ଓଡ଼ିଶାର ବିକାଶରେ ପ୍ରବାସୀ ଓଡ଼ିଆଙ୍କ ହାତ ଲାଗୁ: ଧର୍ମେନ୍ଦ୍ର

ୟୁଏଇ ଓ ମଧ୍ୟ ପ୍ରାଚ୍ୟରେ ରହୁଥିବା ଓଡ଼ିଆଙ୍କ ସମ୍ମିଳନୀ

ଭୁବନେଶ୍ୱର : ୟୁଏଇ ଓ ମଧ୍ୟ ପ୍ରାଚ୍ୟରେ ରହୁଥିବା ଓଡ଼ିଆମାନଙ୍କ ଏକ ସମ୍ମିଳନୀ ଆବୁଧାବିରେ ଆଜି ଅନୁଷ୍ଠିତ ହୋଇଯାଇଛି। ୟୁଏଇ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଓଡ଼ିଶାର ମୂଳ ଭୂଖଣ୍ଡରେ ୟୁଏଇ ଓ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆଙ୍କ ପରି ଧନୀ ଲୋକ ନାହାନ୍ତି। ସମାଜ ଧନୀ ହେଲେ ସ୍ୱୟଂସମ୍ପୂର୍ଣ୍ଣତା ଆସେ। ଲୋକମାନେ ଚାକିରି କରିବାର ମାନସିକତାରୁ ବାହାରି ନିଜେ ଉଦ୍ୟମୀ ହେବାକୁ ଚେଷ୍ଟା କରିବା ଆବଶ୍ୟକ। ରାଜ୍ୟରେ ପରିବର୍ତ୍ତିତ ପରିସ୍ଥିତିରେ ଆର୍ଥିକ ଦୃଷ୍ଟିରୁ ପଛୁଆ ତଥା ମେଧା ଶକ୍ତିରେ ବେଶ୍‌ ଆଗୁଆ ନୂଆ ପିଢ଼ିର ଓଡ଼ିଆ ପିଲାମାନେ ନୂଆ ଚିନ୍ତା କରି ଆଗକୁ ଯାଉଛନ୍ତି। ସିଙ୍ଗାପୁର-ଦୁବାଇ ଗତ ୩୦ ବର୍ଷରେ ମୁଣ୍ଡ ଟେକିଛନ୍ତି। ଆଗାମୀ ୩୦ ବର୍ଷରେ ଓଡ଼ିଶା କାହିଁକି ବିଶ୍ୱର ଆଗୁଆ ଅଞ୍ଚଳରେ ପରିଣତ ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ଆମ ଦେଶର ତୈଳ ଆବଶ୍ୟକତାର ୬୦ ପ୍ରତିଶତ ଆରବ ଦେଶମାନଙ୍କୁ କିଣାଯାଉଛି। ତେଣୁ ଓଡ଼ିଶାର କୃଷି ଉତ୍ପାଦନକୁ ୟୁଏଇ ବଜାରରେ ବିକ୍ରି କରିବାର ସୁଯୋଗ ରହିଛି। ଓଡ଼ିଶାର କୃଷିଜାତ ଦ୍ରବ୍ୟକୁ ଦିଲ୍ଲୀରେ ପହଞ୍ଚାଇବା ଯେତିକି କଷ୍ଟସାଧ୍ୟ, ସମୁଦ୍ର ରାସ୍ତାରେ ଓଡ଼ିଶାରୁ ବିଭିନ୍ନ ଦେଶକୁ ପହଞ୍ଚାଇବା ତା’ଠାରୁ ଆହୁରି ସହଜ। ଓଡ଼ିଶାର ବିକାଶରେ ପ୍ରବାସୀ ଓଡ଼ିଆଙ୍କ ହାତ ଲାଗୁ ବୋଲି କେନ୍ଦ୍ର ମନ୍ତ୍ରୀ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର