ଅଗରତାଲାରେ ଅସୁରକ୍ଷିତ ଓଡ଼ିଆ ଛାତ୍ରଛାତ୍ରୀ

ଉଚ୍ଚଶିକ୍ଷା ବିଭାଗ ପଠାଇଲା ଉଚ୍ଚସ୍ତରୀୟ ପ୍ରତିନିଧି ଦଳ, ସୁରକ୍ଷା ଦେବାକୁ କେନ୍ଦ୍ରମନ୍ତ୍ରୀ, ପିସିସି ସଭାପତିଙ୍କ ଟ୍ୱିଟ୍‌, ତ୍ରିପୁରା ପୁଲିସ ଡିଜିଙ୍କ ସହ କଥା ହେଲେ ଓଡ଼ିଶା ଡିଜି

ଭୁବନେଶ୍ୱର : ତ୍ରିପୁରା ରାଜଧାନୀ ଅଗରତାଲାସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ ୯୦ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକଙ୍କୁ ସ୍ଥାନୀୟ ଅଞ୍ଚଳର ଛାତ୍ରମାନେ ନିର୍ଯାତନା ନେଇ ଗତକାଲି ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ। ଏହାକୁ ନେଇ ଆଜି ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଭିଡିଓ ଭାଇରାଲ ହେବା ପରେ ଛାତ୍ରଛାତ୍ରୀଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କ ପିଲାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ତ୍ରିପୁରା ପଠାଇଥିବା ବେଳେ ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କ ତ୍ରିପୁରା ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ମଧ୍ୟ ଟ୍ବିଟ୍‌ କରି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ତ୍ରିପୁରାର ସନ୍ତାନ କହିବା ସହ ମା’ ତ୍ରିପୁରା ସୁନ୍ଦରୀଙ୍କ ରାଜ୍ୟରେ ଏପରି ଅସାମାଜିକ କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲିି କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଗଣେଶ ପୂଜା ବେଳେ କୌଣସି କାରଣକୁ ନେଇ ସ୍ଥାନୀୟ ଛାତ୍ର ଓ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଛାତ୍ରମାନେ ଆନ୍ଦୋଳନ କରିଥିବା ବେଳେ ସେଥିରେ ଓଡ଼ିଆ ଛାତ୍ରଛାତ୍ରୀ ସାମିଲ ହୋଇ ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ଟାର୍ଗେଟ କରାଯିବା ସହ ୮ରୁ ୧୦ ଦିନ ହେଲା ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଥିଲା। ମାଡ଼ ମରାଯାଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଓଡ଼ିଆ ଛାତ୍ରଛାତ୍ରୀ ଏନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଆଣିଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଇ ନ ଥିଲା। ତେଣୁ ଗତକାଲି ଭିଡିଓ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ ଛାତ୍ରଛାତ୍ରୀ।

ଖବର ପ୍ରସାରିତ ହେବା ପରେ ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ସବୁ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପୁଲିସ ଡିଜି ଶ୍ରୀ ଶର୍ମା ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଥିଲେ। ସେ ଟ୍ବିଟ୍‌ କରି କହିଛନ୍ତି, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ କେତେକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ନେଇ ୨୬ ତାରିଖରେ ଜାଣିବାକୁ ପାଇଲି। ଏନେଇ ତ୍ରିପୁରା ଡିଜିପିଙ୍କ ସହ କଥା ହୋଇଛି। ସେଠାକାର ଏସ୍‌ପି ଘଟଣା ସ୍ଥଳକୁ ଯିବା‌ ସହ ସୁରକ୍ଷା ଓ ସହାୟତା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣା ଉପରେ ନଜର ରଖାଯାଇଛି।

ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିଛି। ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି କ’ଣ ସମସ୍ୟା ହୋଇଛି ଓ ତାହାର କିଭଳି ସମାଧାନ ହେବ ସେନେଇ ଆଲୋଚନା ଚାଲିଛି। ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅଗରତାଲା ପଠା‌ଯାଇଛି। ଏଥିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ପରମେଶ୍ବରନ୍‌ ବି ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ରାଧାମାଧବ ଦାଶ ସାମିଲ ଅଛନ୍ତି। ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପୁଲିସ ମୁତୟନ ରହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ସହ କଥା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍‌ରେ ‌ଉଲ୍ଲେଖ କରିଛନ୍ତି ‘ତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କ ବିପ୍ଲବ ଦେବଙ୍କ ସହ ଅଗରତାଲାରେ ପାଠ ପଢ଼ୁଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସହ ସେହି ରାଜ୍ୟର ପିଲାଙ୍କ ମଧ୍ୟରେ ବିବାଦ ଓ ଓଡ଼ିଆ ପିଲାଙ୍କ ଉପରେ ଆକ୍ରମଣ ସମ୍ବନ୍ଧରେ କଥା ହେଲି। ଓଡ଼ିଆ ପିଲାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛି’। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଟ୍ବିଟ୍‌ର ଜବାବ ଦେଇ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କହିଛନ୍ତି ‘ତ୍ରିପୁରାରେ ଆକ୍ରମଣ ଶିକାର ହୋଇଥିବା ଓଡ଼ିଅା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ଓଡ଼ିଶାର ପିଲାମାନେ ମଧ୍ୟ ତ୍ରିପୁରାର ସନ୍ତାନ। ମା’ ତ୍ରିପୁରା ସୁନ୍ଦରୀଙ୍କ ରାଜ୍ୟରେ ଏପରି ଅସାମାଜିକ କାର୍ଯ୍ୟ ଗ୍ରହଣୀୟ ନୁହେଁ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସହ ସେ କଥା ହୋଇ ପ୍ରତିଶ୍ରୁତି ଦେଇଛି।

ସେହିପରି ପିସିସି ସଭାପତି ନିିରଞ୍ଜନ ପଟ୍ଟନାୟକ ମଧ୍ୟ ଓଡ଼ିଶା ଓ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରି ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ପୂବର୍ତନ ସାଂସଦ ବୈଜୟନ୍ତ ପଣ୍ଡା‌ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଟ୍ବିଟ୍‌ ମାଧ୍ୟମରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର