ଜଳେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ଫଳରେ ଘଟଣାର ୬ ଦିନ ପରେ ବି କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହିଁ ଦୁର୍ଗାପୁର ନ୍ୟୁଟାଉନ୍‌ସିପ୍ ଥାନା ପୁଲିସ। ଗିରଫ ହୋଇଥିବା ପୀଡ଼ିତା ଛାତ୍ରୀଙ୍କ ପୁରୁଷବନ୍ଧୁ ବାରମ୍ବାର ବୟାନ ବଦଳାଉଥିବା ‌ବେଳେ ପୁଲିସର ତଦନ୍ତ ତା’ ଉପରେ କେନ୍ଦ୍ରୀଭୂତ ରହିଛି। ଗତ ୧୦ ତାରିଖ ରାତିରେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ବୈଷୟିକ ଓ ସାଇଣ୍ଟିଫିକ ଟିମ୍‌ର ତଦନ୍ତ ବେଳେ ଯେଉଁ ପ୍ରମାଣ ମିଳିଛି, ସେଥିରୁ ଏହା ଗଣଦୁଷ୍କର୍ମ ନୁହେଁ ବରଂ ଦୁଷ୍କର୍ମ ବୋଲି ସୂଚନା ଦେଇଛନ୍ତି ଅସନଶୋଲ-ଦୁର୍ଗାପୁର ପୁଲିସ କମିସନର। ପୀଡ଼ିତାଙ୍କ ସହ ଜଣେ ଦୁଷ୍କର୍ମ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ପୁଲିସ କହିଛି। ତେଣୁ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଷ୍କର୍ମକାରୀ କିଏ, ଏବେ ସେ ଦିଗରେ ତଦନ୍ତ ମୁହାଁଇଛି।

Advertisment

ଏହି ଘଟଣାରେ ପ୍ରଥମେ ୫ ଜଣ ଅଭିଯୁକ୍ତଙ୍କୁ ଦୁଷ୍କର୍ମକାରୀ ସନ୍ଦେହରେ ଗିରଫ କରିଥିଲା ପୁଲିସ। ତେବେ ୧୪ ତାରିଖରେ ଦୁର୍ଗାପୁର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ପୁରୁଷବନ୍ଧୁଙ୍କ ସମ୍ପୃକ୍ତି ସାମନାକୁ ଆସିଥିଲା। ସେହି ବୟାନ ଆଧାରରେ ପୁରୁଷବନ୍ଧୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିବା ପରେ ୭ ଦିନିଆ ରିମାଣ୍ଡରେ ରଖିଛି ପୁଲିସ। ତେବେ ଜେରାବେଳେ ପୁରୁଷବନ୍ଧୁ ବାରମ୍ବାର ବୟାନ ବଦଳାଉଥିବା ଜଣେ ସ୍ଥାନୀୟ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମେଡିକାଲ କଲେଜ ପରିସରରୁ ୧୦ ତାରିଖ ସନ୍ଧ୍ୟାର ଯେଉଁ ସିସିଟିଭି ଫୁଟେଜ୍‌ ଜବତ ହୋଇଛି, ସେଥିରୁ ଜଣାପଡ଼ିଛି ଯେ ପୀଡ଼ିତା କଲେଜ ହଷ୍ଟେଲରେ ପ୍ରାୟ ଦେଢ଼ଘଣ୍ଟା ଧରି ଅନୁପସ୍ଥିତ ଥିଲେ। ପୀଡ଼ିତା‌ ୧୦ ତାରିଖ ସନ୍ଧ୍ୟା ୭ଟା ୫୮ ମିନିଟ୍‌ ସମୟରେ ସେ ନିଜ ପୁରୁଷ ବନ୍ଧୁଙ୍କ ସହ କଲେଜ ହଷ୍ଟେଲରୁ ବାହାରକୁ ଯାଇଥିଲେ। ପରେ ଉଭୟ ଏକ ଜଙ୍ଗଲ ରାସ୍ତାରେ ବୁଲିବାକୁ ଯାଇଥିଲେ। ହେଲେ କିଛି ସମୟ ପରେ ପୀଡ଼ିତାଙ୍କୁ ଜଙ୍ଗଲ ରାସ୍ତାରେ ଛାଡ଼ିଦେଇ ପୁରୁଷ ବନ୍ଧୁ ଜଣକ କଲେଜକୁ ଏକା ଫେରି ଆସିଥିଲେ। ଏହି ସମୟରେ ପୀଡ଼ିତା ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ପୁରୁଷବନ୍ଧୁ ଫୋନ୍ ରିସିଭ୍ କରିନଥିଲେ। ସେ ଏପରି କାହିଁକି କରିଥିଲେ ବୋଲି ପୁଲିସ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛି। ତେବେ ପୁରୁଷବନ୍ଧୁ ବାରମ୍ବାର ବୟାନ ବଦଳାଉ ଥିବାରୁ କିଛି ବି ସ୍ପଷ୍ଟ ହୋଇପାରୁନି। ଏବେ ପୁଲିସର ସନ୍ଦେହ ପୀଡ଼ିତାଙ୍କ ପୁରୁଷବନ୍ଧୁ ଉପରେ କେନ୍ଦ୍ରୀଭୂତ ହୋଇଛି।