ଓଡ଼ିଆ ସାହିତ୍ୟ ବିରୋଧରେ ଷଡ଼୍‌ଯନ୍ତ୍ର-୨ : କେଉଁଠି ଥିଲା, କୁଆଡ଼େ ଗଲାଣି ଏକାଡେମି !

ଏକଦା ନବୀନଙ୍କ ସମେତ ୭ ମୁଖ୍ୟମନ୍ତ୍ରୀ ଏହି ପଦରେ ବସିଥିଲେ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ବିରୋଧରେ ଚାଲିଥିବା ବଡ଼ ଧରଣର ଷଡ଼ଯନ୍ତ୍ର ସଂପର୍କରେ ଧୀରେ ଧୀରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯେଉଁ ପଦବିର ଗରିମା ଏତେ ଥିଲା ଯେ ଓଡ଼ିଶାର ଏକନମ୍ବର ସାହିତ୍ୟିକଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପ୍ରଶାସକମାନେ ଏହାକୁ ଲୋଭାଉଥିଲେ, ସେହି ସର୍ବୋଚ୍ଚ ପଦବି ଅର୍ଥାତ୍ ସାହିତ୍ୟ ଏକାଡେମି ସଭାପତି ପଦକୁ ବିବାଦୀୟ ସ୍ଥିତି ଭିତରକୁ ଠେଲି ଦିଆଯାଇଛି। ଗତବର୍ଷ ମେ’ ୫ ତାରିଖ ଦିନ ସାହିତ୍ୟ ଏକାଡ଼େମି ସଭାପତି ହରିହର ମିଶ୍ରଙ୍କ (ତିନିବର୍ଷିଆ) କାର୍ଯ୍ୟକାଳ ଶେଷ ହୋଇଥିଲା। ସମ୍ବିଧାନ ଅନୁସାରେ ସରକାର ଚାହିଁଲେ ସଭାପତିଙ୍କ କାର୍ଯ୍ୟକାଳ ବଢାଇପାରିବେ। ଏକ ବିଶେଷ ସମୟ ପାଇଁ ଏହି କ୍ଷମତା ସରକାରଙ୍କୁ ଦିଆଯାଇଛି। ହେଲେ ଏହି କ୍ଷମତାକୁ ଆୟୁଧ କରି ସରକାର ନୂଆ ସଭାପତି ନିଯୁକ୍ତି ଦେବା ବଦଳରେ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଛନ୍ତି। ଯଦିଓ ସେଭଳି କିଛି ଉଲ୍ଲେଖନୀୟ ପରିବର୍ତନ ସେ ତିନିବର୍ଷରେ ଏକାଡେମି କରିପାରିନାହିଁ।

ଏହି ପ୍ରଶ୍ନଟି ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଉଛି। କାରଣ ସଭାପତିଙ୍କ କାର୍ଯ୍ୟ ଶେଷ ହେବାର ପାଖାପାଖି ମାସେ ପୂର୍ବରୁ ୨୦୧୯ ଏପ୍ରିଲ ମାସରେ ରାଜ୍ୟ ସରକାର ପରବର୍ତୀ ସଭାପତି ନିଯୁକ୍ତି ଲାଗି ଏକ ସର୍ଚ୍ଚ କମିଟି ଗଠନ କରିଥିଲେ। ସୀତାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଂସ୍କୃତି ବିଭାଗ ନିର୍ଦେଶକ, ସାହିତ୍ୟିକ ଅର୍ଚ୍ଚନା ନାୟକ, ବିଜୟ କୁମାର ଶତପଥୀ ଓ ବିପିନ ବିହାରୀ ବିଶ୍ବାଳ ସଭ୍ୟ ରହିଥିଲେ। କମିଟି ଯେଉଁ ୪ଟି ନାମ ସୁପାରିସ କରିଥିଲେ, ସେମାନେ ହେଲେ ପ୍ରତିଭା ରାୟ, ପ୍ରଫୁଲ୍ଲ କୁମାର ମହାନ୍ତି, ଅଲେଖ ଚନ୍ଦ୍ର ପଢ଼ିଆରୀ ଏବଂ ହୃଷିକେଶ ମଲ୍ଲିକ। ସରକାର କିନ୍ତୁ ଏହି ଫାଇଲ ଉପରେ ଏଯାଏ ମୋହର ଲଗାଇନାହାନ୍ତି କି ସର୍ଚ୍ଚ କମିଟି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଏହି ପ୍ରସଙ୍ଗଟି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏଥିସହିତ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରିବା ଘଟଣା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ଏହି ନାମ ଉପରେ ସମ୍ଭବତଃ ସହମତି ନାହିଁ। ଏଣୁ ଏମାନଙ୍କ ମଧ୍ୟରୁ କାହାକୁ ବି ଯଦି ଏବେ ନିଯୁକ୍ତି ଦିଆଯାଏ, ତାହା ସଂପୃକ୍ତ ସାହିତ୍ୟିକଙ୍କ ସମ୍ମାନ ତ ବଢ଼ାଇବ ନାହିଁ, ବରଂ ସେ ବିବାଦକୁ ଚାଲିଯିବାର ଭୟ ରହିଛି। ସେଭଳି ସ୍ଥିତିରେ ସରକାର ମଧ୍ୟ ସମାଲୋଚିତ ହେବାର ସୁଯୋଗ ରଖୁଛି।

