀୟ ଦଳ ୧୮ ପଏଣ୍ଟ୍‌ ହାସଲ କରିଥି‌ଲା। ପ୍ରଥମରୁ ହିଁ ଭାରତୀୟ ଦଳ ବିପକ୍ଷ ଦଳ ବିରୋଧରେ ଚାପ ସୃ‌ଷ୍ଟି କରି ପାରିଥିବାରୁ ଦଳକୁ ବିଜୟ ଆଡ଼କୁ ନେବାରେ ସହଜ ହୋଇପାରିଥିଲା ବୋଲି ଅବିନାଶ କହିଛନ୍ତି। ଖେଳର ଦ୍ବିତୀୟାର୍ଦ୍ଧରେ ମଧ୍ୟ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଥିରେ ନେପାଳ- ଦଳ ୨୮ ପଏଣ୍ଟ୍‌ରେ ଅଟକି ଯାଇଥିବା ବେଳେ ଭାରତୀୟ ଦଳ ୩୫ ପଏଣ୍ଟ୍‌ ହାସଲ୍‌ କରି ବିଜେତା ‌ଘୋଷିତ ହୋଇଥିଲା।

ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଅବିନାଶ ଏବଂ ରାଜାଙ୍କ ଘରେ ଖୁସିର ଲହର ଖେଳି ଯାଇଛି। ଅବିନାଶଙ୍କ ବାପା ଜଣେ ଶିକ୍ଷକ ସହ ସିଆର୍‌ସିସି ଦାୟିତ୍ବରେ ରହିଥିବାରୁ ଶିକ୍ଷକ ନେତା ଜଗବନ୍ଧୁ ଜେନାଙ୍କ ସହ ଅଞ୍ଚଳର ଶିକ୍ଷକ ମାନେ ତାଙ୍କ ବାପାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ରାଜାଙ୍କ ବାପା ପ୍ରଫୁଲ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ବୋଲି ଜଣାପଡିଛି। ଆର୍ନ୍ତଜାତୀୟ ସ୍ତରରେ ଅବିନାଶ ଏବଂ ରାଜାଙ୍କ ଏହି କୃତିତ୍ବ ଭଞ୍ଜନଗର ମାଟି ପାଇଁ ଗୌରବ ଆଣିଛି। ପୂର୍ବରୁ ଦୁହେଁ କେବିଏସ୍‌ ଜାତୀୟ କବାଡି ପ୍ରତିଯୋଗିତା, ଓପନ୍‌ ଜାତୀୟ କବାଡ଼ି ପ୍ରତିଯୋଗିତା ଭଳି ୧୯ ବର୍ଷରୁ କମ ବର୍ଗରେ ବିଭିନ୍ନ ଜାତୀୟ ଖେଳରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଏଭଳି ଆର୍ନ୍ତଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଉଭୟଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର