କୋରାପୁଟ : କୋଟିଆରେ ତେଲୁଗୁ ଭାଷାର ବହୁଳ ପ୍ରସାର ପାଇଁ ଆନ୍ଧ୍ର ସରକାରଙ୍କ ଯୋଜନା ଓଡ଼ିଆ ଭାଷା ପ୍ରତି ବିପଦ ବଡ଼ ସୃଷ୍ଟି କରିଛି। ଫାଟୁସିନେରିରେ ଭଡ଼ାଘରେ ବିଦ୍ୟାଳୟ ଚଲାଇଥିବା ବେଳେ ଧୂଳିପଦରରେ ତେଲୁଗୁ ଶିକ୍ଷା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ଦେଖିବାକୁ ମିଳିଛି। ଯାହାର ସୁଫଳ ମଧ୍ୟ ଆନ୍ଧ୍ର ସରକାରଙ୍କୁ ଏବେ ସିଧାସଳଖ ମିଳୁଛି। ପିଲା ଓଡ଼ିଶାର ବିଦ୍ୟାଳୟରେ ନାମ ଲେଖାଇଥିଲେ ସୁଦ୍ଧା ପାଠ ପଢ଼ିବାକୁ ନିୟମିତ ଆନ୍ଧ୍ର ବିଦ୍ୟାଳୟକୁ ଯାଉଛନ୍ତି।
ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକୁ ସାମୟିକ ଭାବେ ବନ୍ଦ କରିଛନ୍ତି ଓଡ଼ିଶା ସରକାର। କିନ୍ତୁ ଓଡ଼ିଶାର ସୀମାନ୍ତ ତଥା ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାର ଖୋଲିଥିବା ବିଦ୍ୟାଳୟ ଗୁଡ଼ିକ ପୂର୍ବବତ୍ ଖୋଲିବା ସହ ଶିକ୍ଷାଦାନ ଚାଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ବର୍ତ୍ତମାନ ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ କୋଟିଆ ପଞ୍ଚାୟତର ଧୂଳିପଦର ସ୍ଥିତ ବିଦ୍ୟାଳୟରେ ପାଳନ କରାଯାଉଛି।
ଓଡ଼ିଶା ସରକାର ଖୋଲିଥିବା ଧୂଳିପଦର ପ୍ରାଥମିକ ବିଦ୍ୟାଳୟ ଠାରୁ ମାତ୍ର ୩୦ମିଟର ଦୂରରେ ରହିଛି ଆନ୍ଧ୍ର ସରକାରଙ୍କ ଧୂଳିପଦର ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଶାର ୪୦ରୁ ଅଧିକ ପିଲା ନାମ ଲେଖାଇଛନ୍ତି। ଏଥିପାଇଁ ଆନ୍ଧ୍ର ସରକାର ଚାରୋଟି ଶ୍ରେଣୀଗୃହ ନିର୍ମାଣ କରିଛନ୍ତି। ସକାଳ ସାଢ଼େ ୭ଟା ସୁଦ୍ଧା ପିଲା ବିଦ୍ୟାଳୟରେ ପହଞ୍ଚିଗଲେ ୮ଟା ସୁଦ୍ଧା ପ୍ରାର୍ଥନା ହେଉଛି। ୮ଟା ୧୦ମିନିଟ୍ରେ ପାଠପଢ଼ା ଆରମ୍ଭ ହୋଇ ୪୦ମିନିଟ୍ର ତିନୋଟି କ୍ଲାସ୍ ହେଉଛି। ସକାଳ ୧୦ଟା ୧୦ମିନିଟ୍ରେ ମଧ୍ୟାହ୍ନ ଭୋଜନ ପାଇଁ ୧୦ମିନିଟ୍ ପିଲାଙ୍କୁ ସମୟ ଦିଆଯାଉଛି। ଏହାପରେ ୧୦ଟା ୨୦ମିନିଟ୍ରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ତିନୋଟି କ୍ଲାସ୍ ହେଉଛି। ୨୦୧୯ ମସିହାରେ ଆନ୍ଧ୍ର ସରକାର ସ୍ଥାପନ କରିଥିବା ଏହି ବିଦ୍ୟାଳୟରେ ଗ୍ରୀଷ୍ମ ଋତୁକୁ ବାଦ୍ ଦେଲେ ବର୍ଷର ଅନ୍ୟ ସମୟରେ ସକାଳ ସାଢ଼େ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପଠପଢ଼ା ହେଉଛି। ଜଣେ ଶିକ୍ଷକ ଏଠାରେ ରହି ନିୟମିତ ଶିକ୍ଷାଦାନ କରୁଛନ୍ତି।
ଗାଁରେ ଅନୁସନ୍ଧାନ କରିବାରୁ ଗୋଟିଏ ସାଂଘାତିକ କଥା ଜଣାପଡ଼ିଥିଲା। ବହୁ ବର୍ଷ ତଳେ ଓଡ଼ିଶା ସରକାର ଏଠାରେ ବିଦ୍ୟାଳୟ ସ୍ଥାପନ କରିଥିଲେ। ପିଲାମାନେ ମଧ୍ୟ ଓଡ଼ିଶାର ବିଦ୍ୟାଳୟକୁ ଯାଇ ଓଡ଼ିଆ ଶୁଖୁଥିଲେ। କିନ୍ତୁ ଆନ୍ଧ୍ର ସରକାର ବିଦ୍ୟାଳୟ ଆରମ୍ଭ କରିବା ପରେ ଅଭିଭାବକ ସେହି ବିଦ୍ୟାଳୟକୁ ତେଲୁଗୁ ଶିଖିବା ପାଇଁ ପିଲାଙ୍କୁ ଛାଡ଼ୁଛନ୍ତି। ତେଣୁ ପିଲାମାନେ କେବଳ ମଧ୍ୟାହ୍ନ ଭୋଜନ କରିବାକୁ ଓଡ଼ିଶାର ବିଦ୍ୟାଳୟକୁ ଆସୁଛନ୍ତି, ଖାଇ ସାରିବା ପରେ ପାଠ ପଢ଼ିବାକୁ ଆନ୍ଧ୍ର ବିଦ୍ୟାଳୟକୁ ଯାଉଛନ୍ତି। ଓଡ଼ିଶା ଶିକ୍ଷା ଦେବାକୁ ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ ସୁଦ୍ଧା ଅଭିଭାବକଙ୍କ ଅନିଚ୍ଛା ଯୋଗୁ ପିଲା ପାଠ ପଢ଼ିବାକୁ ଆସୁନାହାନ୍ତି।