କାଲିମାଞ୍ଜାରୋ ପର୍ବତ ଶିଖରରେ ଓଡ଼ିଆ ପୁଅ ସତ୍ୟପ୍ରକାଶ

ଭୁବନେଶ୍ୱର : ସୁପ୍ତ ଆଗ୍ନେୟଗିରି ଭାବେ ପରିଚିତ ଆଫ୍ରିକାର ସର୍ବୋଚ୍ଚ ପର୍ବତ କିଲିମାଞ୍ଜାରୋ ଶିଖର ଛୁଇଁ ଗୌରବ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ସତ୍ୟପ୍ରକାଶ ନନ୍ଦ। ପେସାରେ ଇଂଜିନିୟର ହୋଇଥିଲେ ହେଁ ପର୍ବତ ଆରୋହଣର ନିଶା ତାଙ୍କୁ ଏହି ଉଚ୍ଚ ଶିଖରରେ ପହଞ୍ଚାଇ ପାରିଛି। ୧୯ହଜାର ୩୪୧ ଫୁଟ ପର୍ବତ ଚଢ଼ି ସେ ୬ଦିନରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି। କିଲିମାଞ୍ଜାରୋ ଜାତୀୟ ପାର୍କ ଏବଂ ତାଞ୍ଜାନିଆ ଜାତୀୟ ପାର୍କ ପକ୍ଷରୁ ତାଙ୍କୁ ଏନେଇ ସ୍ୱୀକୃତିର ପ୍ରମାଣପତ୍ର ମିଳିଛି।

ଟ୍ରେକିଂ ଏବଂ ଲମ୍ବା ଯାତ୍ରାରେ ରୁଚି ରଖୁଥିବା ସତ୍ୟପ୍ରକାଶ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ହୋଇଥିଲେ ହେଁ ଆମେରିକାର ଓରେଗୋଁରେ ଇଂଜିନିୟର ଭାବେ ଅବସ୍ଥାପିତ। ଅବସର ସମୟରେ ପାହାଡ଼ ଚଢ଼ିବା ଏବଂ ଦୀର୍ଘ ବାଟ ଚାଲିବାରେ ରୁଚି ରଖୁଥିବା ଶ୍ରୀ ନନ୍ଦ ୨୦୧୪ରେ ପୋର୍ଟଲାଣ୍ଡ୍‌ର ମାଜମା କ୍ଲବ୍‌ର ବେସିକ୍‌ କ୍ଲାଇମ୍ବିଂ ଏଜୁକେସନ୍‌ ପ୍ରୋଗ୍ରାମରେ ସାମିଲ୍‌ ହୋଇଥିଲେ। ସେଠାରୁ ପାହାଡ଼ ଚଢ଼ିବା ସହ ପ୍ରତିବନ୍ଧକକୁ ଅତିକ୍ରମ କରିବାର କଳା ଶିଖିଥିଲେ। ପରେ ସେ ଓରେଗୋଁ ଏବଂ କୋଲୋରାଡ଼ୋରେ ଅନେକ ପାହାଡ଼ ଚଢ଼ିଥିଲେ। ଓରେଗୋଁରେ ଅବସ୍ଥିତ ୧୧ହଜାର ୨୫୦ ଫୁଟର ମାଉଣ୍ଟେନ୍‌ ହୁଡ୍‌ ଚଢ଼ି ସଫଳତା ଅର୍ଜନ କଲେ। ଫେବ୍ରୁଆରି ୨୦୧୭ରେ କିଲିମାଞ୍ଜାରୋ ଚଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ସେ ଏଥିପାଇଁ ୨୧ କିଲୋମିଟରର ମାରାଥନ୍‌ ଅଭ୍ୟାସ କରି ନିଜକୁ ମଜବୁତ କରାଇଥିଲେ। ‘କିଲିମାଞ୍ଜାରୋ’ ପାହାଡ଼ର ଲକ୍ଷ୍ୟ ନେଇ ସେ ନଭେମ୍ବର ୧୦ରୁ ଆମେରିକାରୁ ଆଫ୍ରିକାର ତାଞ୍ଜାନିଆରେ ପହଞ୍ଚିଥିଲେ। ନଭେମ୍ବର ୧୩ରେ ଆରମ୍ଭ ହୋଇଥିଲା କିଲିମାଞ୍ଜାରୋ ଚଢ଼ିବା ଅଭିଯାନ।

ମାକାମେ ଗେଟ୍‌ରୁ ସେ ବାହାରି ପ୍ରଥମ ଦିନରେ ୫ରୁ ୬ ଘଣ୍ଟା ମଧ୍ୟରେ ୩୦୦୦ ମିଟର ଅତିକ୍ରମ କରିଥିଲେ। ୪ର୍ଥ ଦିନରେ ଦୀର୍ଘ ଉଚ୍ଚତା ଓ ଅମ୍ଳଜାନ ଅଭାବରୁ ମୁଣ୍ଡ ବିନ୍ଧିଥିଲେ ହେଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଝୁଙ୍କ୍‌ ତାଙ୍କୁ ଶୀର୍ଷରେ ପହଞ୍ଚାଇ ଦେଇଥିଲା। ଏହା ମୋ ପାଇଁ ନିଶ୍ଚିତ ଭାବେ କୌଣସି ଏକ ବିସ୍ମୟଠାରୁ କମ୍‌ ନଥିଲା। କିନ୍ତୁ ୬ ମାସର ଲଗାତାର ପରିଶ୍ରମ ମତେ ସଫଳତା ଦେବାରେ ସହାୟକ ହୋଇଥିଲା ବୋଲି ସତ୍ୟପ୍ରକାଶ କହିଛନ୍ତି।

ସମ୍ବନ୍ଧିତ ଖବର