କମ୍ୟୁନିକେସନ ସାଟେଲାଇଟ୍ ପ୍ରସ୍ତୁତ କଲେ ଓଡ଼ିଆ ଇଂଜିନିୟର:  ନଭେମ୍ବରରେ ଆମେରିକାରୁ ମହାକାଶକୁ ପଠାଯିବ

ନୂଆଦିଲ୍ଲୀ: ଦେଶର ପ୍ରଥମ ସାଟେଲାଇଟ୍ କମ୍ୟୁନିକେସନ ଉପଗ୍ରହ ଉଦ୍ଭାବନ କରିବା ପଛରେ ରହିଛି ଜଣେ ଓଡ଼ିଆଙ୍କର ହାତ । ଏହି ଉପଗ୍ରହ ଆସନ୍ତା ମାସରେ ଆମେରିକାରେ ମହାକାଶକୁ ଉତକ୍ଷେପଣ କରାଯିବ । ଏଭଳି ଏକ ବିରଳ କୃତ୍ୱିତ୍ୱ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଯୁବ ମହାକାଶ ବିଜ୍ଞାନୀ ଗୁରୁଦତ୍ତ ପଣ୍ଡା । ତାଙ୍କର ଏହି ସଫଳତାକୁ ନେଇ କେବଳ ତାଙ୍କ ପରିବାର ନୁହେଁ ବରଂ ସାରା ଦେଶ ଓ ରାଜ୍ୟ ଆଜି ଗର୍ବିତ।

ଭାରତର ପ୍ରଥମ ମହାକାଶ ବିଜ୍ଞାନ ( ସ୍ପେସ୍) କମ୍ପାନି  ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ଯୋଗାଯୋଗ ଉପଗ୍ରହ ବା କମ୍ୟୁନିକେସନ ସାଟେଲାଇଟ୍ । ଯାହା ଆସନ୍ତା ନଭେମ୍ବର ମାସରେ ଆମେରିକାର ସ୍ପେସ୍ ଏକ୍ସ ନାମକ ଏ ସଂସ୍ଥା ଦ୍ୱାରା ମହାକାଶକୁ ଉତକ୍ଷେପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସବୁଠାରୁ ବଡ କଥା ଏଭଳି ଏକ ବିରଳ ତଥା ପ୍ରଥମ ଉପଗ୍ରହ ନିର୍ମାଣ ତଥା ଉଦ୍ଭାବନ କରିବା ପଛରେ ଜଣେ ଓଡ଼ିଆ ଯୁବ ବିଜ୍ଞାନୀଙ୍କର ହାତ ରହିଛି । ବ୍ରହ୍ମପୁରର ଅନନ୍ତ ନଗରର ବାସିନ୍ଦା ଡାକ୍ତର ପ୍ରାଣଚାନ୍ଦ ପଣ୍ଡା ଓ ମନିଷା ଦାଶଙ୍କ ପୁଅ ଗୁରୁଦତ୍ତ ପଣ୍ଡା । ବର୍ତ୍ତମାନ ଗୁରୁଦତ୍ତ ପଣ୍ଡା ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ସ୍ପେସ୍ କମ୍ୟୁନିକେସନ ଯନ୍ତ୍ରୀ ଭାବେ କାର୍ଯ୍ୟରତ ।

ତେବେ ଗୁରୁଦତ୍ତଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇଥିବା ଏହି ଉପଗ୍ରହ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ତଥ୍ୟ ପ୍ରଦାନରେ ସହାୟକ ହୋଇପାରିବ । ଏଭଳି କି ବିପତ୍ତି ସମୟରେ ଏହି ଏହି ସାଟେଲାଇଟ୍ ଦୂରଦୁରାନ୍ତ ପର୍ଯ୍ୟନ୍ତ ୱାକିଟକିରେ ମଧ୍ୟ ସୂଚନା ପ୍ରଦାନ କରିବା ସହ ଟ୍ରାନ୍ସମିଟ୍ ସର୍ଭିସ୍ କରିବାର କ୍ଷମତା ରଖିଛି । ତେବେ ଏହାର ଉଚ୍ଚତା, ଲମ୍ବା ଓ ଚଉଡ଼ା ୧୦ ସେଣ୍ଟି ମିଟର ରହିଛି । କ୍ୟୁବିକ୍ ଆକାରର ଏହି ସାଟେଲାଇର ଜୀବନ କାଳ ମାତ୍ର ଦୁଇବର୍ଷ ବୋଲି ଜଣାପଡିଛି । ତେବେ ଏଥିରେ ସଂଯୋଗ ଥିବା ବ୍ୟାଟେରି କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ଏହି ସାଟେଲାଇଟ୍ କାର୍ଯ୍ୟକ୍ଷମ କରିବ । ଏହି ଉପଗ୍ରହ ଏଫ ଏମ ରେଡିଓ ଜରିଆରେ ଭଏସ୍ କମୁନିକେସନ ସକାଶେ ଉଦ୍ଦିଷ୍ଟ ଏକ ଲିନିଅର ଟ୍ରାନ୍ସପଣ୍ଡରକୁ ନିଜ ସହ ମହାକାଶକୁ ନେବ । ଏହା ପରିକ୍ରମା ଭିତରେ ଭାରତକୁ ଦିନକୁ ଦୁଇଥର ଛୁଇଁବ । ପୂର୍ବରୁ ଏଭଳି ଏକ କ୍ଷୁଦ୍ର ସାଟେଲାଇଟ୍ ପ୍ରସ୍ତୁତ ପାଇଁ ଅନେକ ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ସଫଳ ହୋଇପାରି ନଥିଲା । ବର୍ତ୍ତମାନ ଗୁରୁଦତ୍ତ ଓ ତାଙ୍କ ସହଯୋଗୀ ଅସହରଙ୍କ ସଫଳ ପ୍ରଚେଷ୍ଟା ଯୋଗଯୋଗ କ୍ଷେତ୍ରରେ ଏକ ନୂଆ ଦିଶା ଦେଖାଇବ ବୋଲି ଆଶା ରଖିଛନ୍ତି ଗୁରୁଦତ୍ତ । ନିଜ ପୁଅର ଏଭଳି ବିରଳ କୃତିତ୍ୱକୁ ନେଇ ଗୁରୁଦତ୍ତଙ୍କ ପରିବାର ବର୍ଗ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଗୁରୁଦତ୍ତଙ୍କ ବାପା ପ୍ରେମଚାନ୍ଦ ।

ସମ୍ବନ୍ଧିତ ଖବର