କରୋନା ଔଷଧ ଗବେଷଣା ଟିମରେ ଓଡ଼ିଆ ପୁଅ, ୟୁମିଫିନୋଭିରର ପରୀକ୍ଷଣ ପାଇଁ ମିଳିଲା ଅନୁମତି

କ‌ୋଭିଡ଼୍ ମୃତ୍ୟୁହାର ରୋକିବାକୁ ଚୀନ୍ ଓ ଋଷିଆ ବ୍ୟବହାର କରିଛନ୍ତି , ଭାରତରେ ଦୁଇ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି

ରାୟଗଡ଼ା: କରୋନା ଔଷଧ ଗବେଷଣା ଟିମରେ ଓଡ଼ିଆ ପୁଅ। ଜାପାନର ରିକେନ୍ କଂପାନି ପ୍ରସ୍ତୁତ ୟୁମିଫିନୋଭିର ଔଷଧ କରୋନା ମୁକାବିଲାରେ ସହାୟକ ହେଉଥିବାରୁ ଭାରତରେ ଏହାର ପରୀକ୍ଷଣ ପାଇଁ ମିଳିଛି ଅନୁମତି। ସେଣ୍ଟ୍ରାଲ୍ ଡ୍ରଗ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ (ସିଡିଆରଆଇ) ଅନୁମୋଦନକ୍ରମେ ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଯାହାର ନେତୃତ୍ବ ଜାପାନ କଂପାନି ପକ୍ଷରୁ ନେଉଛନ୍ତି ରାୟଗଡ଼ାର ଗବେଷକ ଡ. ଆଦିତ୍ୟ ପାଢ଼ୀ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ପରେ ମେଡ଼ିସିନ୍ ଓ ଟୀକା ପ୍ରସ୍ତୁତ ଲାଗି ବହୁ କଂପାନି ଉଦ୍ୟମ ଜାରି ରଖିଛନ୍ତି। ଏ ପର୍ଯ୍ୟନ୍ତ କୌଣସି କଂପାନିର ଗବେଷଣା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିନଥିବା ବେଳେ ଜାପାନର ରିକେନ୍ କଂପାନି ପକ୍ଷରୁ ପ୍ରସ୍ତୁତ ୟୁମିଫିନୋଭର ମେଡିସିନ୍ ଉପରେ ଭାରତ ସରକାର ଆସ୍ଥା ପ୍ରକଟ କରିଛନ୍ତି। ଭାରତ ପୂର୍ବରୁ ଚୀନ୍ ଓ ଋଷିଆ ୟୁମିଫିନୋଭର ମେଡ଼ିସିନକୁ ବ୍ୟବହାର କରି କୋଭିଡ଼୍ ମୃତ୍ୟୁହାର ରୋକିବାରେ ସକ୍ଷମ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ଦେହରେ ଥିବା ଭୂତାଣୁକୁ ମାରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଏହି ମେଡ଼ିସିନ୍ ସହାୟକ ହେଉଥିବାରୁ ଭାରତରେ ଏହାର ବ୍ୟବହାର ପାଇଁ ଆରମ୍ଭ ହୋଇଛି ପରୀକ୍ଷା ନୀରିକ୍ଷା।

The Daily Star

ସେଣ୍ଟ୍ରାଲ୍ ଡ୍ରଗ ରିସର୍ଚ ଇନଷ୍ଟିଚ୍ୟୁଟ୍ (ସିଡିଆରଆଇ) ଏବଂ କାଉନସିଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସଆଇଆର୍) ଅନୁମୋଦନକ୍ରମେ କଂପାନି ପକ୍ଷରୁ ଭାରତରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଛି। ଦୁଇ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ତୃତୀୟ ତଥା ଚୂଡାନ୍ତ ପରୀକ୍ଷଣ ଲକ୍ଷ୍ନୋସ୍ଥିତ ଡା. ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନସ୍ ଏବଂ କିଙ୍ଗ୍ ଜର୍ଜସ ମେଡ଼ିକାଲ୍ ୟୁନିଭରସିଟରେ ହେବାକୁ ଯାଉଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ ତୁରନ୍ତ ମେଡ଼ିସିନ୍ ପ୍ରସ୍ତୁତ ସହ ବଜାରୀକରଣ ପାଇଁ ସିଏସଆଇଆର ଓ ସିଡିଆରଆଇ ଗୋଆର ମେଡିଜେଷ୍ଟ୍ ଫାର୍ମାସିୟୁଟକାଲସକୁ ଅନୁମତି ପ୍ରଦାନ କରିଛି।

ମେଡ଼ିଜେଷ୍ଟ୍ କଂପାନି ଇତି ମଧ୍ୟରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ ନିକଟରୁ ଟେଷ୍ଟିଂ ଲାଇସେନସ ଆଣି ଭାରତ ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା କରିଛି। ସିଏସଆଇଆର ଓ ସିଡିଆରଆଇ ନିର୍ଦେଶକ ତାପସ କୁଣ୍ଡୁଙ୍କ କହିବାନୁଯାୟୀ ମେଡ଼ିସିନ୍ ପ୍ରସ୍ତୁତ ପାଇଁ ଭାରତରେ ସମସ୍ତ ପ୍ରକାର କଞ୍ଚାମାଲ ମହଜୁଦ୍ ଅଛି। ତୃତୀୟ ପରୀକ୍ଷଣରେ ୟୁମିଫିନୋଭର ସଫଳ ହେଲେ କରୋନା ପ୍ରତିରୋଧକ ମେଡ଼ିସିନ୍ ଭାବେ ଭାରତରେ ବ୍ୟବହାର ହୋଇପାରିବ। ଚୀନ୍ ଓ ଋଷରେ ୟୁମିଫିନୋଭର କରୋନା ମୃତ୍ୟୁହାର ରୋକିବାରେ ସଫଳ ହୋଇଥିବାରୁ ଭାରତର ସଂକ୍ରମିତଙ୍କ ଶରୀରରେ ଭୂତାଣୁ ମାରିବାରେ ଏହି ମେଡ଼ିସିନ୍ କେତେ ଦୂର ସହାୟକ ହେବ ଏବଂ ଆଉ କ’ଣ ଅଧିକ କମ୍ପୋନେଟ୍ ବ୍ୟବହାର ହେବ ସେ ନେଇ ଅଧିକ ପରୀକ୍ଷା ନୀରିକ୍ଷା ଜାରି ରଖିଛନ୍ତି ଗବେଷକ ଡା. ଆଦିତ୍ୟ ପାଢ଼ୀ। ଜାପାନରୁ ଗବେଷଣାରତ ଟିମକୁ ସମସ୍ତ ସହାୟତା କରୁଥିବା ଡା. ପାଢ଼ୀଙ୍କ ଉଦ୍ୟମରେ ଭାରତରେ ଏହି ପରୀକ୍ଷଣ ସଫଳ ହେବାକୁ ଯାଉଥିବା ବେଳେ ମେଡ଼ିସିନ୍ ପ୍ରସ୍ତୁତ ହୋଇ ବ୍ୟବହାର ହେଲେ ନିଜ ଦେଶ ପାଇଁ କିଛି କରିବାର ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି ଡା. ପାଢ଼ୀ।

ରାୟଗଡ଼ା ଗୋଦାବରୀଶ ନଗର ନିବାସୀ ଆଦିତ୍ୟ ୨୦୦୩ ମସିହାରେ ଜିସିଡି ହାଇସ୍କୁଲରୁ ମାଟ୍ରିକ୍, ୨୦୦୫ ରେ ରାୟଗଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିବା ପରେ ମିଟସରେ ବାୟୋଟୋକ୍ନାଲୋଜିରେ ବିଟେକ୍ ପଢ଼ିଥିଲେ। ୨୦୦୯ରେ ଆଇଆଇଟି ଦିଲ୍ଲୀରେ ବାଇଓଲୋଜିକାଲ୍ ସାଇନସରେ ପିଏଚଡ଼ି ପଢ଼ିବା ପରେ ୨୦୧୬ ରେ ଜାପାନର ରିକେନ୍ କଂପାନିରେ ନିଯୁକ୍ତି ପାଇଥିଲେ। ୟୁମିଫିନୋଭର୍ ପ୍ରସ୍ତୁତ ପୂର୍ବରୁ ଆଦିତ୍ୟଙ୍କ ଟିମ୍ ବ୍ରେନ୍ କ୍ୟାନସର୍ ଏବଂ ଅନ୍ୟାନ୍ୟ ଭୂତାଣୁ ଜନିତ ରୋଗ ପ୍ରତିରୋଧକ ମେଡ଼ିସନ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଆଦିତ୍ୟଙ୍କ ବାପା ଜଗନ୍ନାଥ ପାଢ଼ୀ ସାଉଥକୋର ଜଣେ ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ମାଆ ପ୍ରେମଲତା ପାଢ଼ୀ ଗୃହିଣୀ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର