ଛାଡ଼ଖାଇ କଥା ଆସିଲେ ଲୋକଙ୍କ ଦେହରେ ଟିକେ ବାଆ ବାଜିଲା ପ୍ରାୟ ହୁଏ। ଖାସ୍ କରି ଆମିଷପ୍ରିୟ ଲୋକମାନଙ୍କ କ୍ଷେତ୍ରରେ। କାରଣ ଯେଉଁ ଆମିଷପ୍ରିୟ ବ୍ୟକ୍ତି କାର୍ତ୍ତିକ ମାସ ପାଳନ୍ତି ସେ ମାସଟା ସାରା ନିରାମିଷ ଖାଇ ଖାଇ ପାଟିଟା ଯେମିତି ଅରୁଚି ହେଇଯାଇଥାଏ। ଏଣୁ ଛାଡ଼ଖାଇ କେବେ ଆସିବ ତାକୁ ଅପେକ୍ଷା କରି ରହିଥାନ୍ତି ଏହି ବର୍ଗର ଲୋକେ। କିନ୍ତୁ ଯଦି ଅବାରରେ ଛାଡ଼ଖାଇ ପଡ଼ିଲା, ତାହେଲେ କଥା ସରିଲା। ଏହି ଯେମିତି ଏସନ ପଡ଼ିଛି। ଛାଡ଼ଖାଇ ବଜାର ପୂରା ଖାଁ ଖାଁ ଗୋଡ଼ାଉଛି। ଗତକାଲି କାର୍ତ୍ତିକ ମାସ ସରିଛି। ଆଜି ଛାଡ଼ଖାଇ ଆସିଛି। କିଛି ଲୋକ ଆଜି ଛାଡ଼ଖାଇ ପାଳିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆମିଷ ବଜାରରେ ଭିଡ଼ ନଥିଲା ଭଳି ଲାଗୁଛି। ଆସନ୍ତାକାଲି ଶୁକ୍ରବାର ଥିବାରୁ ବହୁ ଲୋକ ଛାଡ଼ଖାଇ ପାଳନ କରିବେ। ଛାଡ଼ଖାଇମାନେ କ’ଣ ଖାଲି ଆମିଷ ଖାଇବା! ମାସେ ଧରି ଆଇଁଷ ନଖାଇ ଛାଡ଼ଖାଇ ଦିନ କ’ଣ କେବଳ ଆଇଁଷ ଖାଇବା ପାଇଁ ପାଳନ୍ତି! ନା... ଖାଲି ଆମିଷ ପାଇଁ ନୁହେଁ; ଛାଡ଼ଖାଇର ଅର୍ଥ ବି ଭିନ୍ନ ଅଛି। ଜାଣିବା ଏ ସଂପର୍କରେ...
ଖାଇକି ଛାଡ଼ିବା, ଛାଡ଼ିକି ଖାଇବା: ଛାଡ଼ଖାଇ
‘‘ହେ, ଏ ମାସସାରା ମଣିଷ ଆଉ କେତେ ସେ ଶାଗମୁଗ, ପାଣିକଖାରୁ ଡାଲମା ଖାଇବ... ପାଟିଟା ପୁରା ଛତି ମାରିଗଲାଣି। କେବେ ତମର ଏ କାର୍ତ୍ତିକ ମାସ ଯିବ ଆଉ ଏ ମଣିଷ ଟିକେ ଆଇଁ ଆଣିବ। ନହେଲେ ତମେ ପଛେ ପୂଜା କର, ମୁଁ ନହେଲେ ଯାଉଚି ଆଇଁଷ ଖାଇଦେବି...’’ ଏମିତି କିଛି କଥା ବା ଧମକାଣ ଆପଣଙ୍କ ଘରେ ଏ ମସା ଭିତରେ କେବେ ନା କେବେ ଘଟୁଥିବ। କାରଣ ଆମିଷପ୍ରିୟ ଲୋକଙ୍କୁ ଏ ପୂରା ମାସ ନିରାମିଷ ରହିବା ଭାରି କଷ୍ଟ। ଅରୁଚି ପାଟିରେ ଟିକେ ଆଇଁଷ ପାଣି ବାଜିଗଲେ ଆତ୍ମା ତୃପ୍ତ ହୋଇଯାଏ। ତେବେ ଛାଡ଼ଖାଇ କହିଲେ ଆମେ କେବଳ ଆମିଷ ଭକ୍ଷଣକୁ ହିଁ ବୁଝୁ। କିନ୍ତୁ କିଛି ଗବେଷକ ମତ ଦିଅନ୍ତି, ପ୍ରକୃତରେ ଛାଡ଼ଖାଇ କହିଲେ କେବଳ ଆମିଷ ଖାଇବାକୁ ବୁଝାଏନି। ବରଂ, ବ୍ରତଧାରୀ ବା କାର୍ତ୍ତିକ ପାଳୁଥିବା ବ୍ୟକ୍ତି ଏ ମାସ ସାରା ଯେଉଁ ପନିପରିବା ଭକ୍ଷଣକୁ ତ୍ୟାଗ କରିଥାନ୍ତି ସେସବୁ ପୂର୍ଣ୍ଣମୀ ପରଦିନ ଭକ୍ଷଣ କରନ୍ତି। ଛାଡ଼ଖାଇ ଶବ୍ଦଟି ‘ଛାଡ଼’ ଓ ‘ଖାଇ’ ନାମକ ଶବ୍ଦରୁ ଆସିଛି। ଛାଡ଼ ଅର୍ଥ ଛାଡ଼ିବା ବା ନିବୃତ୍ତ ରହିବା ଏବଂ ଖାଇର ଅର୍ଥ ଖାଇବା। ଅତଏବ୍ କିଛି ସମୟ ଅନ୍ତରାଳେ ବା ବ୍ୟବଧାନରେ ଖାଇବା।
ପ୍ରବଚକଙ୍କ ମୁହଁରୁ: ଛାଡ଼ଖାଇର ଅନ୍ୟ ନାଁ ବକପଞ୍ଚକ
ଛାଡ଼ଖାଇକୁ ନେଇ ପ୍ରବଚକ ସୁରେଶ ଚନ୍ଦ୍ର ମାହାଳି କହନ୍ତି, ‘‘ଛାଡ଼ଖାଇର ଅନ୍ୟନାମ ବକପଞ୍ଚକ। ଯେତେବେେଳ ଭଗବାନ ରାମଚନ୍ଦ୍ର ସୀତାମାତାଙ୍କୁ ଖୋଜି ଖୋଜି ବନସ୍ତରେ ଯାଉଥିବା ବେଳେ ଗୋଟେ ବଗ ଆସି ଶ୍ରୀରାମଙ୍କୁ ରାବଣ ଜଣେ ମହିଳାଙ୍କୁ ନେଇଯାଉଥିବା ବେଳେ ସେ ଦେଖିଥିବାର କହିଲା। ବଗଟିର କଥା ଶୁଣି ଶ୍ରୀରାମଙ୍କ ଆଖିର ଅଶ୍ରୁ ବୋହି ତା’ ଉପରେ ପଡ଼ନ୍ତେ ବଗଟିର ରଂଗ ଧଳା ହୋଇଗଲା। ପ୍ରଭୁ ତାକୁ ଆଶୀର୍ବାଦ ଦେଲେ କି?
‘ଆଜିଠୁ କାର୍ତ୍ତିକ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ,
ଏହି ପାଞ୍ଚଦିନ ନ କରିବୁ ଆମିଷ ଭକ୍ଷଣ’।
ବକପଞ୍ଚକ ନାମେ ଏହା ହୋଇବ ଯେ ଖ୍ୟାତ,
ଯେ ପାଳିବ ସେ ପାଇବ ତା’ ବିଷ୍ଣୁ କ୍ଷେତ୍ର।’
ସେହିଦିନଠାରୁ ବକକୁ ଶ୍ରୀରାମ ଏହି ପାଞ୍ଚଦିନ ଆମିଷ ବାରଣ କରିଥିଲେ। ଏହିକ୍ରମରେ ପୁରାଣକୁ ଆଧାର କରି ବକ ୫ଦିନ ଆମିଷ ଛାଡ଼ୁଛି ବୋଲି ଲୋକମାନେ ମଧ୍ୟ ଏହି ପଞ୍ଚୁକ ପାଞ୍ଚଦିନ ପାଳିଲେ ଏବଂ ଆମିଷକୁ ତ୍ୟାଗ କଲେ। କାର୍ତ୍ତିକ ମାସ ହେଉଛି ସବୁମାସଠୁ ଧାର୍ମିକ ମାସ। କେହିକେହି ନିଜ ଚିନ୍ତାଧାରାକୁ ପାଥେୟ କରି ଏହି ମାସରେ କିଛି ପନିପରିବାକୁ ବର୍ଜନ କଲେ। ଏଣୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ କାର୍ତ୍ତିକ ମାସ ସରିଯାଉଥିବାରୁ ଲୋକେ ସେମାନଙ୍କ ପ୍ରିୟ ତଥା ମୁଖ୍ୟ ପନିପରିବା ଖାଇପାରିଲେ। ଯେଉଁମାନେ ଆମିଷ ଛାଡ଼ିଥାନ୍ତି ସେମାନେ ପୁଣି ଆମିଷ ଭକ୍ଷଣ କରିଥାନ୍ତି। ଆଜିକାଲିର ଲୋକ ବେଶି ଆମିଷକୁ ଗୁରୁତ୍ବ ଦେଉଥିବାରୁ ଏବେ ଛାଡ଼ଖାଇ କହିଲେ ଖାଲି ଆମିଷ ଖାଦ୍ୟଗ୍ରହଣକୁ ହିଁ ବୁଝୁଛୁ’’ ବୋଲି କହନ୍ତି ସୁରେଶ ଚନ୍ଦ୍ର ମାହାଳୀ।
ତଥ୍ୟ କ’ଣ କହୁଛି?
ଐତିହାସିକ ତଥ୍ୟ କହୁଛି, ଓଡ଼ିଆ ସାଧବପୁଅ ଏହି ସମୟରେ ଜଳଯାତ୍ରା କରୁଥିେଲ। ଧୀବରମାନେ ମଧ୍ୟ ଏହି ସମୟରେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିଲେ। କାରଣ କାର୍ତ୍ତିକ ଏ ମାର୍ଗଶିର ମାସରେ ପବନର ଗତିପଥ ବଳିଯାଏ। ଏଣୁ ସେମାନଙ୍କୁ ମେଲାଣି ଦେବା ଭୋଜିରେ ଆମିଷ ଖାଦ୍ୟ ପରସା ଯାଉଥିଲା। ସେପଟେ ଏହି ସମୟଟି ମାଛ ଅମଳ ସମୟ। ମାଳମାଳ ମାଛ ଏହି ସମୟରେ ହିଁ ସମୁଦ୍ର ତଟକୁ ଆସନ୍ତି। ସହଜରେ ପ୍ରଚୁର ଆମିଷ ମିଳୁଥିବାରୁ ହୁଏତ ଏହି ସମୟକୁ ଛାଡ଼ଖାଇ ଭାବେ ପାଳନ କରାଯାଇଆସୁଛି ବୋଲି କିଛି ଗବେଷକ ମତ ଦିଅନ୍ତି। ଅନ୍ୟକିଛି ଗବେଷକଙ୍କ ମତରେ, ଛାଡ଼ଖାଇରୁ ଶୀତର ମାତ୍ରା ବଢ଼େ। ଏହି ଦିନମାନଙ୍କରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆର୍ଦ୍ରତାର ଅନୁପାତ ଉତ୍କୃଷ୍ଟ ଥାଏ। ଏଣୁ ମାଂସ ଖାଇବା ପାଇଁ ଏହିଦିନ ଉପଯୁକ୍ତ ସମୟ। ସେ ଯାହାବି ହେଉ, ଛାଡ଼ଖାଇ ଏସନ ଗୁରୁବାର ପଡ଼ୁଛି। ମାର୍ଗଶିର ମାସ ପ୍ରଥମ ଅନାଦି ମାଣବସା ବ୍ରତ ପଡ଼ୁଥିବାରୁ ଶୁକ୍ରବାର ଦିନ ଆମିଷ ବଜାର ଗରମ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/05/fish-market-2025-11-05-18-18-32.jpg)