କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ଓଡ଼ିଶାର ପ୍ରଦୀପ ସହିଦ

ରାଉରକେଲା : ଦକ୍ଷିଣ କାଶ୍ମୀରର ଫୁଲଓ୍ଵାମା ସିଆର୍‌ପିଏଫ୍‌ କ୍ୟାମ୍ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ରାତିଅଧିଆ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ବି ଅଛନ୍ତି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପ୍‌ଲୋଇ ନିବାସୀ ପୀତାମ୍ବର ପଣ୍ଡାଙ୍କ ପୁଅ ପ୍ରଦୀପ ପଣ୍ଡା।

ଏହି ଖବର ପହଞ୍ଚିବା ମାତ୍ରେ ରାଜଗାଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପଡ଼ୋଶୀ ଓ ପ୍ରିୟ ପରିଜନମାନେ ପ୍ରଦୀପଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି। ଦୀର୍ଘ ୧୨ ବର୍ଷ ଧରି ସିଆର୍‌ପିଏଫ୍‌ର ୧୩୨ ବାଟାଲିୟନ୍‌ରେ କାର୍ଯ୍ୟରତ ଥିବା ପ୍ରଦୀପ କିଛି ମାସ ପୂର୍ବେ ଫୁଲଓ୍ଵାମା କ୍ୟାମ୍ପରେ ଯୋଗ ଦେଇଥିଲେ। ଆସନ୍ତା ଜନରାଜ୍ୟ ଦିବସରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଥାନ୍ତେ। ସହିଦ ପ୍ରଦୀପଙ୍କ ପତ୍ନୀ ଓ ଦୁଇ ବର୍ଷର ପୁଅ ଥିବା ବେଳେ ବାପା ରାଜଗାଙ୍ଗପୁରସ୍ଥିତ ଓସିଏଲ୍‌ (ଇଣ୍ଡିଆ) ସିମେଣ୍ଟ କମ୍ପାନିର ଅବସରପ୍ରାପ୍ତ କର୍ମଚାରୀ। ପ୍ରଦୀପଙ୍କ ଭାଇ ଦିଲୀପ ମଧ୍ୟ ସେନାରେ କାର୍ଯ୍ୟରତ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ପତ୍ନୀ ଓ ବନ୍ଧୁମାନଙ୍କୁ ମୋବାଇଲ୍‌ରେ ନବବର୍ଷର ଅଗ୍ରୀମ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ତେବେ ନୂଆ ବର୍ଷର ସୂର୍ଯ୍ୟୋଦୟ ଦେଖିବା ପୂର୍ବରୁ ସେ ଚିର ବିଦାୟ ନେବେ ବୋଲି ପରିବାର ଓ ପ୍ରିୟ ପରିଜନମାନେ କେବେ ଭାବି ନଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ପ୍ରଦୀପଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର