ୟୁଏଇରେ ଓଡ଼ିଆ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ପାଳିତ ହେଲା ବୋଇତ ବନ୍ଦାଣ

ଦୁବାଇ: ସୁଦୂର ଆବୁଧାବିରେ ଥାଇ ମଧ୍ୟ ଆମ ଓଡ଼ିଶାର ଭାଇଭଉଣୀମାନେ ନିଜ ମାତୃଭୂମିର ଐତିହ୍ୟ ଓ ପରମ୍ପରାକୁ ଭୁଲି ପାରିନାହାନ୍ତି। ଗତ ନଭେମ୍ବର ୧୭ ତାରିଖଦିନ ଆବୁଧାବିରେ ରହୁଥିବା ଓଡ଼ିଆ ପରିବାରଗୁଡ଼ିକୁ ନେଇ ଗଢ଼ି ଉଠିଥିବା ‘ଓଡ଼ିଆ ସମାଜ ଆବୁଧାବି(ଓସା)’ ତରଫରୁ ସଂଯୁକ୍ତ ଆରବ ଏମିରେଟସ୍‌ (ୟୁଏଇ)ରେ ପ୍ରଥମ ଥର ପାଇଁ ‘ବୋଇତ ବନ୍ଦାଣ ଉତ୍ସବ-୨୦୧୭’ ସ୍ଥାନୀୟ ଇଣ୍ଡିୟାନ୍‌ ଏମ୍ବାସିର ପ୍ରେକ୍ଷାଳୟରେ ପାଳିତ ହୋଇଥିଲା।

ଏହି ଉତ୍ସବରେ ପ୍ରବାସୀ ଭାରତୀୟ ଉଦ୍ୟୋଗପତି ଏବଂ ୟୁନିଭର୍‌ସାଲ ହସ୍‌ପିଟାଲର ମୁଖ୍ୟ ଡକ୍ଟର ସବିର୍‌ ମୁଖ୍ୟଅତିଥି, ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଓଲିଉଡର ହାସ୍ୟ ଅଭିନେତା ଗୁଡୁ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇଥିଲେ। ଏତଦ୍‌ବ୍ୟତୀତ ଏହି ମହୋତ୍ସବରେ ଆବୁଧାବି ତଥା ନିକଟସ୍ଥ ଦୁବାଇ, ସାରଜାହାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଉତ୍ସବକୁ ସଫଳତାର ସହ ଅନୁଷ୍ଠିତ କରିଥିବାରୁ ‘ଓଡ଼ିଆ ସମାଜ ଆବୁଧାବି’ର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍ଠାନର ସଦସ୍ୟସଦସ୍ୟା ଓ ପିଲାମାନେ ‘ବୋଇତ ବନ୍ଦାଣ’ ଉପରେ ଆଧାରିତ ନୃତ୍ୟ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ୪୦୦ରୁ ଊର୍ଧ୍ୱ ପ୍ରବାସୀ ଓଡ଼ିଆ ଦର୍ଶକ ଉପସ୍ଥିତ ଥିଲେ।

ଉତ୍ସବ ପ୍ରାରମ୍ଭରେ ‘ବୋଇତ ବନ୍ଦାଣ’ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଇଥିଲା। ଯାହାକି ଆମ ଓଡ଼ିଶାର ସେହି ପୁରାତନ ନୌବାଣିଜ୍ୟର ଗୌରବଗାଥା ସମସ୍ତଙ୍କୁ ମନେ ପକାଇ ଦେଇଥିଲା। ମୁଖ୍ୟ ଅତିଥି ଡକ୍ଟର ସବିର, ‘ଓଡ଼ିଆ ସମାଜ ଆବୁଧାବି’ର ସଭାପତି ପ୍ରଦୀପ କୁମାର ରଥ, ଉପଦେଷ୍ଟା ଅଶୋକ କୁମାର ମହାନ୍ତି, ସାଂସ୍କୃତିକ ସମ୍ପାଦକ କମଳ କୁମାର ପଣ୍ଡା, ମୁଖ୍ୟ ସମ୍ପାଦକ ସିଦ୍ଧାର୍ଥ ଦାସ ଓଡ଼ିଶାର ନୌବାଣିଜ୍ୟ ଇତିହାସ, କଳା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଗହଣରେ ‘ଓଡ଼ିଆ ସମାଜ ଆବୁଧାବି’ର ସ୍ମରଣିକା ପ୍ରାବସୀ ଉତ୍କର୍ଷ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପ୍ରଥମ ଥର ପାଇଁ ସୁଦୂର ଆବୁଧାବିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଅଭିନୀତ ‘ପିଲାଟା ବିଗଡ଼ି ଗଲା’ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଦର୍ଶକମାନେ ଅର୍ଚ୍ଚିତାଙ୍କର ଉଚ୍ଚକୋଟିର ନିଖୁଣ ଅଭିନୟକୁ ଭୁରିଭୁରି ପ୍ରଶଂସା କରିଥିଲେ। ଏତଦ୍‌ବ୍ୟତୀତ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ଗୁଡ଼ୁ ମଞ୍ଚ ଉପରେ ଅଭିନୟ, ନୃତ୍ୟ ଏବଂ ହାସ୍ୟରସ ପରିବେଷଣ କରିଥିଲେ ଯାହାକି ଦର୍ଶକମାନଙ୍କୁ ବେଶ୍‌ ମନରୋଞ୍ଜନ କରିଥିଲା। ଦର୍ଶକମାନେ ଅର୍ଚ୍ଚିତା ଓ ଗୁଡୁଙ୍କର ନୃତ୍ୟ, ସଙ୍ଗୀତର ତାଳେତାଳେ ଝୁମିଉଠିଥିଲେ।

ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ରଥଙ୍କ ତତ୍ତ୍ୱାବଧାନରେ ଓ ଉପଦେଷ୍ଟା ଅଶୋକ ମହାନ୍ତି, ଅଶୋକ ପଣ୍ଡା, ହିମାଂଶୁ ଦାସଙ୍କ ପରାମର୍ଶରେ ଅରୁଣ ମଲିକ୍‌, ସିଦ୍ଧାର୍ଥ ଦାସ୍‌ , ବାଳକୃଷ୍ଣ ବିଶୋଇ, କମଳ ପଣ୍ଡା , ପ୍ରତୀକ ଦାଶ, ସୁଧାଂଶୁ ପାତ୍ର, ସୁଜର୍ଣ୍ଣ ବେହେରା, ସୁଶୋଭନ ଦାଶ, ଅବଦୁର ରାଉଫ, ମାନସ ଉଦ୍‌ଗାତାଙ୍କ ଦ୍ୱାରା କାର୍ଯ୍ୟକ୍ରମଗୁଡ଼ିକ ସୁଚାରୁରୂପେ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର