୯୦ ଲକ୍ଷରୁ ଅଧିକ ଓଡ଼ିଆଙ୍କୁ ହତାଦର; ଝାଡ଼ଖଣ୍ଡ ସରକାରଙ୍କ ଉପରୁ ବିଶ୍ୱାସ ତୁଟିଛି, ଏବେ କେନ୍ଦ୍ରକୁ ଭରସା
ବିଚ୍ଛିନ୍ନାଞ୍ଚଳରେ ଖୋଲିବ କେନ୍ଦ୍ରୀୟ ଆବାସିକ ଓଡ଼ିଆ ବିଦ୍ୟାଳୟ
ବାଲେଶ୍ବର : ୨୦୦୦ ମସିହା ନଭେମ୍ବର ମାସରେ ବିହାରରୁ ଅଲଗା ହୋଇ ଗଠିତ ହେଲା ଝାଡ଼ଖଣ୍ଡ ରାଜ୍ୟ। ସିଂହଭୂମ୍ ଅଞ୍ଚଳ ଏହି ନୂଆ ରାଜ୍ୟ ଭାଗରେ ପଡ଼ି ପୂର୍ବ ସିଂହଭୂମ୍, ପଶ୍ଚିମ ସିଂହଭୂମ୍ ଓ ଷଢ଼େଇକଳା-ଖରସୁଆଁ ଭଳି ୩ଟି ଜିଲ୍ଲାରେ ବିଭକ୍ତ ହେଲା। ଯାହାର ଅଧିକାଂଶ ଅଧିବାସୀ ଓଡ଼ିଆ। ସଂଖ୍ୟା ପ୍ରାୟ ୯୦ ଲକ୍ଷରୁ ଅଧିକ। ତେଣୁ ଝାଡ଼ଖଣ୍ଡ ସରକାର ୨୦୧୧ ମସିହାଠାରୁ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ବି ଦେଇଛନ୍ତି। ତେବେ ଭିନ୍ନ ଏକ ପ୍ରଦେଶରେ ଅନ୍ତର୍ଭୁକ୍ତ ହେବା ଓ ଝାଡ଼ଖଣ୍ଡ ସରକାରଙ୍କ ସାବତପୁଅ ମନୋଭାବ କାରଣରୁ ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାବହୁଳ ଓଡ଼ିଆ ଭାଷାଭାଷୀଙ୍କ ପରିଚୟ ଆଜି ସଂକଟରେ। କେବଳ ସେତିକି ନୁହେଁ, ପଣ୍ଡିତ ଗୋପବନ୍ଧୁ ଦାସ ଅବିଭକ୍ତ ସିଂହଭୂମ୍ ଜିଲ୍ଲାରେ ଖୋଲିଥିବା ୧୫୦ଟି ଓଡ଼ିଆ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଗଲାଣି। ଅନ୍ୟପକ୍ଷରେ ଓଡ଼ିଆ ଭାଷାରେ ପାଠପଢ଼ା ଓ ଓଡ଼ିଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଝାଡ଼ଖଣ୍ଡ ରାଜ୍ୟରେ ସଂପୂର୍ଣ୍ଣ ରୋକି ଦିଆଯାଇଛି। ଏଭଳି ସ୍ଥିତିରେ ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ଓ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ମଧ୍ୟ ଦରଦ ଦେଖାଉନାହାନ୍ତି। ତାର କାରଣ ହେଉଛି; ସେମାନଙ୍କ ଦ୍ବାରା ଓଡ଼ିଶାରେ ଥିବା ସରକାରୀ ଦଳର ଭୋଟ୍ ବ୍ୟାଙ୍କକୁ କୌଣସିପ୍ରକାର ଲାଭ ମିଳିବାର ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏମିତି ସ୍ଥିତିରେ ଓଡ଼ିଆ ପାଠପଢ଼ାକୁ ନେଇ ଦୋଛକିରେ ଥିବା ପୂର୍ବ ସିଂହଭୂମ୍, ପଶ୍ଚିମ ସିଂହଭୂମ୍, ଷଢ଼େଇକଳା-ଖରସୁଆଁ ଭଳି ଓଡ଼ିଆବହୁଳ ଅଞ୍ଚଳରେ ଆବାସିକ ଓଡ଼ିଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାର ଦେଖାଇଥିବା ତତ୍ପରତା ଆଶାର କିରଣ ସାଜିଛି। ୨୦୨୧ ସେପ୍ଟେମ୍ବର ମାସ ୨ ତାରିଖରେ ସମାଜସେବୀ ତଥା ଚଳଚ୍ଚିତ୍ର ନିର୍ମାତା ସନ୍ତୋଷ ଗୌର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ବିଷୟରେ ଚିଠି ଲେଖିଥିଲେ। ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରତି ଝାଡ଼ଖଣ୍ଡ ସରକାରଙ୍କ ବୈମାତୃକ ମନୋଭାବ କଥା ସେ ଉଲ୍ଲେଖ କରିବା ସହ ପୂର୍ବ ସିଂହଭୂମ୍, ପଶ୍ଚିମ ସିଂହଭୂମ୍ ଓ ଷଢ଼େଇକଳା-ଖରସୁଆଁରେ ୧୦ଟି ବିଶ୍ବସ୍ତରୀୟ ଆବାସିକ କେନ୍ଦ୍ରୀୟ ଓଡ଼ିଆ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ବର ସହ ନେଇଛନ୍ତି। ଏ ସଂକ୍ରାନ୍ତରେ ସେପ୍ଟେମ୍ବର ୧୪ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷା ବିଭାଗ ସଚିବଙ୍କୁ ମଧ୍ୟ ସୂଚିତ କରାଯାଇଛି।
ଆବଶ୍ୟକତା ଦୃଷ୍ଟିରୁ ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ପଞ୍ଚରୁଳିଆ, ଗୁହିଆପାଳ, ଘାଟଶିଳା, ଜାମସେଦପୁର, ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର, ଚାଇଁବସା, ଜୟନ୍ତୀଗଡ଼, ମନୋହପୁର ଏବଂ ଷଢ଼େଇକଳା-ଖରସୁଆଁ ଜିଲ୍ଲା ଅଧୀନ ଷଢ଼େଇକଳା ଓ ଖରସୁଆଁରେ ଗୋଟିଏ ଲେଖା କରି ମୋଟ୍ ୧୦ଟି ଆବାସିକ କେନ୍ଦ୍ରୀୟ ଓଡ଼ିଆ ବିଦ୍ୟାଳୟ ଖୋଲାଯିବା ଜରୁରୀ ବୋଲି ଶ୍ରୀ ଗୌର ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି। ଯଦି କେନ୍ଦ୍ର ଶିକ୍ଷା ବିଭାଗ ଏହାକୁ ମଞ୍ଜୁର ଦିଅନ୍ତି ତେବେ ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଲକ୍ଷାଧିକ ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ସବୁ ବିଦ୍ୟାଳୟଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ଶ୍ରେଣୀଗୃହ, ପାଠାଗାର, ବିଜ୍ଞାନଗାର, ବ୍ୟାୟାମଶାଳା, ପ୍ରେକ୍ଷାଳୟ, ଖେଳପଡ଼ିଆ ଆଦିର ସୁବିଧା ରହିବ। ବୁଦ୍ଧିଜୀବୀମାନେ ଆଶା ରଖିଛନ୍ତି; କେନ୍ଦ୍ର ଶିକ୍ଷା ବିଭାଗ ତଥା ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାଡ଼ଖଣ୍ଡର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଆବେଗ ଓ ଆବଶ୍ୟକତାକୁ ବୁଝିବେ ଏବଂ ପ୍ରସ୍ତାବିତ ଅଞ୍ଚଳରେ ଆବାସିକ ଓଡ଼ିଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ। ଯଦି ଏହା ସାକାର ହୁଏ, ତେବେ ଓଡ଼ିଆ ଅସ୍ମିତାର ଏହା ଏକ ମାଇଲ୍ଖୁଣ୍ଟ ହେବ ବୋଲି ବିଚ୍ଛିନ୍ନାଞ୍ଚଳର ସଚେତନ ନାଗରିକମାନେ ମତ ଦେଇଛନ୍ତି।