ଦୁର୍ଘଟଣାଗ୍ରସ୍ତ ଏଏନ୍‌ ୩୨ ବିମାନ ନେଇ ଆସିଲା ଦୁଃଖଦ ଖବର : ଓଡ଼ିଆ ପାଇଲଟ୍ ସୁନିତଙ୍କୁ ଝୁରୁଛି ଗାଁ ମାଟି

ପୁଅ ଦେଶ ପାଇଁ ଜୀବନ ‌ଦେଇଥିବାରୁ ମୁଁ ଗର୍ବିତ: ସୁରେନ୍ଦ୍ର

ବ୍ରହ୍ମପୁର/ଭଞ୍ଜନଗର/କବିସୂର୍ଯ୍ୟନଗର : ଗତ ୩ ତାରିଖରୁ ନିଖୋଜ ଥିବା ଭାରତୀୟ ବାୟୁସେନାର ଏଏନ-୩୨ ବିମାନର ଭଗ୍ନାବଶେଷକୁ ଗତ ୧୧ ତାରିଖରେ ଅରୁଣାଚଳ ପ୍ରଦେଶର ଲିପୋ ନିକଟରୁ ଠାବ କରା ଯିବା ପରେ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ୍ୟରେ ପରିଣତ ହୋଇଛି। ଆଜି ବାୟୁସେନା ପକ୍ଷରୁ ବିମାନରେ ଥିବା ସମସ୍ତ ୧୩ କ୍ରିୟୁ ସଦସ୍ୟ ଜୀବିତ ନାହାନ୍ତି ବୋଲି ସ୍ପଷ୍ଟ କରାଯାଇଛି। ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆମ୍ବପୁଆ ପଞ୍ଚାୟତ ବଳିଆପଲ୍ଲୀ ଗ୍ରାମର ଫ୍ଲାଇଟ୍ ଲ୍ୟୁଟନାଣ୍ଟ ସୁନିତ ମହାନ୍ତି ବି ରହିଛନ୍ତି। ସୁନିତଙ୍କ ମୃତ୍ୟୁ ଖବର ଆଜି ପ୍ରଚାର ହେବା କ୍ଷଣି ସମଗ୍ର ଗଞ୍ଜାମ ଜିଲ୍ଲା ସ୍ତବ୍ଧ ହୋଇ ଯାଇଥିଲାବେଳେ ଓ ତାଙ୍କ ପୈତୃକ ଗ୍ରାମ ବଳିଆପଲ୍ଲୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସଂପର୍କୀୟଙ୍କଠାରୁ ଆରମ୍ଭ କରି ପଡ଼ୋଶୀ ସଭିଏଁ ସୁନିତଙ୍କୁ ଝୁରି ହେଉଛନ୍ତି। ସମସ୍ତଙ୍କ ପ୍ରିୟ ଓ ଶାନ୍ତଶିଷ୍ଟ ସ୍ବଭାବର ସୁନିତ ଆଜି ସେମାନଙ୍କ ଗହଣରେ ନାହାନ୍ତି, ଏହି କଥାକୁ କେହି ବି ବିଶ୍ବାସ କରିପାରୁ ନାହାନ୍ତି। ଦିଲ୍ଲୀରେ ରହୁଥିବା ସୁନିତଙ୍କ ବାପା ସୁରେନ୍ଦ୍ର ମହାନ୍ତି ଆଜି ସକାଳେ ତାଙ୍କ ଭାଇ ପ୍ରଦୀପଙ୍କୁ ଏହି ଦୁଃଖଦ ଖବର ପ୍ରଥମେ ଜଣାଇବା ପରେ ସୁରତରେ ରହୁଥିବା ପ୍ରଦୀପ ବଳିଆପଲ୍ଲୀ ଗାଁରେ ରହୁଥିବା ଅନ୍ୟ ସମ୍ପର୍କୀୟ ଓ ପରିବାର ଲୋକଙ୍କୁ ଏହା ଜଣାଇଥିଲେ। ଆଉ ଖବର ପ୍ରଚାର ହେବା କ୍ଷଣି ଗାଁରେ କାନ୍ଦ‌ ବୋବାଳି ପଡ଼ି ଯାଇଥିଲା।

ତେବେ ନିଜର ଏକମାତ୍ର ପୁଅ ସୁନିତର ଅକାଳ ମୃତ୍ୟୁରେ ଶୋକାଭିଭୂତ ହୋଇଥିଲେ ମଧ୍ୟ ବାପା ସୁରେନ୍ଦ୍ର ଭାଙ୍ଗି ପଡ଼ି ନାହାନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରକୃତ ସୈନିକ ଦେଶପାଇଁ ବଳିଦାନ ଦେଇଥାଏ। ମୋ ପୁଅ ବି ଜଣେ ସୈନିକ। ସେ ଦେଶର ସେବା ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଏଥିସହ ମୁଁ ଭାରତୀୟ ବାୟୁସେନାକୁ ଭଲ ପାଏ। ଏଥିପାଇଁ ସୁନିତକୁ ଏଥିରେ ଯୋଗ ଦେବା ପାଇଁ ସୁଯୋଗ ଦେଇଥିଲି। ପ୍ରତିଟି ଲୋକ ଦେଶର ସୈନିକ ପାଇଁ ଗର୍ବ କରିବା ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଦରକାର।

ସୂଚନା ଥାଉକି, ସୁନିତଙ୍କ ବାପା ସୁରେନ୍ଦ୍ରନାଥ ମହାନ୍ତି ମଧ୍ୟ ବାୟୁସେନାର ଗ୍ରୁପ କ୍ୟାପଟେନ ଭାବେ ୨୦୧୦ରେ ଅବସର ଗ୍ରହଣ କରିଛନ୍ତି। ବର୍ତମାନ ସେ ଏକ ଘରୋଇ ବିମାନ ସେବା ସଂସ୍ଥାରେ କାମ କରୁଥିବା ବେଳେ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ସୁନିତ ହେଉଛନ୍ତି ସୁରେନ୍ଦ୍ର ଓ ସଂଯୁକ୍ତାଙ୍କ ଏକମାତ୍ର ପୁଅ। ଭଉଣୀ ସୁମେଧା ଏବେ କାନାଡ଼ାରେ ରହୁଛନ୍ତି।

୧୯୯୦ ମସିହା ନଭେମ୍ବର ୭ତାରିଖରେ ଚେନ୍ନାଇର ମିଲିଟାରୀ ହସ୍‌ପିଟାଲରେ ସୁନିତଙ୍କ ଜନ୍ମ ହୋଇଥିଲା। ତେବେ ତାଙ୍କ ପିଲାବେଳ ଦିଲ୍ଲୀରେ କଟିଥିଲା। ବାପା ସୁରେନ୍ଦ୍ର ବାୟୁସେନାରେ ଚାକିରି କରୁଥିବାରୁ ତାଙ୍କର ବିଭିନ୍ନ ସ୍ଥାନକୁ ବାରମ୍ବାର ବଦଳି ହେଉଥିଲା। ତେଣୁ ସୁନିତ ମଧ୍ୟ ଆଗ୍ରା, ଚଣ୍ତିଗଡ଼, କୋଏମ୍ବାଟୁର ଓ କୋଟା, ଦିଲ୍ଲୀ ସ୍ଥିତ ବାୟୁସେନାର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଜାମସେଦ୍‌ପୁର ସ୍ଥିତ ଏନ୍‌ଆଇଟିରୁ ବି ଟେକ୍‌ ପାସ କରିବା ପରେ ୨୦୧୪ ମସିହାରେ ବାୟୁସେନାରେ ଫ୍ଲାଇଙ୍ଗ ପାଇଲଟ ଭାବେ ଯୋଗ ଦେଇଥିଲେ। ଡଉଲଡାଉଲ ଚେହେରା ସାଙ୍ଗକୁ ଶାନ୍ତଶିଷ୍ଟ ସ୍ବଭାବ ଲାଗି ସୁନିତଙ୍କୁ ସମସ୍ତେ ଭଲ ପାଉଥିଲେ। ସାଙ୍ଗସାଥୀଙ୍କ ମେଳରେ ସେ ଖୁବ୍ ମିଜାଜ ସ୍ବଭାବର ଥିଲେ। ତେବେ ଏଯାଏ ସେ ଅବିବାହିତ ଥିଲେ। ଅନ୍ୟପକ୍ଷରେ ସୁନିତଙ୍କ ବାପା ପ୍ରତିବର୍ଷ ନିଜ ପୈତୃକ ଗାଁ ବଳିଆପଲ୍ଲୀକୁ ଆସୁଥିଲେ। କିନ୍ତୁ ସୁନିତ ୨୦ ବର୍ଷ ହେଲା ପାଠପଢାରେ ବ୍ୟସ୍ତ ରହିଥିବାରୁ ସେ ଗାଁକୁ ଆସିପାରୁ ନ ଥିଲେ। ମାସେ ତଳେ ସୁନିତଙ୍କ ବାପା ସୁରେନ୍ଦ୍ର ଓ ମା’ ସଂଯୁକ୍ତା ବଳିଆପଲ୍ଲୀ ଆସିଥିଲେ। ଆଜି ଏହି ବଳିଆପଲ୍ଲୀ ଗାଁ ମାଟିର ପୁଅକୁ ଝୁରି ହେଉଛି।

ସମ୍ବନ୍ଧିତ ଖବର