ଅଜ୍ଞାତ ନମ୍ବରରୁ ଏହି ଓଡ଼ିଆ ଅଭିନେତ୍ରୀଙ୍କ ପାଖକୁ ହତ୍ୟା ଧମକ ସହ ବାରମ୍ବାର ଆସୁଛି ଅଶ୍ଳୀଳ ଫଟୋ ଓ ମେସେଜ

ଭୁବନେଶ୍ୱର: ଜନୈକା ଓଡ଼ିଆ ସିରିଏଲ୍‌ ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେବା ସହିତ ବାରମ୍ବାର ଅଶ୍ଳୀଳ ଫଟୋ ଏବଂ ମେସେଜ ଆସୁଥିବା ନେଇ ବୁଧବାର କମିସ୍‌ନରେଟ୍‌ ପୁଲିସ ନିକଟରେ ଅଭିନେତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଅଭିନେତ୍ରୀ ଜଣଙ୍କ ଓଡିଆ ସିରିଏଲରେ ଅଭିନୟ କରନ୍ତି । ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ପାଖକୁ ଏକ ଅଜ୍ଞାତ ନମ୍ବରରୁ ଅଶ୍ଳୀଳ ଫଟୋ ଏବଂ ମେସେଜ ଆସୁ ଥିବା ସେ କହିଥିଲେ। ଏପରିକି ତାଙ୍କ ଫଟୋକୁ ଅଶ୍ଳୀଳ ଭାବରେ ଏଡିଟ୍‌ କରାଯାଇ ତାଙ୍କ ପାଖକୁ ପଠାଯାଇଛି । ତେବେ ଅଭିନେତ୍ରୀ ଜଣଙ୍କ ଅଜ୍ଞାତ ନମ୍ବରକୁ ବ୍ଲକ ଲିଷ୍ଟରେ ପକାଇଲେ ମଧ୍ୟ ଅଲଗାଅଲଗା ନମ୍ବରରୁ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ହ୍ଵାଟସ ଆପରେ ମେସେଜ କରିବା  ସହ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବା ଧମକ ଦେଉଛି। ଏଥି ସହ ତାଙ୍କୁ ହତ୍ୟା କରିବା ପାଇଁ ଦୁର୍ବୃତ୍ତ ଧମକ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ଏହି ଘଟଣାକୁ ନେଇ ଅଭିନେତ୍ରୀ ଜଣଙ୍କ ଭୟଭୀତ ହୋଇଯାଇଥିବା ବେଳେ ପ୍ରୋଫେସନାଲ କାମ ପାଇଁ ସେ ତାଙ୍କ ନମ୍ବର ମଧ୍ୟ ପରିବର୍ତ୍ତନ କରିପାରୁ ନଥିବା କହିଛନ୍ତି । କମିସନରେଟ ପୁଲିସ ନିକଟରେ ଏନେଇ ସେ ଅଭିଯୋଗ କରିବା ପରେ ଜଣେ ମହିଳା ପୁଲିସଙ୍କୁ ତାଙ୍କ ପାଖକୁ ପଠାଯାଇ ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର