ଭୁବନେଶ୍ବର: ପ୍ୟାରିସ୍ ଅଲିମ୍ପିକ୍ସ ସୁଟିଂ ରେଞ୍ଜ୍ରେ ୨୨ ବର୍ଷୀୟା ମହିଳା ସୁଟର୍ ମନୁ ଭାକର ଐତିହାସିକ ତଥା ପରାକ୍ରମୀ ପ୍ରଦର୍ଶନ ସହ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତା ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ହରିୟାଣା ଝିଅ ନିଜ ଲକ୍ଷ୍ୟଭେଦୀ ବନ୍ଧୁକଚାଳନା ଦକ୍ଷତାରେ ସମସ୍ତଙ୍କୁ ଚକିତ କରି ତିନି ଦିନ ଭିତରେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାର ବିରଳ ତଥା ଅନନ୍ୟ ସଫଳତା ଲାଭ କରିଛନ୍ତି। ରବିବାର ପ୍ରଥମ ଭାରତୀୟ ମହିଳା ଭାବେ ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ବର୍ଗରେ କାଂସ୍ୟ ପଦକ ଜିତିଥିଲେ ମନୁ। ମଙ୍ଗଳବାର ଏହି ବର୍ଗର ମିଶ୍ରିତ ଯୁଗଳରେ ଯୁବ ଭାରତୀୟ ସୁଟର୍ ସରବଜୋତ ସିଂହଙ୍କ ସହ ମଧ୍ୟ ସେହି ସଫଳତା ଦୋହରାଇଥିଲେ। ମନୁ ମଧ୍ୟ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ସ୍ବାଧୀନ ଭାରତର ପ୍ରଥମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ମନୁଙ୍କ ସଫଳତାର ମନ୍ତ୍ର ହେଉଛି, ସେ ଶାନ୍ତ ରହି ନିଜ ଖେଳ ଉପରେ ଅଧିକ ଫୋକସ୍ କରିଥାନ୍ତି। ମନୁ ଭାକରଙ୍କୁ ଅତି ନିକଟରୁ ଜାଣିଥିବା ଓଡ଼ିଆ ସୁଟର ଦିବ୍ୟାଶା ପ୍ରିୟଦର୍ଶିନୀ ଏହା କହିଛନ୍ତି।
ଦିବ୍ୟାଶା କହନ୍ତି, ମନୁ ଦିଦି ଜଣେ ଶାନ୍ତ, ସରଳ ତଥା ଖେଲୁଆଡ ମନୋବୃତ୍ତି ରଖୁଥିବା ଖେଳାଳିର ଏକ ଜ୍ୱଳନ୍ତ ଉଦାହରଣ। ସବୁବେଳେ ଶାନ୍ତ ରହି ଖେଳ ଉପରେ ନିଜର ଫୋକସ କରିବାକୁ ପରାମର୍ଶ ଦିଅନ୍ତି। ମୁଁ ଯେତେଥର ତାଙ୍କୁ ଭେଟିଛି, ସେ ମୋତେ ତାଙ୍କର ସାନ ଭଉଣୀ ଭଳି ଉତ୍ସାହିତ କରିଥାନ୍ତି। ପ୍ରାୟତଃ ପାରମ୍ପାରିକ ଖାଦ୍ୟ ଏବଂ ବିଶେଷ କରି ତାଙ୍କ ମା’ ତିଆରି କରିଥିବା ଆଳୁ ପରଠା ଖାଇବାକୁ ସେ ପସନ୍ଦ କରନ୍ତି। ସବୁ ପ୍ରତିଯୋଗିତାରେ ତାଙ୍କ ମା’ ସାଙ୍ଗରେ ଯାଇ ସବୁ କଥା ବୁଝିଥାନ୍ତି। ବେଳେ ବେଳେ ବାପା ମଧ୍ୟ ସାଙ୍ଗରେ ଥାନ୍ତି। ତାଙ୍କୁ କେବେବି ମା’-ବାପାଙ୍କ ବିନା ଦେଖିବାକୁ ମିଳେ ନାହିଁ। ତାଙ୍କୁ ଗଢ଼ିବାରେ ତାଙ୍କ ଅଭିଭାବକଙ୍କ ଯୋଗଦାନ ଗୁରୁତ୍ଵପୂର୍ଣ୍ଣ ଅଟେ।
ମନୁ ଭାକରଙ୍କ କୋଚ୍ଙ୍କ ସଂପର୍କରେ ଦିବ୍ୟାଶା କୁହନ୍ତି, ଜସ୍ପାଲ ରାଣା ମଧ୍ୟ ଜଣେ ଅନୁଭବି ଗୁରୁ ଅଟନ୍ତି। ଅତୀତରେ ସେ ମଧ୍ୟ ଭାରତର ଗୌରବ ବଢ଼ାଇଛନ୍ତି। ତାଙ୍କ ସହିତ ମଧ୍ୟ ମୁଁ ମିଶିଛି। ଦେଶ ପାଇଁ ଯାହା ଭଲ ହେବ ସେ ସବୁବେଳେ ସେହିଦିଗରେ ନିଜ ଉଦ୍ୟମ ଜାରି ରଖିଥାନ୍ତି। ଆଉ ଆଜି ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଦିବ୍ୟାଶା ପ୍ରିୟଦର୍ଶିନୀ ହେଉଛନ୍ତି ୧୦ ମିଟର ଏୟାର ପିସ୍ତଲ ଇଣ୍ଟରନ୍ୟାସନାଲ ସୁଟିଂ ସ୍ପୋଟ୍ସ ଫେଡେରେସନ୍ (ଆଇଏସ୍ଏସ୍ଏଫ୍) ଇଭେଣ୍ଟର ଜଣେ ଜାତୀୟ ସ୍ତରୀୟ ସୁଟର। ଅନୁଗୁଳ ଜିଲ୍ଲା ତାଳଚେରରେ ଜନ୍ମିତ ଦିବ୍ୟାଶା ଅନେକ ଜାତୀୟ ପ୍ରତିଯୋଗିତାରେ ମନୁ ଭାକରଙ୍କ ସହିତ ଖେଳିଛନ୍ତି। ତାଙ୍କ ସହିତ ଅଭ୍ୟାସ ତଥା ବିଭିନ୍ନ ଜାତୀୟସ୍ତରୀୟ ଚାମ୍ପିଅନସିପ (ନୂଆଦିଲ୍ଲୀ, ଭୋପାଳ ଓ ଗୋଆ)ରେ କମ୍ପିଟିଟର ଥିଲେ।