ସର୍ଚ୍ଚ କମିଟି ସୁପାରିସ୍‌ ଅଟକିବା ଅର୍ଥ ସରକାରୀ ଅସହମତି ନୁହେଁ କି?

ହେଲେ ପ୍ରଶ୍ନ ଉଠୁଛି, ସାହିତ୍ୟ ଏକାଡେମିର ସଭାପତି ପଦରେ କିଏ ବସିବେ, ମାପକାଠିଟି କଣ?
ଏଠାରେ ସ୍ମରଣଯୋଗ୍ୟ ଯେ ଓଡ଼ିଶା ସାହିତ୍ୟ ଏକାଡେମି ରେଜିଷ୍ଟ୍ରେସନ୍ ଅଫ୍ ସୋସାଇଟି ଆଇନ, ୧୮୬୦ ଅନୁସାରେ ୧୯୭୦ ମସିହାରେ ପଞ୍ଜୀକରଣ ହୋଇଛି। ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ୧୯୫୭ ମସିହାରୁ ଏହା ଜୀବନ୍ୟାସ ପାଇସାରିଥିଲା। କିନ୍ତୁ ଏକାଡେମି ଏଭଳି ରାସ୍ତାରେ ଯାଉଛି, ଯେଉଁଥିରେ ପ୍ରଶଂସା କମ୍, ଦିନକୁ ଦିନ ଅଧିକ ସମାଲୋଚିତ ହେବାରେ ଲାଗିଛି। କେତେବେଳେ ପ୍ରଶାସକମାନେ ଏଠାରେ ସଭାପତି ପଦ ମାଡ଼ି ବସିଛନ୍ତି, ଆଉ କେବେ ରାଜନେତା। ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ, ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ବାଳ ଏବଂ ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୋଟିଏ ସମୟରେ ସାହିତ୍ୟ ଏକାଡେ଼ମିର ସଭାପତି ଥିଲେ। ଏହା କିନ୍ତୁ ଗୋଟିଏ ସଙ୍କେତ ଦେଉଛି ଯେ ସାହିତ୍ୟ ଏକାଡେମି ସଂସ୍ଥା ଓ ସାହିତ୍ୟିକଙ୍କର ରାଜ୍ୟରେ ଏତେ ଗୁରୁତ୍ବ ଥିଲା ଯେ ମୁଖ୍ୟମନ୍ତ୍ରୀମାନେ ଏହି ଆସନରେ ବସିବାକୁ ଆଗ୍ରହ ରଖୁଥିଲେ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ମଧ୍ୟ ଦୁଇ ଦୁଇ ଥର ସଭାପତି ଥିଲେ, ଯଦିଓ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ନଥିଲେ। ‌କେବଳ ମହତାବ ନୁହନ୍ତି, ନବୀନ ଆଗଧାଡ଼ିର ଓଡ଼ିଆ ସାହିତ୍ୟିକ ନଥିଲେ ମଧ୍ୟ ଚାରିମାସ (୨୦୦୦ ମସିହାରେ) ସଭାପତି ପଦରେ ରହିଥିଲେ। ଏହି ସମୟରେ ଥରେ ମଧ୍ୟ ଏକାଡେମି ଯାଇନଥିଲେ ନବୀନ। କିନ୍ତୁ ପଦବିକୁ ବିଶେଷ ଗୁରୁତ୍ବ ଦେଉଥିଲେ ବୋଲି ତ ସେ ଏହି ଚୌକି ନିଜ ହାତରେ ରଖିବାକୁ ଚାହିଁଥିଲେ। ଏକଥା ନୁହେଁ ଯେ ଓଡ଼ିଶାର ବିଶିଷ୍ଟ ସାହିତ୍ୟ ସାଧକମାନେ ଏହି ପଦବିରେ ବସିନାହାନ୍ତି। ସୁରେନ୍ଦ୍ର ମହାନ୍ତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ବି ଅତି ଗୁରୁତ୍ବପୂର୍ଣ୍ଣ ସମୟରେ (ରଜତ ଜୟନ୍ତୀ) ଏହାର କର୍ଣ୍ଣଧାର ଥିଲେ।

ଯେଉଁ ଚୌକି ଏତେ ପ୍ରଭାବ ରଖୁଥିଲା ଯେ ବିଶିଷ୍ଟ ସାହିତ୍ୟିକ ମାନଙ୍କ ସ୍ଥାନରେ ବଡ଼ ବଡ଼ ରାଜନୈତିକ ନେତା ତାକୁ ଆଖଉଥିଲେ, ହଠାତ୍ କଣ ହେଲା ଯେ ସରକାରଙ୍କ ଦୃଷ୍ଟିଭଙ୍ଗୀ ବଦଳିଗଲା? ସରକାର ଏହି ପଦବିକୁ ଏତେ ଗୌଣ ମନେକଲେ? ଏହାକୁ କାମଚଳା ଅନୁଷ୍ଠାନରେ ପରିଣତ କରିବାକୁ କେହି ପଛଘୁଞ୍ଚା ଦେଲେ ନାହିଁ? ଓଡିଶାରେ ସାହିତ୍ୟର ବିକାଶ ପାଇଁ ଏକାଡେମିର କିଛି ଭୂମିକା ଅଛି ନା ନାହିଁ? ଏହି ସଂସ୍ଥା ଉପରେ କି ଉତ୍ତରଦାୟିତ୍ବ ନ୍ୟସ୍ତ କରାଯାଇଛି? ଯଦି ଏହା ସରକାରଙ୍କ ପ୍ରାଥମିକତାରେ ନାହିଁ ଏମିତି ସଂସ୍ଥା କାହିଁକି ରହିବ? ଯଦି ଓଡ଼ିଶାର ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଏହାର ଏକ ବିଶେଷ ଗୁରୁତ୍ବ ରହିଛି, ତେବେ ଏହାକୁ ସେଭଳି ବ୍ୟକ୍ତିଙ୍କ ହାତରେ ରଖାଯିବା ଦରକାର, ଯେଉଁଥିରେ ଓଡ଼ିଆ ଭାଷା କେବଳ ସମୃଦ୍ଧ ଓ ଦୀର୍ଘଜୀବୀ ହେବ ତା ନୁହେଁ, ବରଂ ଓଡ଼ିଶାର କୃତିକୁ ବିଶ୍ବ ଦରବାରରେ ସମ୍ମାନ ମିଳିବ ବୋଲି କିଛି ବରିଷ୍ଠ ସାହିତ୍ୟିକ ମତ ରଖୁଛନ୍ତି। ଏକଦା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ପଦମଣ୍ଡନ କରିଥିବା ଏହି ଅନୁଷ୍ଠାନ ପ୍ରତି ଯଦି ସରକାର ହେୟଜ୍ଞାନ ପୋଷଣ କରନ୍ତି, ଅସନ୍ତୋଷ ହେବା ତ ସ୍ବାଭାବିକ। କିନ୍ତୁ ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆସନରେ ବସିବା ପରେ ତା ପ୍ରତି ତାଙ୍କରି ସରକାର ବା ଶାସନ କଳ ଗୁରୁତ୍ବ ଦେବନି, ଇଏ କି କଥା।

ସମ୍ବନ୍ଧିତ ଖବର