ରାୟଗଡ଼ା: ଗାଁ ଓଡ଼ିଶା, ଭାଷା ପଡ଼ିଶା। ଅର୍ଥାତ ରାୟଗଡା ସଦର ମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଆଡ଼ପାଟିଗୁଡ଼ା ଗ୍ରାମ। ଏହା ରାଜସ୍ବ ଗ୍ରାମ ହୋଇଥିବା ବେଳେ ଏହାର ହାମଲେଟ ଗାଁ ହେଉଛି ଗରମଗୁଡା। ଏହି ଦୁଇ ଗାଁରେ ୧୦୦ ଘର ରହିଥିବା ବେଳେ ସମସ୍ତେ କନ୍ଧ ସଂପ୍ରଦାୟର ଆଦିବାସୀ ଲୋକେ ବସବାସ କରନ୍ତି। ଏମାନେ ଓଡ଼ିଆ ହୋଇଥିଲେ ମଧ୍ୟ ନିଜର ଭାଷାକୁ ନଆପଣେଇ ପଡୋଶୀ ଭାଷା ତେଲୁଗୁରେ କଥା ହୁଅନ୍ତି। ଗ୍ରାମର ଛୋଟରୁ ବଡ ସମସ୍ତେ ତେଲୁଗୁ ଭାଷାରେ କଥାବାର୍ତ୍ତା ହେବା ସହ ସେହି ପରଂପରାକୁ ଆଜି ପର୍ଯ୍ୟନ୍ଚ ବଜାୟ ରଖିଛନ୍ତି। ପ୍ରତି ଘରେ ତେଲୁଗୁ ଶଦ୍ଦ ଶୁଣିବାକୁ ମିଳେ। ଯଦି ବି କେହି ଓଡ଼ିଆରେ କହେ ତେବେ ବୁଝିବା କଷ୍ଟକର।

Advertisment

ତେବେ ଏହି ଗ୍ରାମରେ ରହିଛି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ। ପ୍ରାୟ ଶହେରୁ ଊର୍ଦ୍ଧ୍ବ ପିଲା ଏହି ସ୍କୁଲରେ ପାଠ ପଢନ୍ତି। କିନ୍ତୁ ସମସ୍ତେ ଦୈନନ୍ଦିନ ଜୀବନରେ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା କରିଥାନ୍ତି। ଓଡ଼ିଆ ସ୍କୁଲରେ ପାଠ ପଢୁଥିଲେ ମଧ୍ୟ ଓଡ଼ିଆ ଭାଷାରେ କଥା ହେବା ଏମାନେ ଜାଣିନାହାନ୍ତି। ପିଲାଟି ଦିନରୁ ତେଲୁଗୁରେ କଥା ହେବା ଶିଖିଥିବାରୁ ଏମାନଙ୍କୁ ଓଡ଼ିଆ ପାଠ ପଢିବାରେ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ସ୍କୁଲ ଯାଉଥିଲେ ମଧ୍ୟ ଶିକ୍ଷକଙ୍କ ପାଠ ପଢାକୁଏମାନେ ସହଜରେ ଗ୍ରହଣ କରିପାରୁନଥିବା ଦେଖିବାକୁ ମିଳିଛି। ସ୍କୁଲରେ ଏବଂ ବାହାରେ ମଧ୍ୟ ଏମାନେ ତେଲୁଗୁରେ ହିଁ କଥା ହେବାକୁ ପସନ୍ଦ କରନ୍ତି।

ଓଡ଼ିଆ ଭାଷା ପାଇଁ କାର୍ଯ୍ୟ କରୁଥିବା ଅଙ୍କୁର ଫାଉଣ୍ଡେସନ ଏହି ଆଡପାଟିଗୁଡା ଗ୍ରାମକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିଛି। ସ୍କୁଲ ଶିକ୍ଷା ଯେହେତୁ ସେମାନଙ୍କ ପାଇଁ ବୋଧଗମ୍ୟ ହେଉନାହିଁ, ତେଣୁ ଏହି ଅନୁଷ୍ଠାନ ସେହି ଗ୍ରାମର ଉଦ୍ୟମୀ ବ୍ୟକ୍ତି ବିଶେଷଙ୍କୁ ଶିକ୍ଷକ ଭାବରେ ଦାୟିତ୍ବ ଦେଇଛନ୍ତି। ଏହି ଗ୍ରାମର ପିଲାଙ୍କୁ ନେଇ ଏକ ସ୍କୁଲ କରିବା ସହ ଏହି ଅଂଚଳର ଜଣେ ଶିକ୍ଷିତ ବ୍ୟକ୍ତିଙ୍କୁ ପିଲାଙ୍କୁ ଓଡ଼ିଆରେ ପାଠ ପଢାଇବା ଏବଂ ଓଡ଼ିଆ ଶିକ୍ଷା ଦେବା ପାଇଁ ସହଯୋଗ କାମନା କରିଛନ୍ତି।

ସ୍ଥାନୀୟ ତ୍ରିନାଥ ଟୋଇକା ନାମକ ବ୍ୟକ୍ତି କୌଣସି ପାରିଶ୍ରମିକ ନନେଇ ପ୍ରତିଦିନ ପିଲାଙ୍କୁ ପାଠ ପଢାନ୍ତି। ଓଡ଼ିଆ ଭାଷା ଶିକ୍ଷା ଦେବା ସହ ଓଡ଼ିଆରେ କଥା ହେବା ଏବଂ ଓଡ଼ିଆକୁ ସଂପୂର୍ଣ୍ଣ ରୂପେ ଆପଣେଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଅଙ୍କୁର ଫାଉଣ୍ଡେସନ ତରଫରୁ ବର୍ଣ୍ଣବୋଧ ବହି ସହ ସମସ୍ତ ପାଠ୍ୟ ଉପକରଣ ପିଲାଙ୍କୁ ପ୍ରଦାନ କରାଯାଇଛି। ଏପରିକି ପିଲାଙ୍କୁ ଆଗକୁ ପଢିବାର ସମସ୍ତ ସୁବିଧା ଏହି ଫାଉଣ୍ଡେସନ ମଧ୍ୟ ନିଜ କର୍ତ୍ତବ୍ୟ ବୋଲି କାମ କରୁଛି।ସ୍ଥାନୀୟ ଅଂଚଳର ଶିକ୍ଷା ଲାଭ କରିଥିବା ମହିଳା ଚିନ୍ମୟୀ ପଣ୍ଡା ଏବେ ଭୁବନେଶ୍ବରରେ ରହି ଅଙ୍କୁର ଫାଉଣ୍ଡେସନ ନାମକ ଅନୁଷ୍ଠାନର ପ୍ରତିଷ୍ଠା କରିବା ସହ ନିଜେ ସଂପାଦକ ଭାବେ ରହିଛନ୍ତି। ଏଠାରେ ସ୍କୁଲ ଖୋଲିବା ସହ ଏହି ଅଂଚଳରେ ଓଡ଼ିଆ ଭାଷାକୁ କିପରି ଜୀବିତ ରଖିବେ ତାଂକର ଉଦ୍ୟମ ଜାରି ରଖିଛନ୍ତି।

publive-image

ସେ ସମ୍ବାଦ ସହ ସାକ୍ଷାତ କରି କହିଥିଲେ ଯେ ଏହି ଗ୍ରାମର ସମସ୍ତ ଲୋକ ଏବଂ ପିଲାଙ୍କୁ ଓଡ଼ିଆ ପ୍ରତି ଆଗ୍ରହ ଦେଖାଇବାରେ କାମ ଆରମ୍ଭ ହୋଇଥିବା ବେଳେ ପିଲାଙ୍କୁ ଓଡ଼ିଆ ଭାଷାରେ ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ କଥାବାର୍ତ୍ତା ହେବାକୁ ଶିକ୍ଷା ଦିଆଯାଉଛି। ଓଡ଼ିଆକୁ ଏଠାରେ ପୁନଃ ପ୍ରଚଳନ କରିବାର ଉଦ୍ୟମ ଜାରି ରହିଥିବା ସେ କହିଥିଲେ। ଗତ ତିନି ବର୍ଷ ହେଲା ସେହି ଗ୍ରାମର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ପିଲାଙ୍କ ପଢା ଖର୍ଚ୍ଚ ବହନ କରୁଛି ଏହି ଅନୁଷ୍ଠାନ।

ରାୟଗଡା ଜିଲ୍ଲାର ବହୁ ଅଂଚଳରେ ଏଭଳି ସ୍ଥିତି ରହିଛି। ଆଗକୁ ଆହୁରି ଅନେକ ଗ୍ରାମର ଅଂକୁର ଫାଉଣ୍ଡେସନ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରି ଓଡ଼ିଆକୁ ପୁନଃ ପ୍ରଚଳନ କରିବା ପାଇଁ ଉଦ୍ୟମ ଆରମ୍ଭ କରିବେ। ବର୍ତ୍ତମାନ ଆଡପାଟିଗୁଡା ସହ କୁଶ ନାମକ ଆଉ ଏକ ଗ୍ରାମକୁ ମଧ୍ୟ ପୋଷ୍ୟ ରୂପେ ଗ୍ରହଣ କରିଥିବା ଚିନ୍ମୟୀ ପଣ୍ଡା କହନ୍ତି। ରାୟଗଡା ଜିଲ୍ଲାରେ ଧୀରେ ଧୀରେ ଓଡିଆ ଭାଷା ଲୋପ ପାଉଥିବାରୁ ଏବେ ଠାରୁ ସତର୍କ ନହେଲେ ଆଗକୁ ପରିଣତି ଭୟଙ୍କର ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ଓଡ଼ିଆ ସ୍କୁଲରେ ପାଠ ପଢୁଥିଲେ ମଧ୍ୟ ଓଡ଼ିଆରେ କଥା ହେବାକୁ ପିଲା ପସନ୍ଦ ନକରୁଥିବାରୁ କିପରି ଏହି ପିଲାମାନେ ଆଗକୁ ବଢିବେ ଚିନ୍ତାର ବିଷୟ। ଏଥିପାଇଁ ଅଭିଭାବକମାନେ ମଧ୍ୟ କୌଣସି ପ୍ରଚେଷ୍ଟା କରୁନାହାନ୍ତି। ଏବେ ଫାଉଣ୍ଡେସନର ଉଦ୍ୟମରେ ପିଲାମାନେ ଓଡ଼ିଆରେ କଥା ହେବା ଆରମ୍ଭ କଲେଣି। ରାୟଗଡା ଜିଲ୍ଲାରେ ଭାଷାକୁ ବଞ୍ଚାଇବାକୁ ହେଲେ ସରକାରଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଛି।